ଭୁବନେଶ୍ୱର: କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ। ନିୟମିତ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ।
ଗୁରୁବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସହ ରାୟଗଡ଼ା, ମାଲକାନଗିରି, କୋରାପୁଟ, ଢେଙ୍କାନାଳର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ୨୫ ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ଆଶଙ୍କା ଅଛି। ୧୩ରୁ ୧୭ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।
ବୁଧବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୩୭.୬, ବଲାଙ୍ଗୀର ୩୬.୮, ହୀରାକୁଦ ୩୬.୩ ଡିଗ୍ରୀ ଥିଲା। କୋରାପୁଟ ସୁନ୍ଦରଗଡ଼, ରାଉରକେଲା, ବରଗଡ଼ରେ ତାପମାତ୍ରା ୩୬ ଡିଗ୍ରୀ ଥିଲା। ଉପକୂଳ ଓଡ଼ିଶା ୩୫ ଡିଗ୍ରୀ ତଳେ ଥିଲା। ଚାନ୍ଦବାଲି ୩୪.୬, ପାରାଦୀପରେ ୩୪.୩, ଭୁବନେଶ୍ୱର ୩୩.୪, କଟକ ୩୩.୨ ଓ ବାଲେଶ୍ୱର ୩୩.୨ ଡିଗ୍ରୀ ଥିଲା। ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳି ପ୍ରକୋପ ବିଶେଷ କମିନାହିଁ।
Comments are closed.