Latest Odisha News

BREAKING NEWS

ପାକିସ୍ତାନରେ ଆତଙ୍କୀ ଠିକଣା

ନୂଆଦିଲ୍ଲୀ: ଆତଙ୍କବାଦ ଲିଙ୍କକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛି ପାକିସ୍ତାନ । ଲମ୍ବା ସମୟ ଧରି ଆଫଗାନିସ୍ତାନରେ ତାଲିବାନ ଓ ଭାରତର ଜାମ୍ମୁ କାଶ୍ମୀରରେ ଆତଙ୍କୀ ସଂଗଠନକୁ ସମର୍ଥନ ଦେଇ ଆସୁଛି । ଆତଙ୍କୀ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦେଇ ଆସୁଛନ୍ତି ପାକିସ୍ତାନୀ ସେନା ଓ ଆଇଏସଆଇ । ତେବେ ଏହା କେବଳ ଭାରତ ଓ ଆଫଗାନିସ୍ତାନ ପାଇଁ ବିପଦ ନୁହେଁ ବରଂ ପାକିସ୍ତାନର ସ୍ଥିରତା ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ପାକିସ୍ତାନ କେବଳ ହାଫିଜ ସୟିଦ ନୁହେଁ ଭିନ୍ନ ଭିନ୍ନ ଆତଙ୍କବାଦୀ ସଂଗଠନର ନେତାଙ୍କ ଠିକଣା ପାଲଟିଛି । ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ପରି ଆତଙ୍କୀ ସଂଗଠନ ଆଇଏସଆଇର ସହଯୋଗରେ ଭାରତ ଓ ଆଫଗାନିସ୍ତାନରେ ଆତଙ୍କ ଖେଳାଉଛନ୍ତି ।

ପାକିସ୍ତାନ ଓ ଆତଙ୍କବାଦର ଇତିହାସ

ପାକିସ୍ତାନ ୧୯୮୦ ଦଶକରେ ଆଫଗାନିସ୍ତାନରେ ସୋଭିଏତ୍ ସେନା ବିରୋଧରେ ମୁଜାହିଦ୍ଦିନକୁ ସମର୍ଥନ କରିଥିଲା । ପରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢାଇଥିଲା । ୯/୧୧ ଆକ୍ରମଣ ପରେ ଆମେରିକା ଚାପରେ ପାକିସ୍ତାନ ନିଜ ନୀତିରେ ପରିବର୍ତ୍ତନ କରିଥିଲା । ଆତଙ୍କବାଦ ବିରୋଧୀ ଯୁଦ୍ଧରେ ସାମିଲ ହୋଇଥିଲା । ହେଲେ ଏହି ପରିବର୍ତ୍ତନ ଅସ୍ଥାୟୀ ଓ ଆର୍ଥିକ ଲାଭ ପାଇଁ ଥିଲା । କାଶ୍ମୀରରେ ଭାରତ ବିରୋଧରେ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନକୁ ସମର୍ଥନ ଜାରି ରଖିଥିଲା ପାକିସ୍ତାନ ସେନା ଓ ଆଇଏସଆଇ । ଏହାସହ ଆଫଗାନ ତାଲିବାନ, ହକ୍କାନି ନେଟଓ୍ବର୍କ ଓ ଅଲକାଏଦା ପରି ସଂଗଠନକୁ ଶରଣ ଦେଇ ଆତଙ୍କବାଦର କେନ୍ଦ୍ର ପାଲଟିଥିଲା ପାକିସ୍ତାନ ।

ପାକିସ୍ତାନରେ ଆତଙ୍କୀ ଠିକଣା

ପାକିସ୍ତାନରେ ଭିନ୍ନ ଭିନ୍ନ ବିଚାରଧାରାର ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି । ଅଲକାଏଦା ଅଣପାକିସ୍ତାନୀ ଆତଙ୍କବାଦୀଙ୍କ ସଂଗଠନ ହୋଇଥିଲେ ମଧ୍ୟ ଏହା ତାଲିବାନ, ଏଲଇଟି, ଜେଇଏମ୍ ପରି ସ୍ଥାନୀୟ ସଂଗଠନ ସହ ମିଶି କାମ କରୁଛି। ସେହିପରି ପାକିସ୍ତାନରେ ଉଭୟ ଆଫଗାନୀ ତାଲିବାନ ଓ ପାକିସ୍ତାନୀ ତାଲିବାନ ସକ୍ରିୟ ରହିଛନ୍ତି । ଜମାତ-ଏ-ଇସଲାମୀ ହେଉ କି ହିଜବୁଲ ମୁଜାହିଦ୍ଦିନ, ପାକିସ୍ତାନରେ ରହିଛି ଆତଙ୍କୀ ଠିକଣା । ସେହିପରି ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ପରି ସଂଗଠନ ଭାରତରେ ଆତଙ୍କୀ କାଣ୍ଡ ଭିଆଇଛନ୍ତି । ୨୦୧୪ରେ ପାକିସ୍ତାନରେ ନିଜ ଉପସ୍ଥିତି ବଢାଇଥିଲା ଆଇଏସଆଇଏସ୍ । ହାଫିଜ ସୟିଦ ସହ ୧୨ ଅନ୍ୟ ଆତଙ୍କବାଦୀ ସଂଗଠନର ମୁଖିଆ ପାକିସ୍ତାନରେ ରହୁଛନ୍ତି । ଜୈସ-ଏ-ମହମ୍ମଦ ମୁଖ୍ୟ ମୌଲାନା ମସୁଦ ଅଜହର, ଲସ୍କର-ଏ-ତୋଏବାର ଜକିଉର ରହମାନ ଲଖଓ୍ବୀ, ସାଜିଦ ମୀର, ହିଜବୁଲ ମୁଜାହିଦ୍ଦିନର ସୟଦ ସଲାହୁଦ୍ଦିନ, ଜମାତ ଉଦ ଦାବାର ଅବଦୁଲ ରହମାନ ମକ୍କି , ଅଲକାଏଦା ଇନ୍ ଇଣ୍ଡିଆନ ସବକଣ୍ଟିନେଣ୍ଟ ମୁଖ୍ୟ ଆସିର ଉମର, ହକ୍କାନୀ ନେଟଓ୍ବର୍କର ସିରାଜଉଦ୍ଦିନ ହକ୍କାନୀ ସହ ଆଫଗାନି ତାଲିବାନ ମୁଖ୍ୟ ମୁଲ୍ଲା ଉମର ପାକିସ୍ତାନରେ ଥିବା ଜଣାପଡିଛି ।

ପାକିସ୍ତାନୀ ସେନା ଓ ଆଇଏସଆଇ ଭୂମିକା

ପାକିସ୍ତାନୀ ସେନା ଓ ଆଇଏସଆଇ ଆତଙ୍କବାଦୀ ସଂଗଠନକୁ ଅର୍ଥ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ ସାଙ୍ଗକୁ ରଣନୈତିକ ସହାୟତା ଯୋଗାଇ ଆସୁଛି । ଆଇଏସଆଇ ହକ୍କାନୀ ନେଟଓ୍ବର୍କ, ଆଫଗାନ ତାଲିବାନ ଓ କାଶ୍ମୀରର ଆତଙ୍କୀ ସଂଗଠନକୁ ଶରଣ ଦେଇଥିଲା । ୨୦୧୧ରେ ଆମେରିକା ସେନା ପାକିସ୍ତାନର ଏବୋଟାବାଦରେ ଓସାମା ବିନ ଲାଦେନକୁ ମାରିବା ପରେ ଆଇଏସଆଇର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ପାକ୍ ଅଧିକୃତ କାଶ୍ମୀରରେ ଶହେରୁ ଅଧିକ ପ୍ରଶିକ୍ଷଣ ଶିବିର ରହିଛି । ଆଇଏସଆଇ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ବାର୍ଷିକ ପ୍ରାୟ ୨୫୦ ମିଲିୟନ ଡଲାର ସହାୟତା ପ୍ରଦାନ କରେ ।

ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ନିଜ ପାଇଁ ବଡ଼ ବିପଦ ଆମନ୍ତ୍ରଣ କରିଛି ପାକିସ୍ତାନ । ବିଶେଷ କରି ଦେଶର ଏଫଏଟିଏ କ୍ଷେତ୍ର ଆତଙ୍କବାଦୀଙ୍କ ଗଡ଼ ପାଲଟିଛି । ସେଠାରେ ତାଲିବାନ, ଅଲକାଏଦା ଓ ଆଇଏସଆଇଏସ ସକ୍ରିୟ ରହିଛନ୍ତି । ଟିଟିପି ପକ୍ଷରୁ ପାକିସ୍ତାନରେ ଅନେକ ଆକ୍ରମଣ କରାଯାଇଛି । ଏହା ମଧ୍ୟରୁ ୨୦୦୭ରେ ବେନଜିର ଭୁଟ୍ଟୋଙ୍କ ହତ୍ୟା ଓ ୨୦୧୪ ପେଶାଓ୍ବର ସ୍କୁଲ ଆକ୍ରମଣ ଅନ୍ୟତମ । ଆତଙ୍କବାଦ ପାକିସ୍ତାନର ଅର୍ଥବ୍ୟବସ୍ଥା ଓ ସାମାଜିକ ଢାଞ୍ଚାକୁ ଦୁର୍ବଳ କରିଛି । ତେବେ ଦେଶରେ ଧାର୍ମିକ କଟ୍ଟରତା ଆତଙ୍କବାଦର ମୁଖ୍ୟ କାରଣ । ଅଧିକାଂଶ ଆତଙ୍କୀ ସଂଗଠନ ଜିହାଦକୁ ପ୍ରୋତ୍ସାହନ ଦେଉଛନ୍ତି । ଆଇଏସଆଇ ଓ ସେନାର ନୀତି ସ୍ଥିତିକୁ ଆହୁରି ଜଟିଳ କରିଛି ।

Comments are closed.