Latest Odisha News

BREAKING NEWS

ଅପରେସନ୍ ସିନ୍ଦୂର…ନିର୍ବାଚନ ଉପରେ ପଡିବ କି ପ୍ରଭାବ?

ନୂଆଦିଲ୍ଲୀ: ୪ଦିନ ଧରି ଭାରତ-ପାକିସ୍ତାନ ମୁହାଁମୁହିଁ । ଭାରତୀୟ ସେନାର ଶୌର୍ଯ୍ୟ ଆଗରେ ଆଣ୍ଠେଇଲା ପାକିସ୍ତାନ । ଶେଷରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଛନ୍ତି । ତେବେ ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ବେଳେ ଭାରତର ଆକ୍ସନର ପ୍ରଭାବ ଦେଶର ରାଜନୀତି ଉପରେ ପଡିପାରେ । ଆଉ ମାସ କେଇଟା ପରେ ବିହାର ବିଧାନସଭା ନିର୍ବାଚନ ରହିଛି ତ ଆସନ୍ତା ବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ପରି ରାଜ୍ୟରେ ମତଦାନ ହେବ । ତେବେ ଜନତାଙ୍କ ମନେ ରଖିବା ଶକ୍ତି କମ୍ । ବିହାର ନିର୍ବାଚନକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟର ନିର୍ବାଚନ ପାଇଁ ଆହୁରି ପାଖାପାଖି ବର୍ଷେ ସମୟ ରହିଛି । ତେବେ ପ୍ରଶ୍ନ ଉଠୁଛି, ସେପର୍ଯ୍ୟନ୍ତ ବିଜେପି କିପରି ମାହୋଲ ବନାଇ ରଖିବ? ନିର୍ବାଚନ ଉପରେ କିଭଳି ପ୍ରଭାବ ପକାଇବ ଅପରେସନ୍ ସିନ୍ଦୂର?

କାରଗିଲ ଯୁଦ୍ଧରୁ କେତେ ଲାଭ?

୧୯୯୯ କାରଗିଲ ଯୁଦ୍ଧ ଏକ ଘଡିସନ୍ଧି ମୁହୁର୍ତ୍ତରେ ହୋଇଥିଲା । ସେତେବେଳେ ଅଟଳ ବିହାରୀ ବାଜପେୟୀ ସରକାର ଆସ୍ଥା ଭୋଟ୍ ହରାଇବା ପରେ ନୂଆ ନିର୍ବାଚନ ହେବା ପର୍ଯ୍ୟନ୍ତ କାମଚଳା ସରକାର ଭାବେ ଦାୟିତ୍ବ ତୁଲାଉଥିଲେ । ତେବେ ଭାରତୀୟ ସେନା ପାକିସ୍ତାନ ବିରୋଧରେ ସାହାସର ସହ ଯୁଦ୍ଧ ଲଢିବା ସହ ଶତ୍ରୁ ଦେଶକୁ ହରାଇଥିଲେ । କାରଗିଲ ଯୁଦ୍ଧର ଲାଭ ପାଇଥିଲା ବିଜେପି । ଅଧିକ  ସଂଖ୍ୟା ସହ କ୍ଷମତାକୁ ଆସିଥିଲା । ୨୦୧୯ରେ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକରୁ ବି ବିଜେପିକୁ ଫାଇଦା ମିଳିଥିଲା । ୨୦୧୯ ଫେବ୍ରୁଆରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶ ଦାବି କରୁଥିଲା । ଫେବ୍ରୁଆରୀ ୨୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା ଭାରତ । ଏହାର ପ୍ରଭାବ ଏଭଳି ଥିଲା ଯେ, ବିରୋଧୀଙ୍କୁ ମାତ୍ ଦେଇ ୩ଶହରୁ ଅଧିକ ସିଟ୍ ଦଖଲ କରିଥିଲା ବିଜେପି ।

ଅପରେସନ୍ ସିନ୍ଦୂର…କାହା ସପକ୍ଷରେ ଯିବ ଜନମତ?

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ବି ସାରା ଦେଶରେ ପ୍ରବଳ ଆକ୍ରୋଶ ଦେଖାଦେଇଥିଲା । ବିରୋଧୀ ଦଳ ମଧ୍ୟ ପ୍ରତିଶୋଧ ଦାବି କରି ସରକାରଙ୍କ ସହ ଠିଆ ହୋଇଥିଲେ । ଭାରତ ଅପରେସନ୍ ସିନ୍ଦୂରରେ ଏହାର ଜବାବ ଦେଇଥିଲା । ତେବେ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘୋଷଣାକୁ ନେଇ ସରକାରଙ୍କ ଭୂମିକାକୁ ପ୍ରଶ୍ନ କରୁଛନ୍ତି ବିରୋଧୀ । ଏହାକୁ ନେଇ ଆସନ୍ତା ୨୦ରୁ ୩୦ତାରିଖ ମଧ୍ୟରେ ୧୫ଟି ରାଜ୍ୟରେ ଜୟ ହିନ୍ଦ ସଭା କରିବାକୁ ଯାଉଛି କଂଗ୍ରେସ । ଏହାଛଡା ଭାରତ ପାଖରେ ପିଓକେ ନିଜ ଦଖଲକୁ ନେବାକୁ ସୁଯୋଗ ଥିଲା, ହେଲେ ସରକାର ଏହାକୁ ହାତଛଡା କରିଥିବା ନେଇ ବି ପ୍ରଶ୍ନ ଉଠାଯାଉଛି । ଯଦିଓ ସରକାର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି, ତେବେ ଏଥିରେ ଜନତା କେତେ ସନ୍ତୁଷ୍ଟ ତାହା ଅସ୍ପଷ୍ଟ ।

ବିହାର ନିର୍ବାଚନ ଉପରେ କେତେ ପ୍ରଭାବ?

ପହଲଗାମରେ ଧର୍ମ ପଚାରି ହତ୍ୟା କରିବାକୁ ନେଇ ହିନ୍ଦୁ ଭୋଟ୍ ଏକାଠି କରିବା ସହ ଜାତୀୟତାବାଦୀ ଭାବନାକୁ ନେଇ ମାହୋଲ ବନାଇ ରଖିପାରେ ବିଜେପି । ତେବେ ବିହାର ନିର୍ବାଚନରେ ଏହାର କିଭଳି ପ୍ରଭାବ ରହିବ, ତାକୁ ନେଇ ପ୍ରଶ୍ନ ରହିଛି । କାରଣ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାରଙ୍କ ଲୋକପ୍ରିୟତା ହ୍ରାସ ହୋଇଥିବା ବେଳେ ତାଙ୍କ ଅସୁସ୍ଥତାକୁ ନେଇ ବି ଅନେକ ସମୟରେ ଚର୍ଚ୍ଚା ହୋଇଛି । ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତି ନିର୍ବାଚନକୁ ଲକ୍ଷ୍ୟ ରଖି ନିଆଯାଇଥିଲା । ତେବେ ଏହାର ଫଳ କେତେ ମିଳିବ ତାକୁ ନେଇ ବି ଦ୍ବନ୍ଦ୍ବ ରହିଛି । କାରଣ ପୂର୍ବରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ଜନଗଣନାରେ ଚିହ୍ନଟ କରାଯାଇଥିଲେ ମଧ୍ୟ ସେମାନେ ସେଭଳି ଫଳ ପାଇନାହାନ୍ତି । ବିହାରର ଜନତା ପୂର୍ବରୁ ମଧ୍ୟ ଲୋକସଭା ଓ ବିଧାନସଭାରେ ଭିନ୍ନ ମତଦାନ କରିଛନ୍ତି । ତେବେ ବିହାରରେ ଯଦି ବିଜେପି ପାକିସ୍ତାନ ବିରୋଧୀ ବୟାନବାଜିରୁ ଲାଭ ପାଏ, ତେବେ ସମାନ ଫର୍ମୁଲା ପଶ୍ଚିମବଙ୍ଗରେ ପ୍ରୟୋଗ କରିପାରେ । କାରଣ ସେଠାରେ ମୁର୍ଶିଦାବାଦ ସାଂପ୍ରଦାୟିକ ଉତ୍ତେଜନା ପ୍ରସଙ୍ଗ ରହିଛି । ତେବେ ତାମିଲନାଡୁ ଓ କେରଳ ପରି ଦକ୍ଷିଣ ରାଜ୍ୟରେ ସାଂପ୍ରଦାୟିକତା ସ୍ବାଦ ଥିବା ଜାତୀୟତାବାଦୀ ଆଭିମୁଖ୍ୟ ସେତେ କାମ ଦେଇନପାରେ । କାରଣ ଦକ୍ଷିଣ ରାଜନୀତିରେ ଆଞ୍ଚଳିକ ପ୍ରସଙ୍ଗର ଗୁରୁତ୍ବ ଅଧିକ ରହିଆସିଛି ।

Comments are closed.