ଭୁବନେଶ୍ୱର/ନୂଆଦିଲ୍ଲୀ: ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲାରେ ରାହୁଲ ଗାନ୍ଧୀ କଡା ନିନ୍ଦା କରିଛନ୍ତି। ଏହାସହ ଓଡିଶାର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏହା ପରେ ରାଜ୍ୟ କଂଗ୍ରେସ ଉଦ୍ବେଗ ପ୍ରକାଶ କରିଛି।
ସୂଚନାନୁଯାୟୀ, ଧରାକୋଟ ଥାନା ଖାରିଗୁମା ଗାଁରେ ରବିବାର ଅପରାହ୍ଣରେ ସ୍ଥାନୀୟ ଗୋ-ରକ୍ଷକ ସଂଗଠନର କେତେକ ବ୍ୟକ୍ତି ସିଙ୍ଗିପୁର ଗାଁର ଦୁଇ ଦଳିତ ବ୍ୟକ୍ତିଙ୍କୁ ଅଟକାଇବା ସହ ସେମାନଙ୍କଠୁ ବେଆଇନ ଭାବେ ଅର୍ଥ ଦାବି କରିଥିଲେ। ଉଭୟ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ଉଭୟଙ୍କୁ ନିର୍ଯାତନା ଦେଇଥିଲେ। ଦୁଇ ଜଣଙ୍କୁ ବାରିକ ଦ୍ୱାରା ଅଧା ଲଣ୍ଡା କରାଇ ଖାରିଗୁମାରୁ ଜାହାଡ଼ା ପର୍ଯ୍ୟନ୍ତ ୨ କିମି ମାଡ଼ ମାରି ଚଲାଇ ଆଣିଥିଲେ । ଜାହାଡ଼ା ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇବା ସହ ପାଟିରେ ଘାସ ପୂରାଇ ନର୍ଦ୍ଦମା ପାଣି ପିଆଇବା ଅଭିଯୋଗ ହୋଇଥିଲା। ଉଭୟେ ଏନେଇ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ। ଗୋଚାଲାଣ କରୁଥିବା କହି ଦାଦାଗିରି ଦେଖାଇଥିବା ଅଭିଯୋଗ ପରେ ପୋଲିସ ୯ ଜଣଙ୍କୁ ଅଟକ ରଖିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗଭୀର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଦଳିତଙ୍କୁ ଆଣ୍ଠେଇ ଚଲାଇବା, ଘାସ ଖୁଆଇବା ଓ ଦୂଷିତ ପାଣି ପିଇବାକୁ ବାଧ୍ୟ କରିବା କେବଳ ଅମାନବୀୟ ଘଟଣା ନୁହେଁ, ମନୁବାଦୀ ଚିନ୍ତାଧାରାଠାରୁ ବର୍ବର। ଦଳିତଙ୍କ ପ୍ରତି ହେଉଥିବା ଏହି ଅତ୍ୟାଚାର ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନ ପ୍ରତି କୁଠାରାଘାତ। ବିଜେପି ଶାସିତ ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏପରି ଅତ୍ୟାଚାର ବଢ଼ିଚାଲିଛି। ଦେଶର ସମ୍ବିଧାନକୁ ରକ୍ଷା କରିବା ପାଇଁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ବିଶେଷକରି ଓଡ଼ିଶାରେ, ଏସସି, ଏସଟି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାଜନକ ଭାବରେ ବୃଦ୍ଧି ପାଇଛି। ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ। ଦେଶ ମନୁସ୍ମୃତି ଦ୍ୱାରା ନୁହେଁ, ସମ୍ବିଧାନ ଦ୍ୱାରା ପରିଚାଳିତ ହେବ ବୋଲି ରାହୁଲ ଗାନ୍ଧୀ ନିଜ ଏକ୍ସ ଆକାଉଣ୍ଡରେ ପୋଷ୍ଟ କରିଛନ୍ତି।
ओडिशा में दो दलित युवकों को घुटनों पर चलने, घास खाने और गंदा पानी पीने पर मजबूर करना सिर्फ़ अमानवीय नहीं, बल्कि मनुवादी सोच की बर्बरता है।
ये घटना उन लोगों के लिए आईना है जो कहते हैं कि जाति अब मुद्दा नहीं रही।
दलितों की गरिमा को रौंदने वाली हर घटना, बाबा साहेब के संविधान पर…
— Rahul Gandhi (@RahulGandhi) June 23, 2025
ଅନ୍ୟପଟେ ଏହି ଘଟଣକୁ ନେଇ ରାଜ୍ୟ କଂଗ୍ରେସ ଉଦ୍ବେଗ ପ୍ରକାଶ କରିଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଅନୁସନ୍ଧାନ କମିଟି ଗଠନ କରାଯାଇଛି। ଏଥିରେ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ସୁବର୍ଣ୍ଣ ନାୟକ ଓ ତୁଲେଶ୍ବର ନାୟକ ସଦସ୍ୟ ରହିଛନ୍ତି। ଆଗାମୀ ଦିନରେ ଏହି ଅନୁସନ୍ଧାନ କମିଟି ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରି ପିସିସିକୁ ରିପୋର୍ଟ ପ୍ରଦାନ କରିବ।
Comments are closed.