ଭୁବନେଶ୍ୱର: ଚଳିତ ବର୍ଷ ଜୁନ ୨୦ ତାରିଖରେ ଭୁବନେଶ୍ୱରର ଜନତା ମଇଦାନର ଉତ୍ସବମୁଖର ପରିବେଶରେ ଏକ ବିଶାଳ ମଞ୍ଚରେ ଗର୍ବର ସହିତ ପାଞ୍ଚଜଣ ମହିଳା ଲକ୍ଷପତି ଉଦ୍ୟୋଗୀ ଲକ୍ଷପତି ଦିଦି ମାନପତ୍ର ଗ୍ରହଣ କଲେ। ଏହି ଉତ୍ସବ କେବଳ ବ୍ୟକ୍ତିଗତ ସଫଳତାର ନୁହେଁ, ବରଂ ସମଗ୍ର ଦେଶର ମହିଳା ନେତୃତ୍ୱାଧୀନ ସମୃଦ୍ଧିର ସାମୂହିକ ଉତ୍ଥାନ ପ୍ରତୀକ। ସେହି ୫ ଜଣଙ୍କ ମଧ୍ୟରେ ଜଣେ ଥିଲେ ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲିକ ଗାଁ’ର ୪୩ ବର୍ଷୀୟ ଆଦିବାସୀ ମହିଳା ଲୁସା ଗନିକ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ “ଲକ୍ଷପତି ଦିଦି” ର ଉପାଧି ଗ୍ରହଣ କରିଥିଲେ।
ଓଡ଼ିଶାରେ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷ ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ପୂର୍ତ୍ତି ପାଳନ ଅବସରରେ ପାଇଥିବା ଏହି ସମ୍ମାନ ଲୁସା ଗନିକଙ୍କ ବ୍ୟକ୍ତିଗତ ସଫଳତା ସହ ଥିଲା ଓଡ଼ିଶା ଜୀବିକା ମିଶନ (OLM) ଏବଂ ମିଶନ ଶକ୍ତିର ଅଧୀନରେ ପରିଚାଳିତ ଲକ୍ଷପତି ଦିଦି ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନର ଏକ ଜ୍ୱଳନ୍ତ ଉଦାହରଣ। କିନ୍ତୁ ଏହି ମଞ୍ଚରେ ପାଦ ରଖିବାର ବହୁ ପୂର୍ବରୁ ଲୁସାଙ୍କ ଯାତ୍ରା ଆରମ୍ଭ ହୋଇଥିଲା।
ଏକ ଦୁର୍ଗମ ଆଦିବାସୀ ଅଞ୍ଚଳରେ ବଢ଼ିବା ସମୟରେ ଲୁସା ଛୋଟ ବେଳୁ ହିଁ କଷ୍ଟ କ’ଣ ଜାଣିଥିଲେ। ସୀମିତ ଶିକ୍ଷା ଓ ପ୍ରାୟ କୌଣସି ସମ୍ବଳ ନ ଥିବାରୁ ତାଙ୍କ ପାଖରେ ବହୁତ କମ୍ ସୁଯୋଗ ଥିଲା। ତଥାପି ଲୁସା ନିଜ ବିଧବା ଭଉଣୀଙ୍କ ଓ ସେମାନଙ୍କ ସନ୍ତାନମାନଙ୍କ ଦାୟିତ୍ୱ ନେଇଥିଲେ।
୨୦୧୪ ମସିହାରେ ଲୁସା ଏକ ସାହସିକ ପଦକ୍ଷେପ ନେଇ କୁମାରବାହଲ ପଞ୍ଚାୟତ ଅଧୀନରେ ନିଜ ଗାଁର ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଥିଲେ। ଆରମ୍ଭରେ ସେ ଏହାର ଗୁରୁତ୍ୱ ବୁଝି ପାରିନଥିଲେ, କିନ୍ତୁ ଓଡ଼ିଶା ଜୀବିକା ମିଶନ ତାଙ୍କୁ ଆର୍ଥିକ ସାକ୍ଷରତା, ବ୍ୟବସାୟିକ ତାଲିମ ଏବଂ ସାମୂହିକ ସଶକ୍ତିକରଣ ବିଷୟରେ ଶିକ୍ଷା ଦେଇଥିଲା। ଏହି ତାଲିମ ହିଁ ତାଙ୍କ ଜୀବନକୁ ଏକ ନୂଆ ମୋଡ଼ ଦେଇଥିଲା।
କମ୍ୟୁନିଟି ରିସୋର୍ସ ପର୍ସନ୍ସ (CRPs) ଏବଂ ମିଶନ ଶକ୍ତି ଏମବିକେମାନଙ୍କ ମାର୍ଗଦର୍ଶନରେ ଅଂଶଗ୍ରହଣ କରିଥିବା ଅନେକ ତାଲିମ ଶିବିରମାଧ୍ୟମରେ ହିଁ ଲୁସା ସାମୂହିକ ଉଦ୍ୟୋଗିତାର ଶକ୍ତିର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିପାରିଥିଲେ। କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF)ରୁ ୨୦,୦୦୦ ଟଙ୍କାର ଋଣ ନେଇ ସେ ଶୁଖୁଆ ବିକ୍ରି କରି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଗାଁ ହାଟରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ କଠିନ ପରିଶ୍ରମ ଓ ଯୋଜନାବଦ୍ଧ ପ୍ରୟାସ ଫଳରେ ସମୟାନୁକ୍ରମେ ଲାଭଜନକ ହୋଇଥିଲା।
ପ୍ରାରମ୍ଭିକ ଲାଭରେ ଉତ୍ସାହିତ ହୋଇ ଲୁସା ନିଜ କାର୍ଯ୍ୟକ୍ଷେତ୍ରକୁ ଆହୁରି ବିସ୍ତାରିତ କରିଥିଲେ। ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅତିରିକ୍ତ ୩୦,୦୦୦ ଟଙ୍କା ବ୍ୟାଙ୍କ ଋଣ ନେଇ ସେ ଲଙ୍କା ଚାଷ ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ, ତାଙ୍କର ପ୍ରଥମ ଫସଲରୁ ହିଁ ୬୦,୦୦୦ରୁ ୭୦,୦୦୦ ଟଙ୍କା ଆୟ ହୋଇଥିଲା। ଏହି ସଫଳତା ତାଙ୍କୁ ଆହୁରି ଅଧିକ କାମ କରିବାକୁ ପ୍ରେରଣା ଯୋଗାଇଥିଲା। ଲୁସା ନିଜ ଚାଷ ଜମିରେ ବାଇଗଣ, ଭେଣ୍ଡି ଏବଂ ଜହ୍ନି ଚାଷ ଆରମ୍ଭ କରିଥିଲେ। ତାଙ୍କର କଠିନ ପରିଶ୍ରମ ଓ ବ୍ୟବସାୟିକ ବୁଦ୍ଧିମତ୍ତା ଫଳରେ ତାଙ୍କ ଆୟ ବୃଦ୍ଧି ପାଇଥିଲା।
ଲୁସାଙ୍କ ସଫଳତାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଦିଗ ହେଉଛି ତାଙ୍କର ବ୍ୟବସାୟିକ ବିବିଧତା। କୃଷି ବ୍ୟତୀତ ସେ ଏକ ତେଜରାତି ଦୋକାନ, ଷ୍ଟେସନାରୀ ଦୋକାନ ଏବଂ ଏକ ପୋଷାକ ଦୋକାନ ମଧ୍ୟ ଚଳାଉଛନ୍ତି। ଏହି ସମସ୍ତ ଉଦ୍ୟୋଗରୁ ତାଙ୍କର ବାର୍ଷିକ ଆୟ ୧୨.୫୫ ଲକ୍ଷ ଟଙ୍କା ଅତିକ୍ରମ କରିଛି, ଯାହା ତାଙ୍କୁ ଓଡ଼ିଶାର ସର୍ବାଧିକ ଆୟକାରୀ ଲକ୍ଷପତି ଦିଦିମାନଙ୍କ ମଧ୍ୟରୁ ଜଣେ କରିଛି।
“ବଡ଼ ସ୍ୱପ୍ନ ଦେଖିବା ପାଇଁ ଛୋଟ ପଦକ୍ଷେପ ନେବା”ର ନାରାରେ ନୂତନ ଏସଏଚଜି ସଦସ୍ୟାମାନଙ୍କୁ ସେ ବ୍ୟବସାୟ ପାଇଁ ” ଉତ୍ସାହିତ କରୁଛନ୍ତି। ନିଜର ବ୍ୟସ୍ତବହୁଳ ଦିନରୁ ସମୟ କାଢି ଲୁସା ସର୍ବଦା ନିଜ ଗାଁର ଅନ୍ୟ ମହିଳାମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି।
ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରୁ ସମ୍ମାନ ଫଳକ ଗ୍ରହଣ କରିବାର ମୁହୂର୍ତ୍ତ ଲୁସାଙ୍କ ଜୀବନର ସର୍ବୋଚ୍ଚ ସଫଳତା ଥିଲା। ଏହି ଘଟଣା ସାରା ଦେଶରେ ପ୍ରସାରିତ ହୋଇଥିଲା ଏବଂ ଏହା କେବଳ ଲୁସାଙ୍କ ବ୍ୟକ୍ତିଗତ ବିଜୟ ନଥିଲା, ବରଂ ଏହା ଥିଲା: ତୃଣମୂଳ ସ୍ତରରେ ପରିବର୍ତ୍ତନର ବିଜୟ, ଏକ ବିକଶିତ ଭାରତ ଏବଂ ଓଡ଼ିଶାର ପ୍ରତୀକ, ମହିଳା ସଶକ୍ତିକରଣର ଜୀବନ୍ତ ଉଦାହରଣ ଏବଂ ଏକ ପ୍ରେରଣାଦାୟୀ ବାର୍ତ୍ତା।
ଲୁସାଙ୍କ ଜୀବନ କାହାଣୀ ପ୍ରମାଣିତ କରେ ଯେ ସଠିକ୍ ମାର୍ଗଦର୍ଶନ, ସରକାରୀ ସହାୟତା ଏବଂ ଅଦମ୍ୟ ଇଚ୍ଛାଶକ୍ତି ଥିଲେ କେହି ମଧ୍ୟ ସଫଳତାର ଶିଖରରେ ପହଞ୍ଚିପାରିବେ। ତାଙ୍କର ଏହି ଯାତ୍ରା ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଇଚ୍ଛୁକ ଥିବା ସାରା ଓଡ଼ିଶାର ଲକ୍ଷାଧିକ ମହିଳାଙ୍କ ପାଇଁ ଏକ ଆଦର୍ଶ। ସଠିକ୍ ମଞ୍ଚ ପାଇଲେ ଗୋଟିଏ ଆଦିବାସୀ ଗାଁର ମହିଳା କିପରି ଜାତୀୟ ଗର୍ବର ପ୍ରତୀକ ହୋଇପାରିବେ, ଲୁସା ଗନିକଙ୍କ ସଫଳତା ଏହାର ଏକ ସ୍ମାରକ।
Comments are closed.