Latest Odisha News

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଲେ କଂଗ୍ରେସ ସାଂସଦ: ବିଜେପି କହିଲା, ‘ରାହୁଲଙ୍କୁ ନେଇ ଦେଖିଆସ’

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସ ସାଂସଦ ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟାଇକ୍ ନେଇ ଏବେ ୭ ବର୍ଷ ପରେ ପ୍ରଶ୍ନ ଉଠାଇବା ପ୍ରସଙ୍ଗ ତାକୁ ବିବାଦକୁ ଟାଣି ଆଣିଛି । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ଏଭଳି ପ୍ରଶ୍ନ କରିବାକୁ ଦୃଢ କଟାକ୍ଷ କରିଛି ବିଜେପି ।

ତେବେ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୀମା ଆରପାରିରେ ଭାରତୀୟ ସଶସ୍ତ୍ର ବାହିନୀର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି ଚନ୍ନୀ । କହିଛନ୍ତି, କେହି ଏହାକୁ ଦେଖି ନଥିଲେ । ଆଜି ପର୍ଯ୍ୟନ୍ତ, ମୁଁ ସର୍ଜିକାଲ୍ ଷ୍ଟ୍ରାଇକ୍ କେଉଁଠି ହୋଇଥିଲା, ସେହି ସମୟରେ ଲୋକମାନେ କେଉଁଠାରେ ହତ୍ୟା ହୋଇଥିଲେ ଏବଂ ପାକିସ୍ତାନରେ ଏହା କେଉଁଠି ଘଟିଥିଲା ​​ତାହା ପାଇପାରିଲି ନାହିଁ । କିଛି ହୋଇନଥିଲା। କୌଣସି ସ୍ଥାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଦେଖାଯାଇ ନଥିଲା । କେହି ଜାଣିପାରିଲେ ନାହିଁ ବୋଲି କହି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ଚନ୍ନି । ଏଥିସହିତ ୨୦୧୯ରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା କି ନାହିଁ, ସେ କାଳେ ସର୍ବଦା ପ୍ରମାଣ ଦାବି କରି ଆସିଛନ୍ତି ବୋଲି କହିଛନ୍ତି ।

ବର୍ତ୍ତମାନ ପହଲଗାମ୍ ଆକ୍ରମଣ ଭଳି ଦୁଃଖଦ ଘଟଣା ବେଳେ ଚନ୍ନୀଙ୍କ ଏଭଳି ମନ୍ତବ୍ୟକୁ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି । ଚନ୍ନୀ ଏଭଳି କହି ସଶସ୍ତ୍ର ବାହିନୀର ମନୋବଳ ହ୍ରାସ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏଥିସହିତ ଚନ୍ନୀ ଯାଞ୍ଚ କରିବାକୁ ରାହୁଲଙ୍କୁ ସାଙ୍ଗରେ ନେଇ ପାକିସ୍ତାନ ଯାଇପାରିବେ ବୋଲି କଟାକ୍ଷ କରିଛି ବିଜେପି ।

ଏନେଇ କଂଗ୍ରେସ ପ୍ରତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି, ଆପଣ ରାହୁଲ ଗାନ୍ଧୀଙ୍କ ସହିତ ପାକିସ୍ତାନ ଯାଇ ଏୟାର ଷ୍ଟ୍ରାଇକର ପ୍ରମାଣ ଦେଖିପାରିବେ । ପାକିସ୍ତାନ ନିଜେ କହୁଛି ଯେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତ ବହୁତ କ୍ଷତି କରିଛି । ଚରଣଜିତ ସିଂହ ଚନ୍ନୀଙ୍କ ଦ୍ୱାରା ପୁଣି ଥରେ ଗାନ୍ଧୀ ପରିବାରର ମଇଳା ରାଜନୀତି ଏବଂ ମଇଳା ମାନସିକତା ଦେଖାଯାଇଛି, ଯେଉଁମାନେ ସର୍ବଦା ସେନାକୁ ପ୍ରଶ୍ନ କରନ୍ତି ଏବଂ ସେନାର ମନୋବଳକୁ ଦୁର୍ବଳ କରନ୍ତି। ମୁଁ ଏହାକୁ ନିନ୍ଦା କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ସାଂସଦ ତଥା ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର କଂଗ୍ରେସକୁ ପାକିସ୍ତାନ କାର୍ଯ୍ୟ କମିଟି ବୋଲି ସମ୍ବୋଧିତ କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ସନ୍ଦେହ କରୁଥିବା ଚନ୍ନୀଙ୍କ ବୟାନ ସଶସ୍ତ୍ର ବାହିନୀ ଏବଂ ଭାରତର ଲୋକମାନଙ୍କ ମନୋବଳ ହ୍ରାସ କରୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । କହିଛନ୍ତି, ବାହ୍ୟ ଦୃଷ୍ଟିରୁ ସେମାନେ କଂଗ୍ରେସ କାର୍ଯ୍ୟକାରିଣୀ, କିନ୍ତୁ ଭିତରେ ସେମାନେ ପାକିସ୍ତାନ କାର୍ଯ୍ୟକାରିଣୀ କମିଟି । ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କିଛି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ପରେ, ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ କହିବା ଅନୁଯାୟୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କେବେ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇ ନଥିଲା । ଏପରି କରି କଂଗ୍ରେସ ପାକିସ୍ତାନୀ ଆତଙ୍କବାଦୀ ଏବଂ ପାକିସ୍ତାନୀ ସେନାକୁ ଅକ୍ସିଜେନ୍ ଯୋଗାଇବା ପାଇଁ କୌଣସି ସୁଯୋଗ ଛାଡି ନାହିଁ ବୋଲି କହିଛନ୍ତି ସମ୍ବିତ୍ ।

ତେବେ ଶୁକ୍ରବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ, ପହଲଗାମ୍ ଆକ୍ରମଣ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଆହ୍ୱାନ କରିଛି କଂଗ୍ରେସ । ଗୋଟେ ପଟେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଉପରେ କଂଗ୍ରେସ ଦଳ ସାର୍ବଜନୀନ ଭାବରେ ସରକାରଙ୍କୁ ସମର୍ଥନ କରିଥିବା ଥିବା ବେଳେ ଅନ୍ୟପଟେ ଚନ୍ନୀଙ୍କ ଏଭଳି ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ଗତକାଲି ସରକାରଙ୍କ ସମର୍ଥନ ଜଣାଇ କଂଗ୍ରେସ କହିଥିଲା, ଆମେ ଦାବି କରୁଛୁ ଯେ ସରକାର କିଛି କରନ୍ତୁ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଅପରାଧୀ କିଏ ତାହା ଲୋକଙ୍କୁ କୁହନ୍ତୁ ଏବଂ ସେମାନଙ୍କୁ ଦଣ୍ଡ ଦିଅନ୍ତୁ । ଏଥିସହିତ ଘଟଣାର ଜବାବ ଦେବାରେ ହେଉଥିବା ବିଳମ୍ବକୁ ମଧ୍ୟ ସମାଲୋଚନା କରିଥିଲା କଂଗ୍ରେସ, କହିଥିଲା, ପହଲଗାମ ଆକ୍ରମଣର ଦଶ ଦିନ ବିତିଗଲାଣି କିନ୍ତୁ ସରକାରଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସମଗ୍ର ଦେଶ ପାକିସ୍ତାନ ବିରୁଦ୍ଧରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ତାହା ଦେଖିବା ପାଇଁ ଅପେକ୍ଷା ରହିଛି । ଲୋକମାନେ ୫୬ ଇଞ୍ଚ ଛାତିର କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଛନ୍ତି ବୋଲି କହି ଆହ୍ବାନ ଦେଇଥିଲା କଂଗ୍ରେସ ।

Comments are closed.