Latest Odisha News

BREAKING NEWS

ରହସ୍ୟମୟ ଭାବେ ସମୁଦ୍ର ହେଉଛି କଳା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ଲଣ୍ଡନ: ଏକ ନୂଆ ଗବେଷଣା ଅନୁସାରେ, ଗତ ୨୦ ବର୍ଷରେ ବିଶ୍ୱର ୨୧ ଶତାଂଶରୁ ଅଧିକ ମହାସାଗର ଅତ୍ୟନ୍ତ ଗାଢ଼ କଳା ହୋଇଯାଇଛି। ଏହାର ଅର୍ଥ ପ୍ରାୟ ୭.୫ କୋଟି ବର୍ଗ କିଲୋମିଟରରୁ ଅଧିକ ସାଗରୀୟ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଗବେଷଣା ‘ଗ୍ଲୋବାଲ ଚେଞ୍ଜ ବାୟୋଲୋଜି’ ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି। ପ୍ଲାଇମାଉଥ ବିଶ୍ୱବିଦ୍ୟାଳୟ ଓ ପ୍ଲାଇମାଉଥ ମେରାଇନ ଲାବୋରେଟୋରୀର ବୈଜ୍ଞାନିକମାନେ ନିଜ ଅଧ୍ୟୟନରେ ଜାଣିଛନ୍ତି ଯେ ସମୁଦ୍ରରେ ଆଲୋକର ଗୁଣବତ୍ତାରେ ପରିବର୍ତ୍ତନ ଘଟୁଛି। ଏହାର ଫଳସ୍ୱରୂପ, ‘ଫୋଟିକ୍ ଜୋନ୍’ (ଆଲୋକ ଅଞ୍ଚଳ)ର ଗଭୀରତା କମିଯାଉଛି। ଏହି ଅଞ୍ଚଳଗୁଡ଼ିକ ହେଉଛି ସେହି ସ୍ତର, ଯେଉଁଠାରେ ସୂର୍ଯ୍ୟଙ୍କ ଆଲୋକ ପହଞ୍ଚେ ଏବଂ ସମୁଦ୍ରର ୯୦ ଶତାଂଶ ଜୀବଜନ୍ତୁ ଏହି ସ୍ତରଗୁଡ଼ିକରେ ବାସ କରନ୍ତି।

ଗବେଷଣାରେ କ’ଣ ମିଳିଛି?
‘ଇଣ୍ଡିଆ ଟୁଡେ’ର ଏକ ରିପୋର୍ଟ ଅନୁସାରେ, ଏହି ଅଧ୍ୟୟନରେ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ସେଟେଲାଇଟ ତଥ୍ୟ ଓ ମଡେଲଗୁଡ଼ିକର ବ୍ୟବହାର କରାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ ଫୋଟିକ୍ ଜୋନ୍, ଯେଉଁଠାରେ ସୂର୍ଯ୍ୟ ଓ ଚନ୍ଦ୍ରର ଆଲୋକ ମାଧ୍ୟମରେ ସାଗରୀୟ ଜୀବନ ଚାଲିଥାଏ, ତାହା ଉପକୂଳ ଓ ଖୋଲା ସମୁଦ୍ର ଉଭୟ ଅଞ୍ଚଳରେ ଅତ୍ୟନ୍ତ ଅଗଭୀର ହୋଇଯାଇଛି। ଆଫ୍ରିକା ଆକାରର ପ୍ରାୟ ୯ ଶତାଂଶ ସାଗରୀୟ ଅଞ୍ଚଳରେ ଆଲୋକ ଅଞ୍ଚଳର ଗଭୀରତା ୫୦ ମିଟରରୁ ଅଧିକ କମିଛି। ଏହା ସହ, ୨.୬ ଶତାଂଶ ଅଞ୍ଚଳରେ ଏହି କମି ୧୦୦ ମିଟରରୁ ଅଧିକ ହୋଇଛି।

ଆଲୋକ ଉପରେ ନିର୍ଭରଶୀଳ ଜୀବଙ୍କ ପାଇଁ ବିପଦ
ଯଦିଓ ସମୁଦ୍ରର ପ୍ରାୟ ୧୦ ଶତାଂଶ ଅଂଶ କିଛି ହାଲୁକା ହୋଇଛି, କିନ୍ତୁ ମୋଟାମୋଟି ଭାବେ ସମୁଦ୍ରର ଗାଢ଼ ହେବାର ପ୍ରବୃତ୍ତି ଅଧିକ। ଏହା ସେହି ସାଗରୀୟ ଜୀବଜନ୍ତୁଙ୍କ ପାଇଁ ଚିନ୍ତାର ବିଷୟ, ଯେଉଁମାନେ ବଞ୍ଚିବା, ପ୍ରଜନନ ଓ ଖାଦ୍ୟ ପାଇଁ ଆଲୋକ ଉପରେ ନିର୍ଭର କରନ୍ତି। ପ୍ଲାଇମାଉଥ ବିଶ୍ୱବିଦ୍ୟାଳୟରେ ମେରାଇନ କଞ୍ଜରଭେସନର ଆସୋସିଏଟ ପ୍ରଫେସର ଡକ୍ଟର ଥୋମାସ ଡେଭିସ କହିଛନ୍ତି, “ଆମ ଫଳାଫଳରୁ ଜଣାପଡ଼ୁଛି ଯେ ଏହି ପରିବର୍ତ୍ତନ ମହାସାଗରକୁ ବଡ଼ ପରିମାଣରେ ଗାଢ଼ କରୁଛି। ଏହା ସେହି ଜୀବଜନ୍ତୁଙ୍କ ପାଇଁ ସମୁଦ୍ରର ଆୟତନ କମାଇ ଦେଉଛି, ଯେଉଁମାନେ ଜୀବନ ଓ ପ୍ରଜନନ ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରର ଆଲୋକ ଉପରେ ନିର୍ଭର କରନ୍ତି।”

 

Comments are closed.