ନୂଆଦିଲ୍ଲୀ: ଏବେ ମଧ୍ୟପ୍ରାଚ୍ୟରେ ଭାଳେଣି ପଡିଛି । ଆମେରିକାର ଏଣ୍ଟ୍ରି ଇରାନ ଏବଂ ଇସ୍ରାଏଲ ଯୁଦ୍ଧକୁ ଆହୁରି ତୀବ୍ର କରିଛି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷପଣାସ୍ତ୍ର ଇରାନ ବର୍ଷା କରିଥିବା ବେଳେ, ଆଜି ଇସ୍ରାଏଲ ମଧ୍ୟ ଇରାନ ଉପରେ ଏକ ବଡ ଆକ୍ରମଣ କରିଛି । ତଥାପି ଇରାନ ଏପର୍ଯ୍ୟନ୍ତ ଆମେରିକା ଉପରେ କୌଣସି ପଦକ୍ଷେପ ନେଇନାହିଁ । ହଁ ଚେତାବନୀ ଦେଇଛି ସତ । ଆଉ ଟ୍ରମ୍ପ ବି ପାଲଟା ଚେତାଇ ଦେଇଛନ୍ତି ଯଦି ଇରାନ ପ୍ରତିଶୋଧ ନେବାକୁ ଭାବେ ବି ତେବେ ଜବାବ ଆହୁରି ଭୟଙ୍କର ହେବ । କିନ୍ତୁ ସବୁ ଭିତରେ ପ୍ରଶ୍ନ ଉଠୁଛି କାହିଁକି ଇରାନ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରିବାକୁ ରାଜି ହୋଇଗଲେ ଟ୍ରମ୍ପ ? ଯଦିଓ ଏହାର ପରିଣାମ କିଛି ବି ହୋଇପାରେ ବୋଲି ସେ ଜାଣନ୍ତି…. କାରଣ ଏହା କେବଳ ଇରାନ କିମ୍ବା ଇସ୍ରାଏଲ କଥା ନୁହେଁ, ଏହା ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ବିଗାଡି ପାରେ । ଯେଉଁଥିରେ ଟ୍ରମ୍ପ ଆଇନ ସମସ୍ୟା ଏବଂ ଅନ୍ତର୍ଜାତୀୟ ଚାପରେ ଫସିପାରନ୍ତି ।
କେମିତି ରାଜି କରାଇଲେ ନେତାନ୍ୟାହୁ?
କୁହାଯାଉଛି ଏହି ଆକ୍ରମଣ ପାଇଁ ନେତାନ୍ୟାହୁ ଟ୍ରମ୍ପଙ୍କୁ ରାଜି କରାଇଥିଲେ। ଇସ୍ରାଏଲର ସଫଳତାରେ ଟ୍ରମ୍ପ କାଳେ ପ୍ରଭାବିତ ହୋଇଥିଲେ। ଆଉ ଏହାପରେ ଆମେରିକା ଫୋର୍ଡୋ, ଇସଫାହାନ ଏବଂ ନାଟାଞ୍ଜକୁ ଟାର୍ଗେଟ କରିଥିଲା।କିନ୍ତୁ ପ୍ରଶ୍ନ ଉଠୁଛି ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ ଆମେରିକାକୁ କିପରି ରାଜି କରାଇଲା? ଦି ଜେରୁସେଲମ ପୋଷ୍ଟ ରିପୋର୍ଟ ଅନୁସାରେ, ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିବାକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜି କରାଇବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରଣନୈତିକ ବ୍ୟାପାର ମନ୍ତ୍ରୀ ରନ ଡର୍ମରଙ୍କୁ ପୂରା ଏକ ସପ୍ତାହ ଲାଗିଥିଲା। ଜଣେ ଇସ୍ରାଏଲୀ ଅଧିକାରୀଙ୍କ କହିବାନୁଯାୟୀ, ଇରାନ ଇସ୍ରାଏଲ ବିବାଦ ତେଜିବା ପରଠାରୁ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ପ୍ରତିଦିନ ଫୋନରେ କଥା ହୁଅନ୍ତି । ଯେଉଁଥିରେ ନେତାନ୍ୟାହୁ ଟ୍ରମ୍ପଙ୍କୁ ବାରମ୍ବାର ମନେ ପକାଇ ଦେଉଥିଲେ ଯେ ଇରାନ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା, ଏଥିସହିତ ଇରାନ କିପରି ପରମାଣୁ ସୀମା ଅତିକ୍ରମ କରିବାର ନିକଟତର ହେଉଛି । ଅତ୍ୟଧିକ ସମୃଦ୍ଧ ୟୁରାନିୟମର ଭଣ୍ଡାର ବୃଦ୍ଧି କରିବା ଏବଂ ଏହାର ସେଣ୍ଟ୍ରିଫ୍ୟୁଜ୍ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବାକୁ ଉଦ୍ୟମ କରୁଛି ଇରାନ । ତେଣୁ ଏହାର ମୁକାବିଲା କରିବାକୁ ପଡିବ ବୋଲି ଟ୍ରମ୍ପଙ୍କୁ ଚେତାଇ ଦେିଥିଲେ ନେତାନ୍ୟାହୁ । ଶେଷରେ ରବିବାର ସକାଳେ ବାସ୍ତବରେ ପରିଣତ ହୋଇଥିଲା । ଆଉ ଇରାନର ୩ଟି ପରମାଣୁ ଘାଟିକୁ ଧ୍ବସ୍ତ କରିଥିଲା ଆମେରିକା ଲଢୁଆ ବିମାନ ।
ଆମେରିକା ଚାହୁଁଥିଲା କେବଳ ଫୋର୍ଡୋ….
ଇରାନ ଉପରେ ଆକ୍ରମଣ ନିଷ୍ପତ୍ତିରେ, ପ୍ରଥମେ ଟ୍ରମ୍ପ କେବଳ ଫୋର୍ଡୋରେ ସମୃଦ୍ଧି ସୁବିଧା ଉପରେ ବୋମା ପକାଇବାକୁ ଯୋଜନା କରିଥିଲେ । ହେଲେ ନେତାନ୍ୟାହୁ ଏବଂ ଡର୍ମର ତାଙ୍କୁ ଇସ୍ଫାହାନ ସୁବିଧା ଏବଂ ନାଟାଞ୍ଜରେ ସମୃଦ୍ଧି ସ୍ଥାନର ବୈଶିଷ୍ଟ୍ୟ ବିଷୟରେ କହି ସେଠାକୁ ମଧ୍ୟ ଟାର୍ଗେଟ କରିବାକୁ ରାଜି କରାଇଥିଲେ । ଯାହା ଉଭୟ ଗତ ସପ୍ତାହରେ ଇସ୍ରାଏଲ ଦ୍ୱାରା ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ହେଲେ କିଛି ସୁଫଳ ପାଇନଥିଲା ଇସ୍ରାଏଲ । ଏନେଇ ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି, ନେତାନ୍ୟାହୁ ଟ୍ରମ୍ପଙ୍କୁ ସେହି ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ବାଧ୍ୟ କରିଥିଲେ ଯେଉଁଠାରେ ଇସ୍ରାଏଲ ପହଞ୍ଚିବାରେ ଅସୁବିଧା ହେଉଛି । ଆମେରିକା ଇସ୍ଫାହାନର ପର୍ବତମୟ ଅଞ୍ଚଳରେ ଲୁଚି ରହିଥିବା ଏକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ଯେଉଁଠାରେ ଇରାନୀମାନେ ସମୃଦ୍ଧ ୟୁରାନିୟମ ଏବଂ ଅନ୍ୟାନ୍ୟ ପରମାଣୁ ସମ୍ବନ୍ଧୀୟ ଭିତ୍ତିଭୂମି ସଂରକ୍ଷଣ କରାଯାଇଥିବାର ସୂଚନା ରହିଥିଲା ।
ଆକ୍ରମଣ ପୂର୍ବରୁ ଜାଣିଥିଲା ଇସ୍ରାଏଲ୍….
ଗୁରୁବାର ଦିନ, ନେତାନ୍ୟାହୁ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ କଲ୍ ବ୍ୟତୀତ, ଉପରାଷ୍ଟ୍ରପତି ଜେଡି ଭାନ୍ସ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ନେତାନ୍ୟାହୁ, ଡର୍ମର, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏବଂ ଆଇଡିଏଫ୍ ଚିଫ୍ ଅଫ୍ ଷ୍ଟାଫ୍ ଇୟାଲ୍ ଜମିରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ ପୃଥକ କଲ୍ ହୋଇଥିଲା। ଯେଉଁଥିରେ ଆମେରିକା ଆକ୍ରମଣ ବିଷୟରେ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ପୂର୍ଣ୍ଣ ସହଯୋଗ ଥିଲା । ରବିବାର ଆମେରିକାର ଆକ୍ରମଣ ପୂର୍ବରୁ ଶନିବାର ରାତିରେ, ନେତାନ୍ୟାହୁ ଅନେକ ମନ୍ତ୍ରୀଙ୍କ ସହିତ ଏକ ସୁରକ୍ଷା ପରାମର୍ଶ କରିଥିଲେ, ସେମାନଙ୍କୁ ସୂଚନା ଦେଇଥିଲେ ଯେ ଆମେରିକା ରାଷ୍ଟ୍ରପତି ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଆମେରିକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପର୍ଯ୍ୟନ୍ତ ବୈଠକ କିଛି ଘଣ୍ଟା ଧରି ଚାଲିଥିଲା ।
କ’ଣ କହିଛନ୍ତି ଟ୍ରମ୍ପ?
ଇରାନ ଉପରେ ଆକ୍ରମଣକୁ ଟ୍ରମ୍ପ ସଂପୂଣ୍ଣ ଇରାନ ମୁଣ୍ଡରେ ଦୋଷ ଲଦିଦେିଛନ୍ତି । ଇରାନକୁ ବାରମ୍ବାର ପରମାଣୁ ଅସ୍ତ୍ର ନବନେଇବା ପାଇଁ ଚେତାବନୀ ପରେ ବି ଇରାନ ଶୁଣିନଥିଲା । ଯାହାକୁ ନେଇ ଏହି ଆକ୍ରମଣ ବୋଲି କହିଥିଲେ ଟ୍ରମ୍ପ । ଯଦି ଇରାନ ଏହାର ଜବାବ ଦିଏ ତାହେଲେ ଆକ୍ରମଣ ଆହୁରି ଭୟଭ୍କର ହେବ । ଏଥିସହିତ ଇସ୍ରାଏଲ ସହିତ ଯୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ପ୍ରୟାସ କରିବାକୁ ଇରାନକୁ ଚେତାବନୀ ଦେଇଥିଲା ଆମେରିକା । ଆଗରୁ ମଧ୍ୟ ଟ୍ରମ୍ପ କହିଛନ୍ତି ଯେ, ଇରାନ ଆତଙ୍କବାଦଙ୍କୁ ଜନ୍ମ ଦେୁଥିବା ସବୁଠାରୁ ବଡ ଦେଶ । ତେଣୁ ତା ହାତରେ ପରମାଣୁ ଭୟଙ୍କର ପରିଣାମ ଆଣିପାରେ । ସେଥିଲାଗି ଏହାକୁ ରୋକିବା ଜରୁରୀ ।
Comments are closed.