ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଶୋଭା ପାଉଛି ଅରୁଣ ସ୍ତମ୍ଭ ।
ଭାରତର କୌଣସି ବିଷ୍ଣୁ ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନାହିଁ । ମାତ୍ର ପୁରୀରେ ଏହାର ବ୍ୟତିକ୍ରମ ମାତ୍ର ।
ଏହାର କାରଣ ହେଲା ସୂର୍ଯ୍ୟଦେବଙ୍କ ସାରଥୀ ହେଲେ ଅରୁଣ । ତେବେ ଏହା କିପରି ଶ୍ରୀମନ୍ଦିର ସମ୍ମୁଖକୁ ଆସିଲା ସେଥିନେଇ ଭିନ୍ନ ଭିନ୍ନ ମତ ରହିଛି । ୨୫ ଫୁଟ ୨ ଇଂଚ ବିଶିଷ୍ଟ ସ୍ତମ୍ଭଟି ପୀଠର ଉପରଠାରୁ ଅରୁଣଙ୍କ ପାଦ ପର୍ଯ୍ୟନ୍ତ ଓ ପୀଠର ପତନଠାରୁ ଅରୁଣଙ୍କ ଶିଖା ପର୍ଯ୍ୟନ୍ତ ଉଚ୍ଚତା ୩୩ ଫୁଟ ୮ ଇଂଚ । ଏହା ଗୋଟିଏ ମୁଗୁନି ପଥରରେ ଗଢ଼ା । ଏଥିରେ ୧୬ ଧାର ରହିଛି ।
ସୂର୍ଯ୍ୟଦେବଙ୍କ ସାରଥୀ ଅରୁଣ ଯୋଡହସ୍ତରେ ଉପବିଷ୍ଟ କ୍ଷୁଦ୍ର ମୂର୍ତି ବିଶାଳ ସ୍ତମ୍ଭ ଉପରେ ଉପବିଷ୍ଟ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମରହଟ୍ଟା ରାଜତ୍ୱ ସମୟରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟିକୁ ନିଖୁଣ ଅବସ୍ଥାରେ କୋଣାର୍କରୁ ଅଣାଇ ପୁରୀ ଶ୍ରୀମନ୍ଦିରଠାରେ ପ୍ରତିଷ୍ଠିତ କରାଇଥିଲେ ।
ଅନ୍ୟ ଐତିହାସିକ ମତାନୁଯାୟୀ ମରହଟ୍ଟା ଶାସକଙ୍କ ଗୁରୁ ବାଲବ୍ରହ୍ମଚାରୀ ଏହାକୁ କୋଣାର୍କକୁ ସ୍ଥାନାନ୍ତରିତ କରି ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନା କରିଥିଲେ । ଆଉ କେତେକଙ୍କ ମତରେ ପ୍ରଥମ ନରସିଂହ ଦେବ ୧୩୦୦ ଖ୍ରୀଷ୍ଟାବ୍ଦରେ ଏହାକୁ ସ୍ଥାପନ କରିଥିଲେ ।
ଅରୁଣ ସ୍ତମ୍ଭ ଅରୁଣ ବା ଜ୍ୟୋତିର ପ୍ରତୀକ । ଶକ୍ତି ପ୍ରଦାୟକ । ଭକ୍ତ ମନରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶକ୍ତି ସଂଚାରିତ ହୋଇଥାଏ । ଏହାକୁ ସ୍ପର୍ଶ କରିବା ମାତ୍ରେ କାୟ-ମନ-ବାକ୍ୟକୁ ଏହା ଶକ୍ତ କରିଥାଏ ।
ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Comments are closed.