ରାୟପୁର: ଜଣେ ନର୍ସରୀ ଛାତ୍ରୀ ରାଧେ ରାଧେ ସମ୍ବୋଧନ କରିବାରୁ ରାଗିଗଲେ ପ୍ରଧାନଶିକ୍ଷକ । ସିଧା ମାଡ ବସାଇଦେଲେ, ଏମିତିକି ୧୫ ମିନିଟ୍ ପାଇଁ ତା ପାଟିରେ ଟେପ୍ ଲଗାଇ ଅଙ୍ଗୁଳି ଦେଇ ବସିବା ପାଇଁ ଦଣ୍ଡିତ କରିଥିଲେ । ଘଟଣା ଏବେ ଭାଇରାଲ ହେବା ପରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଛି ପୋଲିସ୍ ।
ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଦୁର୍ଗ ଜିଲ୍ଲାରେ । ଦୁର୍ଗ ଜିଲ୍ଲାର ଗୋଟିଏ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣେ ନର୍ସରୀ ଛାତ୍ରୀ ପାରମ୍ପରିକ ହିନ୍ଦୁ ଅଭିବାଦନ ‘ରାଧେ ରାଧେ’ କହିବା ପରେ ତାଙ୍କୁ ମାଡ ମାରିବା ଏବଂ ମୁହଁ ବନ୍ଦ କରିବା ଅଭିଯୋଗରେ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ସ୍କୁଲର ପ୍ରଧାନଶିକ୍ଷକ ଜଣେ ସାଢେ ୩ ବର୍ଷୀୟ ଝିଅକୁ “ରାଧେ-ରାଧେ” କହି ସ୍ୱାଗତ କରିବା ଅଭିଯୋଗରେ ତାଙ୍କୁ ଶାରୀରିକ ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି । ନନ୍ଦିନୀ ଥାନା ଅଞ୍ଚଳ ଅନ୍ତର୍ଗତ ବାଗଡୁମାର ଗ୍ରାମର ମଦର ଟେରେସା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଆନୁଷ୍ଠାନିକ ଅଭିଯୋଗ ଏବଂ ପ୍ରାଥମିକ ତଦନ୍ତ ପରେ ଏବେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଇଲା ଇଭେନ୍ କୌଲଭିନଙ୍କୁ ଗିରଫ କରାଯାଇଛି ।
ବାଳିକାଙ୍କ ପରିବାର ଅନୁଯାୟୀ, ଘଟଣାଟି ବୁଧବାର ସକାଳ ପ୍ରାୟ ୭.୩୦ ସମୟରେ ଘଟିଥିଲା । ଯେତେବେଳେ କୁନି ଝିଅଟି ଶିକ୍ଷକଙ୍କୁ ରାଧେ ରାଧେ ସମ୍ବୋଧନ କରି ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ କରିଥିଲା । ଯାହାକୁ ନେଇ ଶିକ୍ଷକ ରାଗିଯାଇ ପିଲାଟିକୁ ମାଡ ମାରିଥିଲେ ଏବଂ ଏହାପରେ ପ୍ରାୟ ୧୫ ମିନିଟ୍ ପାଇଁ ତାଙ୍କ ମୁହଁ ବନ୍ଦ କରିଦେଇଥିଲେ । ପରେ ଝିଅଟି ଦୁଃଖିତ ଅବସ୍ଥାରେ ଘରକୁ ଫେରିବା ପରେ ତାଙ୍କ ପିତାମାତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ତାଙ୍କ ବାପା ପ୍ରବୀଣ ଯାଦବ ତୁରନ୍ତ ନନ୍ଦିନୀ ଥାନାରେ ଅଭିଯୋଗ କରିଥିଲେ ।
ପରେ ତଦନ୍ତରେ ପିଲାଟିର ଶରୀରରେ ସ୍ପଷ୍ଟ ଆଘାତ ଚିହ୍ନ ଶାରୀରିକ ଆକ୍ରମଣର ଅଭିଯୋଗକୁ ନିଶ୍ଚିତ କରିଥିଲା । ଏଏସ୍ ପି ପଦ୍ମଶ୍ରୀ ତନୱର କହିଛନ୍ତି ଯେ ପ୍ରିନ୍ସିପାଲ ପିଲାଟିକୁ ପ୍ରଶ୍ନର ଉତ୍ତର ନ ଦେବା ପାଇଁ ଦଣ୍ଡ ଦେଇଥିଲେ । କିନ୍ତୁ ଦଣ୍ଡଟି ଅତ୍ୟଧିକ ଏବଂ ଅନୁଚିତ ଥିଲା । ବାଳିକାଟିର ପାଟିରେ ପ୍ରାୟ ୧୫ ମିନିଟ୍ ପାଇଁ ଟେପ୍ ଲଗାଯାଇଥିଲା ଏବଂ ତାଙ୍କୁ ମାଡ଼ ମରାଯାଇଥିଲା। ଆମେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛୁ ଏବଂ ଭାରତୀୟ ଦଣ୍ଡ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛୁ ।
Comments are closed.