ନୂଆଦିଲ୍ଲୀ: ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗୁରୁବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୨.୮୨ ପ୍ରତିଶତ ରେ ପହଞ୍ଚିଛି, ଯାହା ଛଅ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। ଏହା ଫେବୃଆରୀ ୨୦୧୯ ପରଠାରୁ ସର୍ବନିମ୍ନ ମୁଦ୍ରାସ୍ଫୀତି ହାର ଏବଂ ଏପ୍ରିଲ ୨୦୨୫ରେ ୩.୧୬% ରୁ ହ୍ରାସ ପାଇଛି। ଖାଦ୍ୟ ମୂଲ୍ୟରେ ନିୟନ୍ତ୍ରଣ ପାଇଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଏପ୍ରିଲରେ ୩.୧୬%ରୁ ମେ’ରେ ୩୪ ବେସିସ୍ ପଏଣ୍ଟ ହ୍ରାସ ପାଇଛି। ଗୋଆରେ ଜାତୀୟ ହାର ଠାରୁ ସର୍ବାଧିକ ମୁଦ୍ରାସ୍ଫୀତି ୬.୮୨% ଥିବାବେଳେ ତେଲଙ୍ଗାନାରେ ସର୍ବନିମ୍ନ ୦.୫୫% ରହିଛି। ଓଡ଼ିଶାରେ ମଧ୍ୟ ଜାତୀୟ ହାର ଠାରୁ କମ୍ ୨.୨୮% ମୁଦ୍ରାସ୍ଫୀତି ରହିଛି।
ଦେଶରେ ଖାଦ୍ୟ ମୂଲ୍ୟ ନିୟନ୍ତ୍ରଣରେ ଥିବାରୁ ମୁଖ୍ୟ ମୁଦ୍ରାସ୍ଫୀତି ୨୦୧୯ ଫେବୃଆରୀ ପରେ ସର୍ବନିମ୍ନ ସ୍ତର ୨.୮୨ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୪ ମେ’ରେ ମୁଦ୍ରାସ୍ଫୀତି ୮.୬୯% ଥିଲା। ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ (ସିଏଫ୍ପିଆଇ) ଦ୍ବାରା ମପା ଯାଉଥିବା ଖାଦ୍ୟ ମୁଦ୍ରାସ୍ଫୀତି ମେ’ରେ ୦.୯୯%କୁ ହ୍ରାସ ପାଇଛି, ଯାହା ୨୦୨୧ ଅକ୍ଟୋବର ପରେ ସର୍ବନିମ୍ନ। ଡାଲି, ପରିବା, ଫଳ, ଶସ୍ୟ, ଅଣ୍ଡା, ଚିନି ଏବଂ ଘରୋଇ ଖାଦ୍ୟ ଓ ସେବା ସମେତ ପ୍ରମୁଖ ଖାଦ୍ୟ ବର୍ଗରେ ମୂଲ୍ୟ ହ୍ରାସ ହୋଇଥିବାରୁ ମୁଦ୍ରାସ୍ଫୀତିରେ ଏଭଳି ଉଲ୍ଲେଖନୀୟ ହ୍ରାସ ଘଟିଛି।
ଏପ୍ରିଲରେ ଗ୍ରାମୀଣ ମୁଦ୍ରାସ୍ଫୀତି ୨.୯୨%ରୁ ମେ’ରେ ୨.୫୯%କୁ ହ୍ରାସ ପାଇଛି। ତେବେ ଗ୍ରାମୀଣ ଅଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୧.୮୫%ରୁ ୦.୯୫%କୁ ହ୍ରାସ ପାଇଛି। ସେହିପରି ସହରୀ ମୁଦ୍ରାସ୍ଫୀତି ୩.୦୭%ରୁ ୩.୦୭%କୁ ହ୍ରାସ ପାଇଛି। ସହରାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୧.୬୪%ରୁ ୦.୯୬%କୁ ଖସିଛି। ଗୃହ ମୁଦ୍ରାସ୍ଫୀତି (ସହରରେ) ୩.୧୬%କୁ ବଢ଼ିଥିବା ବେଳେ ଶିକ୍ଷା ମୁଦ୍ରାସ୍ଫୀତି ୪.୧୨%କୁ ସାମାନ୍ୟ ଖସିଛି। ସ୍ବାସ୍ଥ୍ୟ ମୁଦ୍ରାସ୍ଫୀତି ୪.୩୪%କୁ ବଢ଼ିଥିବା ବେଳେ ପରିବହନ ଓ ଯୋଗାଯୋଗ ମୁଦ୍ରାସ୍ଫୀତି ୩.୮୫%କୁ ବଢ଼ିଛି। ଇନ୍ଧନ ମୁଦ୍ରାସ୍ଫୀତି ୨.୭୮%କୁ ହ୍ରାସ ପାଇଛି।
ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଗୋଆରେ ସର୍ବାଧିକ ମୁଦ୍ରାସ୍ଫୀତି ୬.୮୨ ପ୍ରତିଶତ ଥିବାବେଳେ ଏହା ପଛକୁ କେରଳ ୬.୪୬ ପ୍ରତିଶତ, ପଞ୍ଜାବ ୫.୨୧ ପ୍ରତିଶତ, ଜମ୍ମୁ ଏବଂ କାଶ୍ମୀର ୪.୫୫ ପ୍ରତିଶତ, ହରିୟାଣା ୩.୬୭ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୩.୪୭ ପ୍ରତିଶତ ରହିଛି। ତେଲଙ୍ଗାନାରେ ସର୍ବନିମ୍ନ ମୁଦ୍ରାସ୍ଫୀତି ୦.୫୫ ପ୍ରତିଶତ ରହିଛି। ୨୦୨୫-୨୬ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୩.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।
Comments are closed.