Latest Odisha News

BREAKING NEWS

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ ମାମଲା: ପୁଣି ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ: ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ। ଭଦ୍ରକ ବ୍ଲକ୍‌ ଓ ମ୍ୟୁନିସପାଲିଟି, ଧାମନଗର ବ୍ଲକ୍‌ ଓ NAC ପାଇଁ କଟକଣା। ତିହିଡ଼ି ବ୍ଲକ୍‌ରେ ମଧ୍ୟ ଇଣ୍ଟରନେଟ୍‌ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। କାଲି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଥିଲା। ତିହିଡ଼ି କଷଟିରେ ଦୁଇ ଗୋଷ୍ଠୀ ବିବାଦରେ ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି।

ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ୪୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଭଦ୍ରକ ଗସ୍ତ କରି ଜିଲ୍ଲାପାଳ ଓ ଏସପିଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆକ୍ରମଣ ଘଟଣାରେ ଏଯାଏ ୧୨ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ପୋଲିସର ସ୍ୱତନ୍ତ୍ର ୩ଟି ଟିମ ଗଠନ କରାଯାଇଛି।

ଜିଲ୍ଲାବାସୀ କୌଣସି ଗୁଜବକୁ ବିଶ୍ୱାସ ନକରିବା ଓ ସାମାଜିକ ଗଣମାଧ୍ୟମରେ କେହି ବିଭ୍ରାନ୍ତିକର ପୋଷ୍ଟ ନ କରିବାକୁ ଅନୁରୋଧ କରାଯାଇଛି । ଗତ ୩୦ ତାରିଖରେ ତିହିଡି ଥାନା କଷଟି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ସନ୍ତୋଷ ପରିଡା ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.