ନୂଆଦିଲ୍ଲୀ: ହାରିବା ପରେ ବି ବଦଳୁନି ପାକିସ୍ତାନ । ଦେଶର ସେନା ମୁଖ୍ୟ ଅସିମ ମୁନିର ପୁଣି ଜାମ୍ମୁ କାଶ୍ମୀରକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରିଛନ୍ତି । କାଶ୍ମୀରରେ ଆତଙ୍କବାଦକୁ ବୈଧ ସଂଘର୍ଷ କହିବା ସହ ଏହା ସମର୍ଥନରେ ସବୁବେଳେ ପାକିସ୍ତାନ ଠିଆ ହୋଇଥିବା ମୁନିର କହିଛନ୍ତି । ଏପ୍ରିଲ ୧୭ତାରିଖରେ ଦୁଇ ରାଷ୍ଟ୍ର ଥିଓରୀ ଓ ହିନ୍ଦୁଙ୍କ ବିରୋଧରେ ଉସୁକାଇବା ଭଳି ବୟାନ ଦେଇଥିଲେ ମୁନିର । ଏହାର ୫ଦିନ ପରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଧର୍ମ ପଚାରି ୨୬ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ ଆତଙ୍କୀ । ଜବାବରେ ଅପରେସନ୍ ସିନ୍ଦୂର କରିଥିଲା ଭାରତ । ଏବେ ପୁଣି ମୁନିରଙ୍କ ବିବାଦୀୟ ବୟାନ ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି ।
ଏଥର କ’ଣ କହିଲେ ମୁନିର?
କରାଚୀରେ ଥିବା ପାକିସ୍ତାନ ନୌସେନା ଏକାଡେମୀର ପାସିଂ ଆଉଟ୍ ସମାରୋହରେ ସମ୍ବୋଧନ କରି ପୁଣି ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର । କହିଛନ୍ତି, ଭାରତ ଯାହାକୁ ଆତଙ୍କବାଦ କହୁଛି, ତାହା ବାସ୍ତବରେ ସ୍ବତନ୍ତ୍ରତା ପାଇଁ ଏକ ବୈଧ ସଂଘର୍ଷ । ସେହିପରି ଅପରେସନ୍ ସିନ୍ଦୂରକୁ ଇସାରା କରି ଯେଉଁମାନେ କାଶ୍ମିରୀ ଲୋକଙ୍କ ଇଚ୍ଛାକୁ ଦବାଇ ସମାଧାନ ବଦଳରେ ସଂଘର୍ଷ ଶେଷ କରିବାକୁ ଉଦ୍ୟମ କରିଛନ୍ତି, ସେମାନେ ଆନ୍ଦୋଳନକୁ ଆହୁରି ପ୍ରାସଙ୍ଗିକ କରିଥିବା ମୁନିର କହିଛନ୍ତି । ମୁନିରଙ୍କ ଏହି ବୟାନରୁ ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଛି ।
ପୁଣି ଉସୁକାଉଛନ୍ତି କି ମୁନିର !
ଏପ୍ରିଲ ୧୭ତାରିଖରେ କାଶ୍ମୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଅସିମ ମୁନିର । କାଶ୍ମୀରକୁ ପାକିସ୍ତାନର ଗଳାର ଶିରା କହିଥିଲେ । ମୁନିରଙ୍କ ଏହି ବୟାନ ପରେ ପହଲଗାମ ଆକ୍ରମଣ ହୋଇଥିଲା । ତେଣୁ ପ୍ରଶ୍ନ ଉଠୁଛି, ପୁଣି କାଶ୍ମୀରକୁ ନେଇ ବୟାନ ଦେଇ ପୁଣି ଆତଙ୍କବାଦୀ ସଂଗଠନକୁ ଉସୁକାଉଛନ୍ତି କି ମୁନିର? ତାଙ୍କ ବୟାନରୁ ଆତଙ୍କବାଦକୁ ପାକିସ୍ତାନୀ ସେନା ଓ ଆଇଏସଆଇର ସଂରକ୍ଷଣ ସ୍ପଷ୍ଟ ହୋଇଛି । ଏଭଳି ବୟାନ ଲସ୍କର-ଏ-ତୋଏବା ଓ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହିତ କରିବ, ଯେଉଁମାନେ ପୂର୍ବରୁ ଭାରତରେ ଆତଙ୍କୀ କାର୍ଯ୍ୟକଳାପ ଭିଆଇଛନ୍ତି । ଅପରେସନ୍ ସିନ୍ଦୂରରେ ନଷ୍ଟ ହୋଇଥିବା ଆତଙ୍କୀ ଶିବିରକୁ ପୁଣି ସକ୍ରିୟ କରିବାକୁ ପାକିସ୍ତାନ ଉଦ୍ୟମ କରୁଥିବା ନେଇ ନିକଟରେ ରିପୋର୍ଟ ଆସିଥିଲା ।
ପାକିସ୍ତାନର ରଣନୀତି କ’ଣ?
କାଶ୍ମୀରକୁ ନେଇ ବାରମ୍ବାର ବୟାନ ଦେବା ସହ ଏହାକୁ ଜାତିସଂଘରେ ବିବାଦୀୟ କରିବା ପାକିସ୍ତାନ ରଣନୀତିର ଅଂଶବିଶେଷ । ଲକ୍ଷ୍ୟ, ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗକୁ ଜୀବିତ ରଖିବା । ଏପରିକି ଅପରେସନ୍ ସିନ୍ଦୂର ପାଇଁ କାଶ୍ମୀର ପ୍ରସଙ୍ଗ ପୁଣି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିବା ପାକିସ୍ତାନ ମନେ କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବୟାନବାଜି ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଚର୍ଚ୍ଚାକୁ ଆଣିଛି । ଏଥିରୁ ଫାଇଦା ଉଠାଇବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର । ସେହିପରି ଆଭ୍ୟନ୍ତରୀଣ ସଂକଟ ସହ ଯୁଝୁଥିବା ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛି ।
ହେବ କି ଅପରେସନ୍ ସିନ୍ଦୂର-୨ !
ପହଲଗାମ ଆକ୍ରମଣ ପରେ ଅପରେସନ୍ ସିନ୍ଦୂର ଦ୍ବାରା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଦେଖାଇଥିଲା ଭାରତ । ଭବିଷ୍ୟତରେ ବି କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ଏହାକୁ ଯୁଦ୍ଧର କାର୍ଯ୍ୟାନୁଷ୍ଠାନ ମନେ କରାଯିବ ବୋଲି ସ୍ପଷ୍ଟ କରିଥିଲା ଭାରତ । ମେ ୧୦ତାରିଖରେ ପାକିସ୍ତାନ କହିବା ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା । ତେବେ ଏବେବି ଅପରେସନ୍ ସିନ୍ଦୂର ଶେଷ ହୋଇନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ । ଭାରତର ସନ୍ଦେଶ ସ୍ପଷ୍ଟ, ଯଦି ଭାରତ ମାଟିରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଜବାବରେ ଅପରେସନ୍ ସିନ୍ଦୂର-୨ ପୁଣି ଆରମ୍ଭ ହୋଇଯିବ । ତେଣୁ ଯଦି ଅସିମ ମୁନିର ପୁଣି ଭାରତ ବିରୋଧରେ ଆତଙ୍କୀ ଷଡ଼ଯନ୍ତ୍ର ପାଇଁ ମନ ବଳାଇବେ ତେବେ ଭାରତର ପ୍ରଚଣ୍ଡ ପ୍ରହାର ପାଇଁ ପ୍ରସ୍ତୁତ ରହିବ ପାକିସ୍ତାନ ।
Comments are closed.