ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଅପରେସନ୍ ସିନ୍ଦୂର । ଏହାପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଥିଲା । ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ ଉଦ୍ୟମ କଲା ତ ଭାରତ ବି ଜବାବୀ ହମଲା କଲା । ସ୍ଥିତି ଏମିତି ହୋଇଥିଲା ଯେ କୌଣସି ମୁହୁର୍ତ୍ତରେ ଯୁଦ୍ଧ ହେବା ନେଇ ଆଶଙ୍କା କରାଯାଉଥିଲା । ତେବେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି । ଯୁଦ୍ଧ ହୋଇଥିଲେ ଆର୍ଥିକ ବୋଝ ସାଙ୍ଗକୁ ଧନଜୀବନ କ୍ଷତି ହୋଇଥାନ୍ତା । କାରଗିଲ ଯୁଦ୍ଧର ଖର୍ଚ୍ଚ ହିସାବ ଦେଖିଲେ, ସେତେବେଳେ ଭାରତ ଦିନକୁ ୧୪ଶହ କୋଟିରୁ ଅଧିକ ଖର୍ଚ୍ଚ କରୁଥିବା ବେଳେ ପାକିସ୍ତାନ ପ୍ରାୟ ୩ଶହ କୋଟିରୁ ଅଧିକ ଅର୍ଥ ବ୍ୟୟ କରୁଥିଲା ।
ଯୁଦ୍ଧ ବଢାଇଥାନ୍ତା ବୋଝ
ଭାରତ ପାଖରେ ୬୫୦ ବିଲିୟନ ଡଲାରରୁ ଅଧିକ ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି । ପାକିସ୍ତାନ ସହ ଯୁଦ୍ଧ ହୋଇଥିଲେ ଭାରତକୁ ଏହା ସାମରିକ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାନ୍ତା । ପୂର୍ଣ୍ଣାଙ୍ଗ ଯୁଦ୍ଧ ବେଳେ ଏହା ଷ୍ଟକ ମାର୍କେଟ ଝଟକା ବା କରଦାତାଙ୍କ ଉପରେ ଯୁଦ୍ଧକାଳୀନ ସେସ୍ ସମ୍ଭାବନାକୁ ଏଡାଇବାରେ ସହଯୋଗ କରିଥାନ୍ତା । ତେବେ ପାକିସ୍ତାନର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଭାରତ ସହ ଯୁଦ୍ଧ ହୋଇଥିଲେ ଏହା ଆହୁରି ଖରାପ ସ୍ଥିତିକୁ ଚାଲିଯାଇଥାନ୍ତା । ଦୁର୍ବଳ ଆର୍ଥିକ ସ୍ଥିତି ସହ ଯୁଝୁଥିବା ପାକିସ୍ତାନ ଅର୍ଥନୀତି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତା ।
ପାକିସ୍ତାନଠୁ ୯ଗୁଣା ଅଧିକ ଭାରତର ଖର୍ଚ୍ଚ
୨୦୨୪ରେ ବିଶ୍ବ ପ୍ରତିରକ୍ଷା ଖର୍ଚ୍ଚ ୯ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସାରା ବିଶ୍ବରେ ସାମରିକ ଖର୍ଚ୍ଚ କ୍ଷେତ୍ରରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ପାକିସ୍ତାନଠାରୁ ୯ଗୁଣା ଅଧିକ ଅର୍ଥ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛି । ଗତ ବଜେଟରେ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ୬ଲକ୍ଷ ୨୧ହଜାର କୋଟିକୁ ବଢାଇଛନ୍ତି । ତେବେ ଚୀନ୍ ତୁଳନାରେ ଏହା ଯଥେଷ୍ଟ କମ୍ ରହିଛି । ଭାରତଠାରୁ ୪ଗୁଣା ଅଧିକ ଅର୍ଥ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛି ଚୀନ୍ । ଆମେରିକା, ଚୀନ୍, ଋଷ ଓ ଜର୍ମାନୀ ପରେ ପ୍ରତିରକ୍ଷା ଖର୍ଚ୍ଚରେ ପଞ୍ଚମ ସ୍ଥାନରେ ରହିଛି ଭାରତ । ଯେବେକି ପାକିସ୍ତାନ ୨୯ତମ ସ୍ଥାନରେ ରହିଛି ।
ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧିର ଧାରା
ଗତ କିଛି ବର୍ଷ ଧରି ଭାରତର ପ୍ରତିରକ୍ଷା ବଜେଟ୍ ବଢିଛି । ମାକ୍ରୋଟ୍ରେଣ୍ଡସର ତଥ୍ୟ ଅନୁସାରେ ୨୦୧୩ରେ ଭାରତର ପ୍ରତିରକ୍ଷା ଖର୍ଚ୍ଚ ୪୧ ବିଲିୟନ ଡଲାର ଥିବା ବେଳେ ୨୦୨୪ରେ ଏହା ପ୍ରାୟ ଦୁଇଗୁଣା ୮୦ ବିଲିୟନ ଡଲାରରେ ପହଞ୍ଚିଛି । ବଜେଟ୍ ବୃଦ୍ଧି ସହ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଓ ନୂଆ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ବ ଦେଇଛି । ବାୟୁସେନା ଆଧୁନିକୀକରଣ, ନୌସେନା ଶକ୍ତି ବୃଦ୍ଧି, କ୍ଷେପଣାସ୍ତ୍ର ପ୍ରଣାଳୀ ଓ ପରମାଣୁ ଅସ୍ତ୍ରାଗାରର ସଂପ୍ରସାରଣ କରିଛି ଭାରତ । ସେପଟେ ୨୦୨୪ରେ ପାକିସ୍ତାନର ପ୍ରତିରକ୍ଷା ଖର୍ଚ୍ଚ ୧୧ବିଲିୟନ ଡଲାର ଆକଳନ କରାଯାଇଥିଲା । ଭାରତ ତୁଳନାରେ ପାକିସ୍ତାନର ପ୍ରତିରକ୍ଷା ଖର୍ଚ୍ଚ କମ୍ ରହିଥିଲେ ମଧ୍ୟ ଏହା ପାକ୍ ଜିଡିପିର ବଡ଼ ଅଂଶ ।
ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷର ମୂଲ୍ୟ ବେଶ୍ ଅଧିକ । ଭାରତର ଅର୍ଥନୀତି ପାକିସ୍ତାନ ତୁଳନାରେ ଯଥେଷ୍ଟ ଅଧିକ ମଜବୁତ ସ୍ଥିତିରେ ରହିଛି। ତେବେ ପାକିସ୍ତାନକୁ ଭାରତ ସହ ସଂଘର୍ଷ ମହଙ୍ଗା ପଡିପାରେ । ଦେଶର ଆର୍ଥିକ ଅଭିବୃଦ୍ଧି ଓ ପୁନରୁଦ୍ଧାର ସମ୍ଭାବନା ଉପରେ ପ୍ରତିରକ୍ଷା ବୋଝ ବାଧା ସୃଷ୍ଟି କରିପାରେ । କାରଣ ଦୀର୍ଘ ଦିନ ଧରି ଆର୍ଥିକ ବିପର୍ଯ୍ୟୟ ସହ ଯୁଝୁଥିବା ପାକିସ୍ତାନକୁ ସଂଘର୍ଷ ଅନେକ ପଛକୁ ନେଇପାରେ ।
Comments are closed.