Latest Odisha News

BREAKING NEWS

ରେଳପଥରେ ବଢୁଥିବା ଅପରାଧିକ ମାମଲା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ସମ୍ପର୍କିତ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ବିଭିନ୍ନ ସମୟରେ ଅପରାଧୀମାନେ ଟ୍ରେନ ଯୋଗେ ଗଞ୍ଜେଇ, ଅଫିମ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି। ଏ ଭଳି ନିଶା ଦ୍ରବ୍ୟ ବୋଝେଇ ଏବଂ ଓଲ୍ହା ଯାଉଥିବା ଷ୍ଟେସନକୁ ଚିହ୍ନଟ କରି ବିହିତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରାଜ୍ୟର ଯେଉଁ ଷ୍ଟେସନ ଗୁଡିକରେ ସିସିଟିଭି ନାହିଁ, ସେଠାରେ ସିସିଟିଭି ଲଗା ଯିବା ସହ ସିସିଟିଭି ଗୁଡିକର ସମୟ ଅବଧି ବୃଦ୍ଧି କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
.
ରାଜ୍ୟର ବିଭିନ୍ନ ମାଓ ପ୍ରଭାବିତ ଜିଲ୍ଲା ମଧ୍ୟ ଦେଇ ରେଳ ଲାଇନ ଯାଇଛି। ଭବିଷ୍ୟତରେ ମାଓବାଦୀ ମାନେ ଏହି ରେଳ ଲାଇନକୁ ମଧ୍ୟ ଟାର୍ଗେଟ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆରପିଏଫ ଓ ଜିଆରପି ଉପଯୁକ୍ତ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ସମୟରେ କିଛି ସ୍ଥାନରେ ଚଳନ୍ତା ଟ୍ରେନ ଉପରକୁ ଢେଲା ପଥର ଫିଙ୍ଗିବା ଭଳି ଘଟଣା ଦୃଷ୍ଟିଗୋଚର ହୋଇଥାଏ। ଏ ଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଜିଆରପିର ପୋଲିସ ଅଧିକାରୀଙ୍କୁ ସାଇବର ଅପରାଧ ମୁକାବିଲା ସଂକ୍ରାନ୍ତରେ ସାଇବର ବିଶେଷଜ୍ଞ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ ଦିଆଯିବ।

ସେହିପରି ଚଳନ୍ତା ଟ୍ରେନ ଏବଂ ଷ୍ଟେସନ ଗୁଡିକରେ ପକେଟ ମାର, ଚୋରି, ଛିନତାଇ, ଲୁଟ କରୁଥିବା ଅଭ୍ୟାସ ଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ଅପରାଧୀଙ୍କ ଫୋଟଗ୍ରାଫ ରେଳ ଷ୍ଟେସନ ଓ ରେଳବାଇ ଥାନା ସମ୍ମୁଖରେ ଲଗା ଯିବା ସହ ଆରପିଏଫକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅପରାଧୀମାନଙ୍କ ଫୋଟୋ ସର୍ବସାଧାରଣ ସ୍ଥାନରେ ଲଗା ଯାଇ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଯିବ। ରଥଯାତ୍ରା ପାଇଁ ରେଳବାଇ ପକ୍ଷରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନର ଆୟୋଜନ ସରକାର କରିଥାନ୍ତି। ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଟ୍ରେନ ପୁରୀ ଅଭିମୁଖେ ଯାତ୍ରା କରିବ। ସେଥିପାଇଁ ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ନିଆଯିବ। ଏହା ବ୍ୟତୀତ ବିଭିନ୍ନ ସମୟରେ ଟ୍ରେନ ମାଧ୍ୟମରେ ମାନବ ଚୋରା ଚାଲାଣ ରୋକିବାକୁ ରେଳବାଇ, ରେଳବାଇ ଥାନା, ରେଳ ସୁରକ୍ଷା ବଳ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

Comments are closed.