ନୂଆଦିଲ୍ଲୀ: ଚାରିଆଡୁ ମାରିଲାଣି ଭାରତ । ଜଳ, ସ୍ଥଳ, ଆକାଶ ପଥରୁ କଟକଣା ପରେ ଏବେ ପାକିସ୍ତାନ ପିଠିରେ ଆଉ ଏକ ବଡ ପ୍ରହାର ଦେଇଛି ନୂଆଦିଲ୍ଲୀ । ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବ୍ୟାନ୍ କଲେ ଭାରତ ସରକାର । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ପାକିସ୍ତାନରୁ ବ୍ୟାନ୍ କରାଯାଇଛି । ଏନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଜାତୀୟ ସୁରକ୍ଷା ଓ ସ୍ବାର୍ଥକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସ୍ପଷ୍ଟ କରିଛି ଡିଜିଏଫଟି ।
ସିନ୍ଧୁ ନଦୀ ଚୁକ୍ତି, ଓ୍ବାଘା ବର୍ଡର ବନ୍ଦ, ଭିସା ବାତିଲ୍, ଆକାଶ ପଥ ବନ୍ଦ ଆଉ ଏବେ ଆମଦାନୀ-ରପ୍ତାନୀ ସାଙ୍ଗକୁ ଜଳ ପଥ ବି ପୂରା ଠପ୍ । ମହଙ୍ଗା ପଡିଲାଣି ପାକିସ୍ତାନକୁ ୨୨/୪ ଆକ୍ରମଣ । ୨୨ ଏପ୍ରିଲର ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଏବେ ପାକିସ୍ତାନ ପ୍ରତି ନିଜର କୂଟନୈତିକ ଏବଂ ଆର୍ଥିକ ଦୃଷ୍ଟିକୋଣକୁ ଆହୁରି କଠୋର କରିଥିବା ବେଳେ, ଆଜି ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ଭାରତ ପାକିସ୍ତାନରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଅର୍ଥାତ୍ ପାକିସ୍ତାନ ଠାରୁ ହେଉକି, ପାକିସ୍ତାନ ଦେଇ ହେଉ, କିମ୍ବା ପାକିସ୍ତାନକୁ ହେଉ, ସବୁ ବେପାର ବାଣିଜ୍ୟ ବନ୍ଦ । ତେବେ ପାକିସ୍ତାନରୁ ପ୍ରତ୍ୟକ୍ଷ ଆମଦାନୀ ଭାରତକୁ ବହୁତ କମ୍ ହୋଇଥିଲେ ମଧ୍ୟ କିଛି ସାମଗ୍ରୀ ପରୋକ୍ଷ ଭାବେ ପାକିସ୍ତାନ ମାଧ୍ୟମରେ କିମ୍ବା ତୃତୀୟ ଦେଶ ମାଧ୍ୟମରେ ଦେଶରେ ପ୍ରବେଶ କରୁଥିଲା । ଯାହାକୁ ଆଜି ପୂରା ଠପ୍ କରିଛନ୍ତି ଭାରତ ସରକାର ।
ତେବେ
ଏନେଇ ବାଣିଜ୍ୟ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନୀତିରେ ଏକ ନୂଆ ବ୍ୟବସ୍ଥା ଯୋଡା ଯାଇଥିବା ବେଳେ, ଏହା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାକିସ୍ତାନରେ ଉତ୍ପନ୍ନ କିମ୍ବା ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ ନିଷେଧ କରାଯାଉଛି । ଏହି ବ୍ୟବସ୍ଥା ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥରେ ଲାଗୁ କରାଯାଇଛି।
ଏଥିସହିତ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟର ପକ୍ଷରୁ ମଧ୍ୟ ଆଉ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି, ପାକିସ୍ତାନର ପତାକା ବହନ କରୁଥିବା କୌଣସି ଜାହାଜକୁ, ଭାରତୀର କୌଣସି ବନ୍ଦର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ନିର୍ଦ୍ଦେଶ ସାର୍ବଜନୀନ ସ୍ୱାର୍ଥ ଏବଂ ଭାରତୀୟ ଜାହାଜର ସ୍ୱାର୍ଥ ପାଇଁ ଭାରତୀୟ ସମ୍ପତ୍ତି, କାର୍ଗୋ ଏବଂ ସଂଯୁକ୍ତ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାରି କରାଯାଉଛି ।
ସେପଟେ ଏହା ପାକିସ୍ତାନର ଚିନ୍ତା ବଢାଇବ । କାରଣ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ନୂଆଦିଲ୍ଲୀ ଅଟାରୀ-ୱାଘା ସୀମା ଦେଇ ବାଣିଜ୍ୟ ବନ୍ଦ କରିବାକୁ ଘୋଷଣା କରିସାରିଛି । ଏହା ଦୁଇ ଦେଶ ମଧ୍ୟରେ ଏକମାତ୍ର ସ୍ଥଳ ସୀମା । ରିପୋର୍ଟ କହୁଛି ଅଟାରୀ-ୱାଘା ସୀମାଦେଇ ୨୦୨୩-୨୪ରେ ୩,୮୮୬.୫୩ କୋଟି ଟଙ୍କାର ବାଣିଜ୍ୟ ହୋଇଥିଲା । ଆଉ ସେପଟେ ସମାନ ପଦକ୍ଷେପ ସ୍ୱରୂପ, ପାକିସ୍ତାନ ମଧ୍ୟ ଭାରତ ସହିତ ସମସ୍ତ ବାଣିଜ୍ୟ ସ୍ଥଗିତ ରଖିଛି ।
ତେବେ ପାକିସ୍ତାନରୁ ଭାରତର ଆମଦାନୀ ବହୁତ୍ କମ୍ ହୋଇଥିଲେ ମଧ୍ୟ, ବାଣିଜ୍ୟ ପ୍ରତିବନ୍ଧକକୁ ପରାସ୍ତ କରିବା ପାଇଁ କିଛି ସାମଗ୍ରୀ ଦୁବାଇ, ସିଙ୍ଗାପୁର ଏବଂ କଲମ୍ବୋ ବନ୍ଦର ଦେଇ ପଠାଯାଇଥାଏ । ତେବେ ୨୦୧୯ ପୁଲୱାମା ଆକ୍ରମଣ ପରଠାରୁ ପାକିସ୍ତାନ ସହିତ ଭାରତର ବାଣିଜ୍ୟ ହ୍ରାସ ପାଇଛି । ଆର୍ଥିକ ବର୍ଷ ୨୪-୨୫ (ଏପ୍ରିଲ-ଜାନୁଆରୀ) ରେ ଭାରତ ପାକିସ୍ତାନକୁ ୪୪୭.୬୫ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, ଯେତେବେଳେ ଆମଦାନୀ ମାତ୍ର ୦.୪୨ ନିୟୁତ ଡଲାର ହୋଇଥିଲା । ୨୦୨୩-୨୪ ରେ, ରପ୍ତାନି ୧.୧୮ ବିଲିୟନ ଡଲାର ହୋଇଥିବା ବେଳେ ଆମଦାନୀ ୨.୮୮ ନିୟୁତ ଡଲାର ହୋଇଥିଲା । ଯାହା ଭାରତର ମୋଟ ବିଶ୍ୱ ବାଣିଜ୍ୟର ମାତ୍ର ୦.୧% । କିନ୍ତୁ ଭାରତର ଏହି ରଣନୈତିକ ପଦକ୍ଷେପ ପାକିସ୍ତାନର କ୍ଷୁଦ୍ର ବ୍ୟବସାୟୀ ଏବଂ ନିର୍ମାତାଙ୍କ ଉପରେ ଗୁରୁତର ଆର୍ଥିକ ପ୍ରଭାବ ପକାଇବ । ଯାହା ପାକର ସଙ୍କଟପୂର୍ଣ୍ଣ ଆର୍ଥିକାବସ୍ଥାକୁ ଆଉ ଏକ ଶକ୍ତ ପ୍ରହାର ।
Comments are closed.