ନୂଆଦିଲ୍ଲୀ: ପାକିସ୍ତାନ ବର୍ଷ ବର୍ଷ ଧରି ପାଲଟିଛି ଆତଙ୍କବାଦୀଙ୍କ ଚରାଭୂମି । ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ସାରା ଦୁନିଆ ଜାଣିଛି । ହେଲେ ଦେଶର ଟେରର ଲିଙ୍କ ନେଇ ଗଣମାଧ୍ୟମ ଆଗରେ ଦେଶର ରାଜନେତା ସ୍ବୀକାର କରିବା ଆଶ୍ଚର୍ଯ୍ୟ କରିଛି । ପ୍ରଥମେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଓ ପରେ ପୂର୍ବତନ ବିଦେଶ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ ପାକିସ୍ତାନର ଆତଙ୍କୀ କନେକ୍ସନ୍ ନେଇ ମାନିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଭାରତ ପାକିସ୍ତାନର ଭୂମିକା ନେଇ ବିଶ୍ବସ୍ତରରେ ଅଭିଯୋଗ କରୁଥିବା ବେଳେ ପାକ୍ ନେତାଙ୍କ ଏଭଳି ବୟାନ ଚର୍ଚ୍ଚା ବଢାଇଛି ।
ଟେରର ଲିଙ୍କ ମାନିବା ପଛରେ ରଣନୀତି !
ପହଲଗାମ ଆକ୍ରମଣ ପରଠୁ ସାରା ବିଶ୍ବର ନଜର ଭାରତ ଓ ପାକିସ୍ତାନ ଉପରେ ରହିଛି । ଏଭଳି ସମୟରେ ପାକିସ୍ତାନ ଅତୀତରେ ଆତଙ୍କବାଦୀଙ୍କ ସହ ସଂପୃକ୍ତ ଥିବା କଥା କାହିଁକି ମାନୁଛନ୍ତି ସେଠାକାର ରାଜନେତା? ଏହାକୁ ପାକିସ୍ତାନର ରଣନୀତି ବୋଲି କହୁଛନ୍ତି ବିଶେଷଜ୍ଞ । ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନୀ କହିଛନ୍ତି, ଏହା ପାକିସ୍ତାନର ସୁଚିନ୍ତିତ ପଦକ୍ଷେପ । ବର୍ତ୍ତମାନ ଆତଙ୍କବାଦୀ ଲିଙ୍କକୁ ମିଛ ଦର୍ଶାଇବାକୁ ଯାଇ ପୂର୍ବରୁ ଦେଶ ଆତଙ୍କବାଦୀଙ୍କୁ ସମର୍ଥନ କରିଥିବା କଥା କହୁଛନ୍ତି ସେଠାକାର ରାଜନେତା । ବର୍ତ୍ତମାନର ଅଭିଯୋଗଠାରୁ ନିଜକୁ ଦୂରେଇ ରଖିବାକୁ ଯୋଜନାବଦ୍ଧ ଭାବେ ଏଭଳି ବୟାନ ଦିଆଯାଉଥିବା ସେ କହିଛନ୍ତି ।
ମୁଶରଫ ବି ମାନିଥିଲେ ଲିଙ୍କ
ଅତୀତରେ ଆତଙ୍କବାଦକୁ ସମର୍ଥନ ଦେଇଥିବା ମାନିବା ପାକିସ୍ତାନରେ ନୂଆ କଥା ନୁହେଁ । ପରଭେଜ ମୁଶରଫ ମଧ୍ୟ ଅନେକ ବର୍ଷ ପରେ ଲସ୍କର-ଏ-ତୋଏବାକୁ ସମର୍ଥନ ଜଣାଇଥିବା କଥା ମାନିଥିଲେ । ନିଜ ମୃତ୍ୟୁର ଦୁଇ ବର୍ଷ ପୂର୍ବରୁ ମୁଶରଫ ଟେରର ଲିଙ୍କ ନେଇ ସ୍ବୀକାର କରିଥିଲେ । ୨୦୨୧ରେ ଦୁନିଆ ନ୍ୟୁଜକୁ ସାକ୍ଷାତକାର ଦେଇ ମୁଶରଫ କହିଥିଲେ, ୧୯୯୦ ଦଶକରେ କାଶ୍ମୀରରେ ସ୍ବତନ୍ତ୍ରତା ସଂଗ୍ରାମ ଆରମ୍ଭ ହୋଇଥିଲା । ସେ ସମୟରେ ଲସ୍କର-ଏ-ତୋଏବା ଓ ୧୧, ୧୨ଟି ଅନ୍ୟ ସଂଗଠନ ଗଠନ କରାଯାଇଥିଲା । ସେମାନଙ୍କୁ ସମର୍ଥନ କରିବା ସହ ପ୍ରଶିକ୍ଷଣ ଦେଇଥିଲା ପାକିସ୍ତାନ । କାରଣ ସେମାନେ କାଶ୍ମୀରରେ ନିଜ ଜୀବନକୁ ବାଜି ଲଗାଇ ଲଢୁଥିଲେ ବୋଲି ମୁଶରଫ କହିଥିଲେ ।
କ’ଣ କହିଲେ ବିଲଓ୍ବଲ, ଆସିଫ?
ନିକଟରେ ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେଇ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ପାକିସ୍ତାନର ବିବାଦୀୟ ଅତୀତ କଥା ମାନିଥିଲେ । ପାକିସ୍ତାନ ପଶ୍ଚିମ ଦେଶଙ୍କ ସହ ମିଶି କାମ କରିଥିଲା । ଏହାସହ ଆତଙ୍କବାଦ ଯୋଗୁଁ ସବୁଠୁ ଅଧିକ ଭୋଗିଛି ପାକିସ୍ତାନ । ଏଥିରୁ ବୁଦ୍ଧି ବି ଶିଖିଛି । ତେବେ ଗତ କିଛି ବର୍ଷ ହେଲା ସ୍ଥିତି ବଦଳିଛି । ଏବେ ଆତଙ୍କବାଦୀଙ୍କୁ ଶରଣ ଦେଉନି ପାକିସ୍ତାନ । କାରଣ ନିଜେ ପାକିସ୍ତାନ ହିଁ ଆତଙ୍କବାଦର ପୀଡିତ ଓ ଏହା ବିରୋଧରେ ଲଢେଇ ଲଢୁଛି । ବିଲାଓ୍ବଲଙ୍କ ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ମଧ୍ୟ ଦେଶର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିବା ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେଇ ସ୍ବୀକାର କରିଥିଲେ । ଆମେରିକା ଓ ବ୍ରିଟେନ୍ ସହ ପଶ୍ଚିମ ଦେଶଙ୍କ ପାଇଁ ତିନି ଦଶକ ଧରି ପାକିସ୍ତାନ ଏହି ଖରାପ କାମ କରିଥିବା କହିଥିଲେ ଆସିଫ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଭାରତ ଅଭିଯୋଗ କରୁଛି । ତେବେ ପୂର୍ବରୁ ଲିଙ୍କ ଥିବା କହି ବର୍ତ୍ତମାନର ଅଭିଯୋଗରୁ ବର୍ତ୍ତିବାକୁ ଉଦ୍ୟମ କରୁଛନ୍ତି ପାକ୍ ନେତା ।
Comments are closed.