Latest Odisha News

BREAKING NEWS

ମେଟ୍ରୋରେ ମଣିଷ ପରି ଯାତ୍ରା କଲେ ୪୧ ରୋବୋଟ୍, ଡରି ଗଲେ ଲୋକେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ରୋବୋଟ୍‌ମାନେ ବିଭିନ୍ନ ପ୍ରକାରର କାମରେ ନିୟୋଜିତ ହୋଇଛନ୍ତି। କାରଖାନାରୁ ଆରମ୍ଭ କରି ଅସ୍ତ୍ରୋପଚାର ପର୍ଯ୍ୟନ୍ତ ରୋବୋଟ୍‌ମାନେ ଅନେକ କାମ କରୁଛନ୍ତି। କିନ୍ତୁ ରୋବୋଟ୍‌ମାନେ ନିଜେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରି ଦୋକାନକୁ ସାମଗ୍ରୀ ପହଞ୍ଚାଉଥିବା ଦୃଶ୍ୟ ବୋଧହୁଏ କେହି ଦେଖି ନଥିବେ। ଏବେ ଚୀନରେ ଏପରି କାର୍ଯ୍ୟକୁ ସମ୍ଭବ କରାଯାଇଛି। ଦକ୍ଷିଣ ଚୀନର ମହାନଗର ଶେନଜେନରେ ଗତ ସୋମବାର ମେଟ୍ରୋ ଟ୍ରେନ୍‌ରେ ରୋବୋଟ୍‌ମାନଙ୍କର ଏକ ଦଳ ଯାତ୍ରା କରିବାକୁ ପହଞ୍ଚିବାରୁ ଲୋକଙ୍କ କୌତୁହଳ ଚରମ ସୀମାରେ ପହଞ୍ଚିଥିଲା। ସହରର ମେଟ୍ରୋ ଷ୍ଟେସନ ନିକଟରେ ଥିବା ଦୋକାନଗୁଡ଼ିକରେ ସାମଗ୍ରୀ ପୂରଣ କରିବା ପାଇଁ ଡେଲିଭରୀ ରୋବୋଟ୍‌ମାନଙ୍କର ଏକ ଦଳକୁ ନିୟୋଜିତ କରାଯାଇଥିଲା।

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ଅଫ-ପିକ୍ ସମୟରେ ଡଜନ ଡଜନ ଡେଲିଭରୀ ରୋବୋଟ୍ ସମଗ୍ର ମେଟ୍ରୋ ନେଟୱାର୍କରେ ଟ୍ରେନ୍‌ରେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ପ୍ରତ୍ୟେକ ଷ୍ଟେସନରେ ଓହ୍ଲାଇ ସାମଗ୍ରୀ ପହଞ୍ଚାଇବା ପାଇଁ ୭-ଇଲେଭେନ ଷ୍ଟୋର୍‌କୁ ଯାଆନ୍ତି। ଏହି ପ୍ରୋଜେକ୍ଟ ବିଶ୍ୱରେ ଏହ ପ୍ରଥମ। ଏହା ଶେନଜେନରେ ରୋବୋଟ୍‌ର ବ୍ୟବହାରକୁ କାରଖାନାରୁ ସହରୀ ଜୀବନର ଅନ୍ୟ କ୍ଷେତ୍ରକୁ ବିସ୍ତାର କରିବାରେ ଏକ ନୂଆ ପଦକ୍ଷେପ। ପ୍ରାୟ ଏକ ମିଟର ଲମ୍ବା ଏହି ରୋବୋଟ୍‌ଗୁଡ଼ିକ ଚୀନର ପ୍ରୋପର୍ଟି ଦିଗ୍ଗଜ ଭାଙ୍କେର ଏକ ଲଜିଷ୍ଟିକ୍ସ ସହାୟକ କମ୍ପାନୀ ମାଧ୍ୟମରେ ପରିଚାଳିତ ହୁଏ। ଏହି କମ୍ପାନୀର ଶେନଜେନ ମେଟ୍ରୋରେ ଆଂଶିକ ମାଲିକାନା ଅଧିକାର ରହିଛି। ଏହି ରୋବୋଟ୍‌ଗୁଡ଼ିକ ସ୍ୱୟଂଚାଳିତ ଭାବେ ଲିଫ୍ଟରେ ଚଢ଼ିବା, ପ୍ଲାଟଫର୍ମରେ ପ୍ରବେଶ ଓ ବାହାରିବା, ଟ୍ରେନ୍‌ରେ ଚଢ଼ିବା ଏବଂ ସହରର ୭-ଇଲେଭେନ ଷ୍ଟୋର୍‌ଗୁଡ଼ିକୁ ସାମଗ୍ରୀ ପହଞ୍ଚାଇବାରେ ସକ୍ଷମ।

ଷ୍ଟେସନରେ ରୋବୋଟ୍‌ଙ୍କ ହଟଚଟ
ଖବରରୁ ଜଣାଯାଇଛି ଯେ ୪୧ଟି ରୋବୋଟ୍ ପ୍ରଥମ ଦିନରୁ ହିଁ ମେଟ୍ରୋ ଷ୍ଟେସନଗୁଡ଼ିକରେ ହଟଚଟ ସୃଷ୍ଟି କରିଛନ୍ତି। ଯାତ୍ରୀମାନେ ଟ୍ରେନ୍ ଭିତରେ ଧାଡ଼ିରେ ଛିଡ଼ା ହୋଇ ରୋବୋଟ୍‌ଗୁଡ଼ିକର ଫଟୋ ଉଠାଇବା ପାଇଁ ଏକତ୍ରିତ ହୋଇଥିଲେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଶେନଜେନର ମେଟ୍ରୋ ଷ୍ଟେସନଗୁଡ଼ିକରେ ଥିବା ଖୁଚୁରା ଦୋକାନଗୁଡ଼ିକ ପାଇଁ ଦୀର୍ଘ ଦିନରୁ ଚାଲିଆସୁଥିବା ସାମଗ୍ରୀ ପୂରଣର ସମସ୍ୟାର ସମାଧାନ କରିବା।

Comments are closed.