Latest Odisha News

BREAKING NEWS

ଚଳିତ ରଥଯାତ୍ରା ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଭକ୍ତ ପାଇବେ ୨୪ ଘଣ୍ଟିଆ ଚିକିତ୍ସା ସହାୟତା

ପୁରୀ/ଭୁବନେଶ୍ୱର: ଆଗାମୀ ‘ରଥଯାତ୍ରା’ ପାଇଁ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି। ଓଡ଼ିଶାର ଏହି ମହାନ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହେଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ-ନିରାପତ୍ତା ଓ କଲ୍ୟାଣକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ୨୬୫ଟି ଅତିରିକ୍ତ ହସ୍ପିଟାଲ ବେଡ୍‌ର ବ୍ୟବସ୍ଥା କରାଯାଇଛି, ଯାହା ଗତ ବର୍ଷର ୧୪୦ଟି ବେଡ୍‌ ତୁଳନାରେ ଯଥେଷ୍ଟ ଅଧିକ।

ଏହି ଅତିରିକ୍ତ ଶଯ୍ୟା ମଧ୍ୟରେ ପୁରୀର ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ୧୦୦ଟି ଅତିରିକ୍ତ ଶଯ୍ୟା ଏବଂ ଟିବିଆଇଡିଏଚ୍‌ରେ ୧୫ଟ ଆଇସିୟୁ ଶଯ୍ୟା ଅନ୍ତର୍ଭୁକ୍ତ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୫୦ଟି ସାଧାରଣ ଶଯ୍ୟା, ୮ଟି ବର୍ନୱାର୍ଡ ବେଡ୍‌ ଏବଂ ୧୦ଟି ଆଇସିୟୁ ଶଯ୍ୟା ସମେତ ୬୮ଟି ଶଯ୍ୟା ସଂରକ୍ଷିତ ରଖିଛି । ଏହା ସହିତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍‌ ବ୍ୟାଙ୍କରେ ୨୦୦ ୟୁନିଟ୍‌ ରକ୍ତ ସଂରକ୍ଷିତ ହୋଇଛି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦୁଇଟି ଛୋଟ ଅପରେସନ୍‌ ଥିଏଟର ଏବଂ ବିଶେଷ ଡ୍ରେସିଂ ରୁମ୍‌ ସ୍ଥାପନ କରାଯାଇଛି। ରଥଯାତ୍ରା ସମୟରେ ଅତିରିକ୍ତ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏଏମ୍‌ସ୍‌, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷ ଡାକ୍ତର ଟିମ୍‌ ନିୟୋଜିତ କରାଯିବ।

ରଥଯାତ୍ରା ସମୟରେ ୬୯ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଏକ ବ୍ୟାପକ ନେଟୱାର୍କ କାର୍ଯ୍ୟ କରିବ। ଏଥିରେ ୩୨ଟି ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଚଳିତ ଜୁନ୍‌ ୨୭ରୁ ଜୁଲାଇ ୮ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ୩୭ଟି ସେ୍ୱଚ୍ଛାସେବୀ ସଂଗଠନ-ସହାୟତାପ୍ରାପ୍ତ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବ। ପ୍ରତ୍ୟେକ କେନ୍ଦ୍ରରେ ଯୋଗ୍ୟ ଏମ୍‌ବିବିଏସ୍‌/ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଏବଂ ସହାୟକ କର୍ମଚାରୀ ନିୟୋଜିତ ରହିବେ ଏବଂ ରଥଯାତ୍ରା, ବହୁଡ଼ା ଯାତ୍ରା ଏବଂ ସୁନବେଶ ଦିନରେ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଜାରି ରହିବ।

ବଡ଼ଦାଣ୍ଡରେ ସିଂହଦ୍ୱାର, ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ସମେତ ୯ଟି କେନ୍ଦ୍ର, ପୁରୀ-ଭୁବନେଶ୍ୱର ରାସ୍ତାରେ ୮ଟି କେନ୍ଦ୍ର, ସ୍ୱର୍ଗଦ୍ୱାର ଏବଂ ଲାଇଟ ହାଉସ୍‌ ସମେତ ସମୁଦ୍ର ବେଳାଭୂମି ସ୍ଥାନରେ ୫ଟି କେନ୍ଦ୍ର, ପୁରୀ-କୋଣାର୍କ ରାସ୍ତାରେ ୪ଟି କେନ୍ଦ୍ର ଏବଂ ପୁରୀ ସହରରେ ୨ଟି କେନ୍ଦ୍ର (ରେଳ ଷ୍ଟେସନ୍‌) ଭଳି ପ୍ରମୁଖ ସ୍ଥାନମାନଙ୍କରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ। ପାଣିପାଗ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ତାଳବଣିଆରେ ଏକ ବିଶେଷ ୧୦ ଶଯ୍ୟାବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ହିଟ୍‌ ଷ୍ଟ୍ରୋକ୍‌ କେନ୍ଦ୍ର ସ୍ଥାପନ କରାଯାଇଛି।

ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲାନ୍ସ ନେଟୱାର୍କ ସୁନିଶ୍ଚିତ କରାଯିବ। ୩୧ଟି ସରକାରୀ ଆମ୍ବୁଲାନ୍ସ ଏବଂ ସେ୍ୱଚ୍ଛାସେବୀ ସହାୟତାରେ ୪୩ଟି ଆମ୍ବୁଲାନ୍ସକୁ ମିଶାଇ ମୋଟ ୭୪ଟି ଆମ୍ବୁଲାନ୍ସ ତୁରନ୍ତ ପ୍ରତିକ୍ରିୟା ପାଇଁ ଉପଲବ୍ଧ ରହିବ। ଏହି ଆମ୍ବୁଲାନ୍ସଗୁଡ଼ିକ ସେ୍ୱଚ୍ଛାସେବୀଙ୍କ ସହାୟତାରେ ନିର୍ଦ୍ଦିଷ୍ଟ ଆମ୍ବୁଲାନ୍ସ କରିଡୋର ମଧ୍ୟରେ କାର୍ଯ୍ୟ କରିବ। ସମସ୍ତ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ନିଜ ନିଜ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏବଂ ରାଜପଥ-୨୦୩ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉଚ୍ଚ ସତର୍କତାରେ ରହିବ।

ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦ୍ଦେଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିୟୋଜିତ ହେବେ। ରଥଯାତ୍ରା ସମୟରେ ଜନସ୍ୱାସ୍ଥ୍ୟ ମାନଦଣ୍ଡ ବଜାୟ ରଖିବା ପାଇଁ କଠୋର ସ୍ୱାସ୍ଥ୍ୟ ମନିଟରିଂ ଏବଂ ରୋଗ ପ୍ରତିରୋଧକ ବ୍ୟବସ୍ଥା ରହିଛି। ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନରେ ପ୍ରଶାସନ ପକ୍ଷରୁ ୨୪୯ଟି ଯାଞ୍ଚ କରାଯାଇ ୪୯୪ କିଲୋଗ୍ରାମ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଛି। ଏହା ସହିତ, ପରୀକ୍ଷା ପାଇଁ ୮୪ଟି ଖାଦ୍ୟ ନମୁନା ଏବଂ ୨୨ଟି ପାଣି ନମୁନା ସଂଗ୍ରହ କରାଯାଇଛି ଓ ହଇଜା ପ୍ରତିରୋଧ ପାଇଁ ୧୦ଟି ଷ୍ଟୁଲ କଲଚର ପରୀକ୍ଷା କରାଯାଇଛି ଏବଂ ୮୨ଟି ପାଣି ବିଶ୍ଳେଷଣ ସମ୍ପୂର୍ଣ୍ଣ ହୋଇଛି।

ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ଜବାବ ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟା କାର୍ଯ୍ୟ କରିବ । ଯେକୌଣସି ଚିକିତ୍ସା ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍‌ ମୋବାଇଲ ନମ୍ବର ଣ୍ଟ୯୧ ୬୩୭୦୫୬୦୨୪୭ ଏବଂ ଲ୍ୟାଣ୍ଡଲାଇନ ନମ୍ବର ୦୬୭୫୨-୨୨୨୧୭୫ରେ ଯୋଗାଯୋଗ କରାଯାଇପାରିବ ।

Comments are closed.