Latest Odisha News

BREAKING NEWS

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା ନେଇ ମୁହଁ ଖୋଲିଲେ ସୋଏବ୍ ଅଖତାର୍

କରାଚି: ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନ ଜନସାଧାରଣ ପାକିସ୍ତାନରେ ନିର୍ଯାତିତ ହେଉଥିବାର ଖବର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ହିନ୍ଦୁ ମନ୍ଦିର ଏବଂ ଖ୍ରୀଷ୍ଟିଆନଙ୍କ ଅନେକ ଚର୍ଚ୍ଚ ଆଜି ପର୍ଯ୍ୟନ୍ତ ଖୋଲିବାକୁ ସ୍ଥାନୀୟ ମୌଳବାଦୀ ମୁସଲମାନମାନେ ବାଧା ସୃଷ୍ଟି କରୁଛନ୍ତି । ଏହି ଖବର ଏବେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି ।

ତେବେ ଜଣେ ପାକିସ୍ତାନ କ୍ରିକେଟ ଦଳର ଜଣେ ବିଶ୍ୱସ୍ତରୀୟ ହିନ୍ଦୁ ଖେଳାଳି କିପରି ଏହି ନିର୍ଯାତନାରୁ ବାଦ ପଡ଼ିନାହାନ୍ତି ଏହାର ଗୁମର ଖୋଲିଛନ୍ତି ବିଶ୍ୱ ବିଖ୍ୟାତ ପାକିସ୍ତାନୀ ଫାଷ୍ଟ ବୋଲର୍ ସୋଏବ୍ ଅଖତାର୍ ।

ପାକିସ୍ତାନ ଜାତୀୟ ଦଳର ଜଣେ ପ୍ରମୁଖ ସ୍ପିନର୍ ଭାବେ ବିଶ୍ୱ କ୍ରିକେଟରେ ପ୍ରସିଦ୍ଧି ଲାଭ କରିପାରିଥିଲେ ଡାନିସ୍ କାନେରିଆ । ସେ ହିନ୍ଦୁ ଧର୍ମାବଲମ୍ବୀ ଖେଳାଳି । ଡାନିଶ୍ ୨୦୦୦ ମସିହାରେ ପାକିସ୍ତାନ ଲାଗି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଡାନିସ୍ ପାକିସ୍ତାନକୁ ଅନେକ ମ୍ୟାଚ ଜିତାଇବା ସହିତ ଦଳକୁ ଅନେକ ଟୁର୍ଣ୍ଣାମେଣ୍ଟ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେ ଜଣେ ହିନ୍ଦୁ ଖେଳାଳି ହୋଇଥିବାରୁ ପାକିସ୍ତାନ ଦଳର ଅନ୍ୟ ସମସ୍ତ ପ୍ରାୟ ଖେଳାଳି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାର ଖୁଲାସା କରିଛନ୍ତି ସାଥି ଖେଳାଳି ସୋଏବ୍ ଅଖତାର୍ । ତାଙ୍କୁ ଅନ୍ୟ ମୁସଲମାନ ଖେଳାଳିମାନେ ଖାଇବା ଟେବୁଲରେ ବସାଇ ଦିଅନ୍ତି ନାହିଁ । ସେ ହିନ୍ଦୁ ହୋଇଥିବାରୁ ତାଙ୍କ ସହିତ ଅନ୍ୟ ଖେଳାଳିମାନେ ଖରାପ ଆଚରଣ ମଧ୍ୟ କରିଥାଆନ୍ତି ବୋଲି ସୋଏବ୍ ଏକ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିଛନ୍ତି ।

ଏହି ଖବରକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଛି । ଡାନିସଙ୍କୁ ଏକ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଦଳରୁ ବାହାର କରିଦିଆଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, ଡାନିସ ପାକିସ୍ତାନ ଲାଗି ୬୧ଟି ମ୍ୟାଚ ଖେଳି ୨୬୧ଟି ୱିକେଟ ଅକ୍ତିଆର କରିଛନ୍ତି । ସବୁଠାରୁ ବଡ଼କଥା ହେଲା ପାକିସ୍ତାନ କ୍ରିକେଟ ଇତିହାସର ସବୁଠାରୁ ସଫଳତମ ସ୍ପିନର୍ ଭାବେ ବିବେଚିତ ହୁଅନ୍ତି ଡାନିସ୍ । ଶ୍ରେଷ୍ଠ ସ୍ପିନର୍ କୁହାଯାଉଥିବା ଅବଦୁଲ୍ କାଦିର ୨୩୬ଟି, ସାକଲିନ୍ ମୁସ୍ତାକ ୨୦୮ଟି, ମୁସ୍ତାକ ଅହମ୍ମଦ ୧୮୫ଟି ୱିକେଟ ନେଇଥିବା ବେଳେ ଡାନିସ୍ କାନେରିଆ ଜଣେ ସ୍ପିନର୍ ଭାବେ ୨୬୧ଟି ୱିକେଟ୍ ହାସଲ କରି ପାକିସ୍ତାନକୁ ଗୌରବାନ୍ୱିତ କରିପାରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଡାନିସଙ୍କ ପରି ଆଉଜଣେ ପାକିସ୍ତାନୀ ସଂଖ୍ୟାଲଘୁ ଖେଳାଳି ୟୁସୁଫ୍ ୟୋହାନା ମଧ୍ୟ ନିର୍ଯାତିତ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ୟୁସଫ ଜଣେ ଖ୍ରିଷ୍ଟିଆନ ଖେଳାଳି ଥିଲେ । ତାଙ୍କୁ ଦଳରୁ ବାହାର କରିଦେବାକୁ ଧମକ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୟୁସୁଫ ୟୋହାନା ଧର୍ମ ପରିବର୍ତ୍ତନ କରି ମହମ୍ମଦ ୟୁସୁଫ ଭାବେ ପରିଚିତ ହୋଇ ପାକିସ୍ତାନ ଲାଗି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.