Latest Odisha News

BREAKING NEWS

ବିଦାୟ ନେଲା କାର୍ଗିଲ ଯୁଦ୍ଧର ‘ବାହାଦୂର’; ମିଗ୍-୨୭ର କିଛି ରୋଚକ କଥା ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ବାହାଦୂର ଲଢୁଆ ଯୁଦ୍ଧ ବିମାନ ମିଗ୍-୨୭ । ୧୯୯୯ କାର୍ଗିଲ ଯୁଦ୍ଧରେ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜିଠାରୁ ମିଗ୍-୨୭ ବିମାନ କାର୍ଯ୍ୟମୁକ୍ତ ହୋଇଛି, ଅର୍ଥାତ୍ ଆଉ ଭାରତୀୟ ବାୟୁ ସେନାରେ ମିଗ୍-୨୭ ଯୁଦ୍ଧ ବିମାନକୁ ଦେଖିବାକୁ ମିଳିବନାହିଁ । ଆସନ୍ତୁ ଏହି ଲଘୁଆ ବିମାନ ସମ୍ପର୍କରେ ଅଧିକ ଜାଣିବା ।

ମିଗ୍-୨୭ର ପରିଚୟ

ମିଗ୍-୨୭ ମୁଖ୍ୟତଃ ଏକ ଲଢୁଆ ଯୁଦ୍ଧ ବିମାନ । ସୋଭିଏତ ରୁଷର ମିକୋୟନା-ଗୁରବିଚ୍ ବ୍ୟୁରୋ ଦ୍ୱାରା ଏହାର ଡିଜାଇନ ଏବଂ ନିର୍ମାଣ ହୋଇଥିଲା । ୮୦ ଓ ୯୦ ଦଶକରେ ଏହାକୁ ସାରା ବିଶ୍ୱରେ ପ୍ରମୁଖ ଫାଇଟର ଜେଟ୍ ଭାବରେ ଗଣାଯାଉଥିଲା । ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ହାଲ୍ ଦ୍ୱାରା ଏହାର ନିର୍ମାଣ କରାଗଲା । ମିଗ୍-୨୭ ଶୈଳୀରେ ଭାରତରେ ନିର୍ମାଣ ହୋଇଥିବା ବିମାନର ନାଁ ରଖାଯାଇଥିଲା ‘ବାହାଦୂର’ । ହାଲ୍ ପକ୍ଷରୁ ମୋଟ୍ ୧୬୭ଟି ‘ବାହାଦୂର’ ଯୁଦ୍ଧ ବିମାନ ନିର୍ମାଣ କରାଯାଇଥିଲା । ଏଥି ମଧ୍ୟରେ ୮୬ଟି ମିଗ୍-୨୭ର ଆଧୁନିକୀକରଣ କରାଯାଇଥିଲା । ୮୦ ଦଶକରେ ଏହିସବୁ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ।

ମିଗ୍-୨୭ର ଦକ୍ଷତା

ମିଗ୍-୨୭ ହେଉଛି ସ୍ୱିଙ୍ଗ ୱିଙ୍ଗ ଲଢୁଆ ଯୁଦ୍ଧ ବିମାନ । ଏହି ବିମାନର ୱିଙ୍ଗକୁ ଆଗରେ ଏବଂ ପଛରେ ସେଟ୍ କରାଯାଇଥାଏ, ଫଳରେ ଆବଶ୍ୟକତା ଅନୁସାରେ ବିମାନର ଗତି କମ୍ ବେଶୀ କରିହୁଏ । ଖାସ୍ ଏହି କ୍ଷମତା ପାଇଁ ରୁଷ୍ ଠାରୁ ଭାରତ ଏହି ବିମାନ କିଣିଥିଲା । ଏହି ବିମାନରେ ଏକାଥରକେ ୪ ହଜାର କିଲୋଗ୍ରାମର ଯୁଦ୍ଧ ସାମଗ୍ରୀ ପରିବହନ କରାଯାଇଥାଏ ।

ଗ୍ରାଉଣ୍ଡ ଆଟାକ୍ କ୍ଷମତା

ଏହା ଆକାଶରେ କମ୍ ଉଚ୍ଚତାରେ ଥାଇ ସ୍ଥଳ ଭାଗକୁ ଆକ୍ରମଣ କରିବାରେ ସକ୍ଷମ । ସ୍ଥଳ ଭାଗରେ ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରିବା ଏବଂ ଲକ୍ଷ୍ୟଭେଦ କରିବା ପାଇଁ ଏଥିରେ ସ୍ୱତନ୍ତ୍ର ସେନସର ଏବଂ ନେଭିଗେସନ ସିଷ୍ଟମ ରହିଛି । ଏହା ଘଣ୍ଟା ପ୍ରତି ୧୮୦୦ କିଲୋମିଟର ବେଗରେ ଗତି କରିପାରେ ।
ପାଇଲଟ୍ ଫ୍ରେଣ୍ଡଲି
ମିଗ୍-୨୭ ବିମାନ ପାଇଲଟ ଫ୍ରେଣ୍ଡଲି ଥିଲା । ଏହାର ନୋଜକୁ ଏପରି ନିର୍ମାଣ କରାଯାଇଥିଲା, ଯେପରି କି କକ୍ପିଟ୍ ଆଗରେ ପାଇଲଟ୍ ବହୁତ ଅଞ୍ଚଳ ଦେଖିପାରିବେ ।

କାର୍ଗିଲ ଯୁଦ୍ଧର ମୁଖ୍ୟ ନାୟକ

ମିଗ୍-୨୭ ଯୁଦ୍ଧ ବିମାନର କାର୍ଗିଲ ଯୁଦ୍ଧରେ ମୁଖ୍ୟ ଭୂମିକା ରହିଥିଲା । ପାହାଡର ଶୀର୍ଷରେ ଲୁଚି ରହିଥିବା ପାକ୍ ସୈନ୍ୟମାନଙ୍କୁ ଏହି ମିଗ୍-୨୭ରୁ ଜୋରଦାର ହମ୍ଲା କରାଯାଇଥିଲା । ପ୍ରାୟ ୩୦ ବର୍ଷ ଧରି ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିବା ଏହି ଫାଇଟର ଜେଟ୍ ଅନେକ ଅନ୍ତର୍ଜାତୀୟ ଯୁଦ୍ଧାଭ୍ୟାସରେ ସାମିଲ ହୋଇ ତାର ପରାକ୍ରମ ଦେଖାଇଥିଲା ।

କାର୍ଯ୍ୟମୁକ୍ତ ହେବାର କାରଣ

ଯଦିଓ ମିଗ୍-୨୭ ଯୁଦ୍ଧ ବିମାନର ଅନେକ ସଫଳତା ରହିଛି, ତେବେ ଏହା ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାର ବଦନାମ୍ ମଧ୍ୟ ମୁଣ୍ଡାଇଛି । ଇଞ୍ଜିନରେ ତ୍ରୁଟି ଯୋଗୁଁ ଏହା ଅନେକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ଇଞ୍ଜିନର ଅପଗ୍ରେଡେସନ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲା, ହେଲେ ସେଥିରେ କୌଣସି ସୁଦ୍ଧାର ଆସିନଥିଲା । ତିନି ବର୍ଷ ପୂର୍ବରୁ ଏହାକୁ ସେବାମୁକ୍ତ କରିବା ପାଇଁ ଚିନ୍ତା କରାଯାଉଥିଲା, କିନ୍ତୁ ଏହାର ବିକଳ୍ପ ନଥିବାରୁ ବିଦାୟ ଦିଆଯାଇପାରୁନଥିଲା ।

Leave A Reply

Your email address will not be published.