ନୂଆଦିଲ୍ଲୀ: ଆଗକୁ ବିହାରରେ ନିର୍ବାଚନ ଥିବାରୁ ଏବେ ପରସ୍ପର ପ୍ରତି ବେଶୀ ଆକ୍ରମଣାତ୍ମକ ହୋଇଛନ୍ତି ଶାସକ ବିରୋଧୀ । ଲଢ଼େଇ ଆରମ୍ଭ ହେବା ପୂର୍ବରୁ ହିଁ ରାଜନୈତିକ କରିଡରରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି । ବିରୋଧୀ ଦଳଗୁଡ଼ିକର ବହୁ ଚର୍ଚ୍ଚିତ ‘ଇଣ୍ଡି ମେଣ୍ଟ’ର ମୂଳଦୁଆ ପୂର୍ବରୁ ହିଁ ଦୋହଲି ଯାଇଥିଲା । ହେଲେ ଏବେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ଏଥିରେ ବେଶୀ ଘିଅ ଢାଳିଛି । କେରଳରେ ରାହୁଲଙ୍କ ଭାଷଣ କେବଳ ଶାସକ ଦଳ ନୁହେଁ ବରଂ ଏହାର ସହଯୋଗୀ ବାମପନ୍ଥୀମାନଙ୍କୁ ମଧ୍ୟ କ୍ରୋଧିତ କରିଛି । ଯାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ଯେ, କ’ଣ ବିହାର ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟ ପ୍ରକୃତରେ ଭାଙ୍ଗିଯିବ କି?
ତେବେ କେରଳର କୋଟ୍ଟାୟମରେ ଏକ କାର୍ଯ୍ୟକ୍ରମ ସମୟରେ ରାହୁଲ ଗାନ୍ଧୀ କହିଥିଲେ, ମୁଁ RSS ଏବଂ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଉଭୟଙ୍କ ସହିତ ଏକ ଆଦର୍ଶଗତ ଯୁଦ୍ଧ ଲଢ଼ୁଛି । ମୋର ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ ଉଭୟଙ୍କ ଲୋକଙ୍କ ପ୍ରତି ଭାବନା ନାହିଁ। ତୁମେ ଯେତେ ବଡ଼ କଥା କୁହ, ଯଦି ତୁମେ ଲୋକଙ୍କ ପ୍ରତି ଅନୁଭବ କରିପାରିବ ନାହିଁ, ସେମାନଙ୍କୁ ଆଲିଙ୍ଗନ କରିପାରିବ ନାହିଁ, ତେବେ ତୁମେ ନେତା ହୋଇପାରିବ ନାହିଁ ।
ରାହୁଲ ଗାନ୍ଧୀ ଆରଏସଏସ ଏବଂ ସିପିଏମକୁ ସମାନ ମାପରେ ଓଜନ କରିଥିଲେ ଏବଂ ସେମାନଙ୍କ ପାଖରେ ‘ଜନସାଧାରଣ ଭାବନାର ଅଭାବ’ ଅଛି ବୋଲି ଅଭିଯୋଗ କରିଥିଲେ । ଯାହା ଏବେ ଇଣ୍ଟି ମେଣ୍ଟ ଭିତରେ ହିଁ ବିବାଦର ନୂଆ ଉର୍ଜ୍ଜାକୁ ଜନ୍ମ ଦେଇଛି । ଯାହାକୁ ନେଇ ଏବେ ରାହୁଲଙ୍କୁ ଘେରିଛି ସହଯୋଗୀ ସିପିଆଇ(ଏମ) । ସିପିଆଇ(ଏମ) ନିଜ ଏକ୍ସରେ ରାହୁଲଙ୍କୁ ଟାର୍ଗେଟ କରି ଲେଖିଛି, ଆରଏସଏସ ଏବଂ ସିପିଆଇ(ଏମ)କୁ ସମକକ୍ଷ କରି ତାଙ୍କର ଅବାନ୍ତର ଏବଂ ନିନ୍ଦନୀୟ ମନ୍ତବ୍ୟରେ, ରାହୁଲ ଗାନ୍ଧୀ ଭୁଲିଯାଇଛନ୍ତି ଯେ କେରଳରେ ଆରଏସଏସ ସହିତ ପ୍ରକୃତ ଯୁଦ୍ଧ କିଏ ଲଢ଼ୁଛି- ସିପିଆଇ(ଏମ), ଯାହା ସାଫ୍ରନ୍ ଆତଙ୍କବାଦକୁ ପ୍ରତିରୋଧ କରିବାରେ ଅଗଣିତ ସମର୍ପିତ କର୍ମୀଙ୍କୁ ହରାଇଛି। ସିପିଏମ୍ ଶହ ଶହ ସମର୍ପିତ କର୍ମୀଙ୍କ ସହିଦ ହୋଇଛି। ଅନ୍ୟପକ୍ଷରେ, କଂଗ୍ରେସ ଏବଂ ଆରଏସଏସ ପ୍ରାୟତଃ କେରଳରେ ସମାନ ବୟାନ ଦିଅନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଏଠାକୁ ଆସି ସମାନ ଭାଷା କହିଛନ୍ତି କହି ବର୍ଷିଛି ସିପିଏମ । ଯାହା ଏବେ ମେଣ୍ଟ ଦଳରେ ଫାଟକୁ ଆହୁରୀ ଗଭୀର କରିଛି ।
ତେବେ ବିହାରରେ, ତିନି ବାମପନ୍ଥୀ ଦଳ, ସିପିଆଇ, ସିପିଏମ ଏବଂ ସିପିଆଇଏମଏଲ, ଏବେ ବି ଇଣ୍ଡିଆ ମେଣ୍ଟରେ କଂଗ୍ରେସ ସହିତ ଠିଆ ହୋଇଛନ୍ତି । କିନ୍ତୁ ରାହୁଲ ଗାନ୍ଧୀଙ୍କ ଏହି ବୟାନ ଏହି ପ୍ରଶ୍ନ ଉଠାଇଛି ଯେ ଏହି ସହଯୋଗ ଏବେ ସ୍ଥାୟୀ ହେବ କି? ବିହାର ନିର୍ବାଚନରେ ବାମପନ୍ଥୀ ଦଳଗୁଡ଼ିକର ଭୋଟ ବ୍ୟାଙ୍କ ନିଶ୍ଚିତ ଭାବରେ ସୀମିତ, କିନ୍ତୁ ଗ୍ରାମାଞ୍ଚଳରେ ସେମାନଙ୍କର ପ୍ରବେଶ ଗଭୀର ବୋଲି ବିବେଚନା କରାଯାଉଛି । ଏପରି ପରିସ୍ଥିତିରେ ରାହୁଲ ଗାନ୍ଧୀ ‘ଲୋକଙ୍କ ପ୍ରତି ଭାବନା’ର ଅଭାବକୁ ନେତା ହେବାର ସବୁଠାରୁ ବଡ଼ ଅସୁବିଧା ବୋଲି କହୁଥିବା ବେଳେ, ସିପିଏମ ଏହାକୁ ରାଜନୈତିକ ମୋର୍ଚ୍ଚାରେ ଏକ ଆତ୍ମଘାତୀ ଆକ୍ରମଣ ବୋଲି ବିବେଚନା କରୁଛି। ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଦେଶର ସବୁଠାରୁ ବଡ଼ ବିରୋଧୀ ମେଣ୍ଟରେ ପାରସ୍ପରିକ ବୁଝାମଣାର ଅଭାବ ଅଛି, ତେବେ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର କୌଣସି କଥା କିପରି ହୋଇପାରିବ?
ସେପଟେ ଏବେ ସରକାରଙ୍କ ବିପକ୍ଷରେ ଛିଡା ହୋଇଥିବା ଇଣ୍ଡି ମେଣ୍ଟର ମୁଳଦୂଆ ଏବେ ଦୋହଲିକି ଅଛି । ପୂର୍ବରୁ, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ନେଇଥିଲା। ଆପ ନେତା ସଞ୍ଜୟ ସିଂହ ସ୍ପଷ୍ଟ ଭାବରେ କହିଥିଲେ, ଯେ ଆମେ ଇଣ୍ଡିଆ ମେଣ୍ଟର କୌଣସି ବୈଠକରେ ଯୋଗଦେବୁ ନାହିଁ। ଅରବିନ୍ଦ କେଜ୍ରିଓ୍ବାଲ ବି ସ୍ପଷ୍ଟ କରିସାରିଛନ୍ତି ଯେ ଆମେ ଏହି ମେଣ୍ଟରୁ ବାହାରେ ଅଛୁ । ତଥାପି, ଆପ ଏହା ମଧ୍ୟ କହିଛି ଯେ ଏହା ସଂସଦୀୟ ପ୍ରସଙ୍ଗରେ ଟିଏମସି ଏବଂ ଡିଏମକେ ଭଳି ଦଳଗୁଡ଼ିକୁ ସହଯୋଗ ଜାରି ରଖିବ, କାରଣ ଏହି ଦଳଗୁଡ଼ିକ ମଧ୍ୟ ଆପକୁ ସମର୍ଥନ କରନ୍ତି ।
Comments are closed.