Latest Odisha News

ଖେଳାଳିଙ୍କ ମୁହଁରେ ବାରବାଟୀର ପ୍ରଶଂସା; ପାଶୋରୀ ଗଲେ ସେହି କଳଙ୍କିତ ଅଧ୍ୟାୟ…

କଟକ: କଟକ ବାରବାଟୀ ଷ୍ଟାଡିୟମରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ମୁକାବିଲା । ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳକୁ ୪ ୱିକେଟରେ ପରାସ୍ତ କରି ସିରିଜ୍ ମଧ୍ୟ ହାତେଇଛି । ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀରେ କ୍ରିକେଟର ମଜ୍ଜା ନେଇଥିଲେ ଓଡ଼ିଶାର କ୍ରୀଡ଼ାପ୍ରେମୀ । ତେବେ ୨୦୧୫ରେ କ୍ରିକେଟପ୍ରେମୀଙ୍କ ଅତ୍ୟଧିକ ଭାବ ପ୍ରବଣତା ଆମ ପାଇଁ ଲଜ୍ଜ୍ୱା ଆଣି ଦେଇଥିଲା । ବାରବାଟୀର ସେହି କଳଙ୍କିତ ଅଧ୍ୟାୟକୁ ଏବେ ବରିଷ୍ଠ କ୍ରିକେଟ ପ୍ରଶାସକ ପାଶୋରି ଦେଇଥିବା ବେଳେ ପୁଣି ଥରେ ଏହି ଷ୍ଟାଡ଼ିୟମରେ ନିୟମିତ ଅନ୍ତର୍ଜାତୀୟ ମ୍ୟାଚ ହେବାର ଆଶା ଉଜ୍ଜୀବିତ ହୋଇପାରିଛି । ୨୨ ଡ଼ିସେମ୍ବରରେ ଅନୁଷ୍ଠିତ ଏହି ମ୍ୟାଚ ପୂର୍ବରୁ ଓ ପରେ ଅନେକ କ୍ରିକେଟ ଖେଳାଳି ତଥା କ୍ରିକେଟ ପ୍ରଶାସକ ପିଚର କ୍ୟୁରେଟରଙ୍କୁ ଶତ ପ୍ରଶଂସା କରିଛନ୍ତି । ଏହି ପିଚରେ ଗୋଟିଏ ଦିନରେ ୬୦୦ରୁ ଅଧିକ ରନ୍ ହୋଇପାରିଥିବାରୁ ଉଭୟ ଦଳର ଅଧିନାୟକ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ବାରବାଟୀର ପିଚକୁ । ବାରବାଟୀର ଭରପୁର ଦର୍ଶକଙ୍କ ସମର୍ଥନରେ ଟିମ୍ ଇଣ୍ଡିଆ କପ୍ତାନ ବିରାଟ କୋହଲୀ ବେଶ୍ ଆନନ୍ଦିତ ମଧ୍ୟ । ବିରାଟ ମଧ୍ୟ ଏହି ମ୍ୟାଚରେ ସୁନ୍ଦର ବ୍ୟାଟିଂ କରିଥିବା ବେଳେ ଷ୍ଟାଡ଼ିୟମକୁ ବେଶ୍ ପ୍ରଶଂସା କରିଛନ୍ତି ।

ସେଦିନ ଥିଲା ବାରବାଟୀ ଲାଗି ଅଭିଶପ୍ତ ଦିନ !

୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମୁକାବିଲାରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ୯୨ ରନରେ ଅଲଆଉଟ ହୋଇ ଯାଇଥିଲା । ବାରବାଟୀରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଆୟୋଜନ କରାଯାଉଥିଲା । ଦର୍ଶକରେ ଖଚାଖଚ ଭରା ଷ୍ଟାଡିୟମରେ କେତେକ ଅସଭ୍ୟ ଖେଳରେ ବାଧା ସୃଷ୍ଟି କରିଥିଲେ । ସେମାନେ ବୋଧହୁଏ କ୍ରିକେଟ ଗୋଟେ ଭଦ୍ରଲୋକର ଖେଳ ବୋଲି ଭୁଲି ଯାଇଥିଲେ । ୧୭.୨ ଓଭରରେ ଭାରତ ଅଲଆଉଟ ହୋଇ ଯାଇଥିଲା । ୧୧ ଓଭର ବେଳକୁ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଦୃଢ଼ ସ୍ଥିତିରେ ପହଂଚି ଯାଇଥିଲା । ଏହି ସମୟରେ ଷ୍ଟାଡିୟମରୁ ବୋତଲ ମାଡ ହୋଇଥିଲା । ମ୍ୟାଚ ୨୭ ମିନିଟ ପାଇଁ ବନ୍ଦ ହୋଇଥିଲା । ପୁର୍ନବାର ଖେଳ ଆରମ୍ଭ ହେବାର କିଛି ସମୟ ପରେ ଉପରୋକ୍ତ ଘଟଣାର ପୁନରାବୃତି ହୋଇଥିଲା । ଶେଷର ବାଧ୍ୟ ହୋଇ ପୋଲିସ ଷ୍ଟାଡିୟମର ଏକ ଅଂଶରେ ବସିଥିବା ଦର୍ଶକଙ୍କୁ ଖାଲି କରାଇଥିଲା । ମ୍ୟାଚ ଚାଲୁ ହୋଇଥିଲା ଓ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଥିଲା । ଏପରି କି ଏହି ଘଟଣା ପରେ ସୁନୀଲ ଗାଭାସ୍କର ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନରୁ ବାଦ୍ ଦେବା ପାଇଁ ଦାବୀ କରିଥିଲେ ।

ଇଡେନର ୧୯୯୬ ବିଶ୍ୱକପ ମ୍ୟାଚ: କ୍ରିକେଟର କଳଙ୍କିତ ଅଧ୍ୟାୟ

ଇଡେନଗାର୍ଡେନରେ ଆୟୋଜିତ ଭାରତ-ଶ୍ରୀଲଙ୍କା ୧୯୯୬ ବିଶ୍ୱକପରେ ମଧ୍ୟ ଦର୍ଶକ ବ୍ୟବହାର ଅଶୋଭନୀୟ ଥିଲା । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାର ୨୫୨ ରନର ଟାର୍ଗେଟକୁ ପିଛା କରି ୮ ଉଇକେଟ ବିନିମୟରେ ୧୨୦ ରନ କରିଥିବା ବେଳେ ଦର୍ଶକମାନେ ଷ୍ଟଡିୟମ ଭିତରେ ପୋଡା ଜଳା କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ମ୍ୟାଚ ରେଫରୀ କ୍ଲାଇଭ ଲୟଡ ଶ୍ରୀଲଙ୍କାକୁ ବିଜୟୀ ଘୋଷିତ କରିଥିଲା । ବିନୋଦ କାମ୍ବଲୀ ଫଳାଫଳରେ ଏତେ ମାତ୍ରାରେ ନିରାଶ ହୋଇଥିଲେ ଯେ କାନ୍ଦି କାନ୍ଦି ଡ୍ରେସିଂ ରୁମକୁ ଯାଇଥିଲେ । ସେହିପରି ଏସିଆନ୍ ଟେଷ୍ଟ ଚାମ୍ପିୟନଶିପ ଅବସରରେ ଏଠାରେ ପୁନର୍ବାର ଦର୍ଶକ ବିଶୃଙ୍ଖଳା ଦେଖା ଯାଇଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ସଚିନ ତେନ୍ଦୁଲକର ବିବାଦୀୟ ଢ଼ଙ୍ଗରେ ରନଆଉଟ ହେବା ପରେ ଦର୍ଶକ ଅସନ୍ତୁଷ୍ଟ ହୋଇ ପଡିଥିଲେ । ସୋଏବ ଅଖତାରଙ୍କୁ ଦର୍ଶକମାନେ ବିଶେଷ ଭାବେ ଟାର୍ଗେଟ କରି ଗାଳି ମନ୍ଦ କରିବା ସହ ବୋତଲ ଫୋପାଡିଥିଲେ । ଶେଷରେ ଦର୍ଶକଙ୍କୁ ଖାଲି କରାଯାଇ ମ୍ୟାଚ ସମ୍ପୂର୍ଣ୍ଣ କରାଯାଇଥିଲା ।

Leave A Reply

Your email address will not be published.