Latest Odisha News

BREAKING NEWS

ଗୋପାଳପୁର ଗଣ ଦୁଷ୍କର୍ମ ମାମଲା: ଚାଲିଛି ରେକର୍ଡ ଯାଞ୍ଚ୍, ୩ ଦିନିଆ ରିମାଣ୍ଡରେ ଯିବେ ୬ ଅଭିଯୁକ୍ତ

ବ୍ରହ୍ମପୁର: ରିମାଣ୍ଡରେ ଯିବେ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର TI ପରେଡ ହୋଇଥିଲା । ଟିଆଇ ପରେଡରେ ଅଭିଯୁକ୍ତମାନଙ୍କୁ ପୀଡ଼ିତା ଚିହ୍ନଟ କରିଛି। ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଛାନ୍‌ଭିନ୍‌ କରି ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରୁଛି। ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ ଏବଂ କେତେବେଳେ ସେମାନେ ସେଠାରେ ପହଞ୍ଚିଥିଲେ ସବୁ ବିଷୟ ପଚରାଉଚରା କରିଛି।

ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ଉପସ୍ଥିତିରେ ସିନ୍ ରିକ୍ରିଏସନ କରାଯିବ। ଗତ ରବିବାର ୨୦ ବର୍ଷର ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ଗୋପାଳପୁର ବିଚରେ ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ। ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି। ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ। ଏଣୁ ସ୍ଥାନୀୟ ମଦ ଦୋକାନ ଓ ବେଳାଭୂମିରେ ଲାଗିଥିବା କିଛି ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି।

ଅଭିଯୁକ୍ତମାନେ ଘଟଣା ପରେ କିଭଳି ପୁଣି ଗାଁକୁ ଫେରିଥିଲେ ଏବଂ ଅପରାଧ ଘଟାଇବା ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ବୟାନ ପୂର୍ବରୁ ରେକର୍ଡ ହୋଇଥିବା ବେଳେ ଅନ୍ୟ ସାକ୍ଷୀମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରୁଛି । କ୍ରାଇମ୍‌ବ୍ରାଞ୍ଚ ଆଇଜି ଏସ୍‌.ସାଇନିଙ୍କ ତତ୍ତ୍ୱାବଧାନରେ ୯ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ରାଜ୍ୟ ସରକାର ମାମଲାର ତଦନ୍ତ ଶୀଘ୍ର ସାରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.