Latest Odisha News

BREAKING NEWS

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନିଜର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ତେବେ ସମ୍ବିଧାନର ଧାରା ୬୭ (ଏ) ଆଧାରରେ ତାଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ମଧ୍ୟ ଅନୁରୋଧ କରିଛନ୍ତି।

ସେ ତାଙ୍କ ଚିଠିରେ ରାଷ୍ଟ୍ରପତିଙ୍କ ସହ ନିଜର କାର୍ଯ୍ୟକାଳ ସମ୍ପର୍କରେ ଲେଖି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସମର୍ଥନ ଦ୍ଵାରା ସେ ଅନେକ କିଛି ଶିଖିବାର ସୁଯୋଗ ପାଇଛନ୍ତି ଓ ତାଙ୍କ ସହ ତାଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ସୁରୁଖୁରରେ କଟିଥିବା ମଧ୍ୟ ପ୍ରକାଶ କରିଛନ୍ତି। ସେ ହୃଦୟର ସହ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମନ୍ତ୍ରୀ ପରିଷଦ ପ୍ରତି ମଧ୍ୟ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି।

ଭାରତର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭାବରେ ସେ କାର୍ଯ୍ୟକରି ସେ ଯେଉଁ ଅଭିଜ୍ଞତା ଏବଂ ଅନ୍ତର୍ଦୃଷ୍ଟି ପାଇଛନ୍ତି ସେଥିପାଇଁ ମଧ୍ୟ ସେ କୃତଜ୍ଞ ବୋଲି କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତର ଆର୍ଥିକ ପ୍ରଗତି ଏବଂ ଅଭୂତପୂର୍ବ ଅଭିବୃଦ୍ଧି ଦେଖିବା ସହ ଏଥିରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ସୌଭାଗ୍ୟ ଏବଂ ସନ୍ତୋଷର ବିଷୟ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ସେ ୧୪ତମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୨୦୨୨ ମସିହା ୬ ଅଗଷ୍ଟରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ।

 

Comments are closed.