ଅନୁଗୁଳ:ଗତ ମେ ମାସ ୨୪ରେ ଅନୁଗୁଳ ଜିଲ୍ଲା ମେରାମୁଣ୍ଡଳୀ ଅନ୍ତର୍ଗତ ଗଉଡପଶି ଗ୍ରାମ ପୋଖରୀ ବନ୍ଧରେ ଥିବା ଏକ ଖୋଲ ଭିତରେ ଏକ ଅଜଗର ସାପ ଅଣ୍ଡା ଦେଇ ବସାକୁ ଜଗି ରହିଥିଲା । ଗ୍ରାମବାସୀମାନଙ୍କ ନଜରରେ ପଡି ଯିବାରୁ ସେମାନେ ସାପଟିକୁ ସେଇ ସ୍ଥାନରୁ ଅନ୍ୟତ୍ର ନେଇ ଯିବା ପାଇଁ ଅଡି ବସିଥିଲେ । ବାଧ୍ୟ ହୋଇ ଢେଙ୍କାନାଳ ବନଖଣ୍ଡ ତରଫରୁ ସେଦିନ ସନ୍ଧ୍ୟା ବେଳେ ୧୦ ଫୁଟ ଲମ୍ବର ମାଆ ଅଜଗର ସାପଟିକୁ ଉଦ୍ଧାର କରାଯାଇଥିଲା । ମାଆ ଅଜଗର ଏବଂ ତାହାର ୨୦ ଟି ଅଣ୍ଡାକୁ ଢେଙ୍କାନାଳ ରେଞ୍ଜ ଅଫିସ ରେ ଗୋଟିଏ ଦିନ ରଖିବା ପରେ ୨୫ ତାରିଖ ରାତିରେ ଉଦ୍ଧାର ସ୍ଥାନ ଠାରୁ ପରେ ୫ କିମି ଦୂର ନିମିଧା ଆସ୍ ପଣ୍ଡ ନିକଟରେ ଛାଡି ଦିଆ ଯାଇଥିଲା ।
ଏଇଠି ଏକ ଗୁରୁତର ତ୍ରୁଟି ରହି ଯାଇଥିଲା । କାରଣ ଅଣ୍ଡା ଗୁଡିକୁ ଜଙ୍ଗଲ ରେ ଛାଡି ଦେଲେ ଜନ୍ଦା, ପିମ୍ପୁଡି, ନେଉଳ, ଗୋଧି, କୁକୁର, ବିଲୁଆ, କିଛି ପକ୍ଷୀ, ଇତ୍ୟାଦି ପ୍ରାଣୀ ମାନେ ଅଣ୍ଡା ଗୁଡିକୁ ଖାଇ ଦେବାର ଆଶଙ୍କା ମଧ୍ୟ ଥିଲା । ଅଣ୍ଡା ଗୁଡିକ ଡିହାଇଡ୍ରେସନ ହୋଇ ଚେପା ହେଇ ନଷ୍ଟ ହେବା ସହିତ ବର୍ଷା ଯୋଗୁଁ ଫଙ୍ଗସ ଲାଗି ନଷ୍ଟ ହେବାର ଭୟ ମଧ୍ୟ ଥିଲା । ତେବେ ସାପ ଅଣ୍ଡା ଜଙ୍ଗଲରେ ଛଡା ହେବା ଖବର ଗଣମାଧ୍ୟମରୁ ସୂଚନା ପାଇ ଗତ ମେ ୨୬ ତାରିଖରେ ଭୁବନେଶ୍ୱରରୁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ ମେରାମୁଣ୍ଡଳୀ ଫରେଷ୍ଟର ସୁବାସ ସାହୁଙ୍କ ଘଟଣା ସ୍ଥଳକୁ ଯାଇ ୨୦ଟି ଅଣ୍ଡା ଉଦ୍ଧାର କରି ଢେଙ୍କାନାଳ ରେଞ୍ଜ ଅଫିସ କୁ ଆଣିଥିଲେ । ଯେଉଁ ଗାତରେ ଅଣ୍ଡା ଏବଂ ସାପକୁ ଛଡା ଯାଇଥିଲା ସେଠାରେ ସାପର ଚିହ୍ନ ବର୍ଣ୍ଣ ନଥିଲା ।
ଢେଙ୍କାନାଳ ଡିଏଫଓ ସୁମିତ କରଙ୍କ ଅନୁମତି କ୍ରମେ ଅଣ୍ଡା ଗୁଡିକୁ କୃତିମ ଉପାୟ ରେ ଫୁଟେଇବା ପାଇଁ ବ୍ୟବସ୍ଥା କରିଥିଲେ ଟିମ ସ୍ନେକ ହେଲ୍ପ ଲାଇନ । ଶୁଭେନ୍ଦୁ ମଲ୍ଲିକ ସପ୍ତାହକୁ ଥରେ ଯାଇ ଅଣ୍ଡାକୁ ଦେଖି ଆସୁଥିଲେ । ଏହା ଛଡା ବାଙ୍କୀରୁ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଲିତ ମୋହନ ପଣ୍ଡା, ସଦସ୍ୟ ଅସିତ୍ ପ୍ରଧାନ ଏବଂ ଅମିତ ସାହୁ ନିୟମିତ ଭାବରେ ଯାଇ ଅଣ୍ଡାରୁ ଦେଖା ରଖା କରି ଆସୁଥିଲେ । ଅଣ୍ଡା ଗୁଡ଼ିକ କିପରି ଉପଯୁକ୍ତ ତାପମାତ୍ରା ଏବଂ ଆର୍ଦତ୍ରା ପାଇବ ସେଥିପାଇଁ ଲଳିତ ଆପ୍ରାଣ ଉଦ୍ୟମ କରିଥିଲେ ।
ଗତକାଲି ବନ କର୍ମଚାରମାନେ ମାନସ ଦେହୁରୀ ଗୋଟିଏ ଅଣ୍ଡାରୁ ଛୁଆ ଫୁଟି ମୁଣ୍ଡ ବାହାର କରିବା ଦେଖି ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ବାଙ୍କୀ ରୁ ଲଳିତ ଏବଂ ଅମିତ ଆସି ଅଣ୍ଡା ଛୁଆ ମାନଙ୍କୁ ଫୁଟିବା ଫୁଟିବା ବ୍ୟବସ୍ଥା କରିବା ପାଇଁ ସନ୍ଧ୍ୟାରେ ବ୍ୟବସ୍ଥା କରି ଯାଇଥିଲେ ।
ଶନିବାର ଭୁବନେଶ୍ୱର ରୁ ସ୍ନେକ୍ ହେଲ୍ପ ଲାଇନର ଏକ ଟିମ୍ ଆସି କୃତ୍ରିମ ଉପାୟରେ ଯତ୍ନ କରି ରଖାଯାଇଥିବା ୧୪ଟି ଅଣ୍ଡାରୁ ୧୪ଟି ଜୀବନ୍ତ ଅଜଗର ଛୁଆ ଫୁଟିବା ବ୍ୟବସ୍ଥା କରିଥିଲେ ।
ଯେଉଁ ଅଣ୍ଡା ଗୁଡ଼ିକ ଗୋଲ ଗାଲ ହେଇ ଥିଲା ସେଇ ଅଣ୍ଡାରୁ ଫୁଟି ଥିବା ଛୁଆ ମାନଙ୍କର ଆକାର ବଡ଼ ଏବଂ ହୃଷ୍ଟ ପୁଷ୍ଟ ହୋଇଛନ୍ତି । କିନ୍ତୁ ଯେଉଁ ଅଣ୍ଡା ଗୁଡିକ ଚେପା ହୋଇ ଯାଇଥିଲା, ସେଥିରୁ ଯେଉଁ ଛୁଆ ଗୁଡ଼ିକ ବାହାରିଲେ ସେମାନଙ୍କର ଆକାର ଛୋଟ ଏବଂ ସ୍ବାସ୍ଥ୍ୟ ଦୁର୍ବଳ ହୋଇଛି ।
ଅଣ୍ଡା ଭିତରେ ଛୁଆ ଅଛନ୍ତି କି ନାହିଁ ଜାଣିବା ପାଇଁ ଦୁଇଟି ଅଣ୍ଡା ର ଏକ୍ସରେ ମଧ୍ୟ କରା ଯାଇଥିଲା । ଦୁଇଟି ଯାକ ଅଣ୍ଡାର ଫିଲ୍ମରେ ସାପ ଛୁଆଙ୍କ ହାଡର ସରଞ୍ଚନା ସ୍ପଷ୍ଟ ଦେଖା ଯାଇଥିଲା ।
ମେ ମାସ ୨୫ ତାରିଖରେ ସମସ୍ତ ଅଣ୍ଡା ନଷ୍ଟ ହେବାକୁ ଯାଉଥିବା ବେଳେ ସ୍ନେକ ହେଲ୍ପ ଲାଇନର ପରିଶ୍ରମ ଯୋଗୁଁ ଦୀର୍ଘ ୫୫ ଦିନ ପରେ ୧୪ ଟି ଅଜଗର ଅଣ୍ଡା ଜୀବନ ଦାନ ପାଇଲେ ।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ମେରାମୁଣ୍ଡଳୀ ରେ ଅଜଗର ଅଣ୍ଡାକୁ ଯଦି କୃତ୍ରିମ ଉପାୟରେ ଫୁଟାଇବା ବ୍ୟବସ୍ଥା କରା ନ ଯାଇଥାନ୍ତା, ସବୁ ଅଣ୍ଡା ନିଶ୍ଚୟ ନଷ୍ଟ ହୋଇ ଥାଆନ୍ତା । କିଛି ଅଣ୍ଡା ଚେପା ହୋଇ ଯାଇଥିବାରୁ ତା ଭିତରେ ଆମନିଓଟିକ୍ ତରଳ ପଦାର୍ଥ କମି ଯାଇଥିଲା । ତେଣୁ ଭ୍ରୁଣ ଗୁଡ଼ିକର ଶାରୀରିକ ବିକାଶ ସଠିକ୍ ଭାବରେ ହୋଇ ପାରିଲା ନାହିଁ । ସେଥିପାଇଁ କିଛି ଛୁଆ ଦୁର୍ବଳ ହୋଇ ଜନ୍ମ ହେଲେ” ।
Comments are closed.