Latest Odisha News

BREAKING NEWS

ଧୀମା ହେଉଛି ପୃଥିବୀର ଗତି: ୨୪ ଘଣ୍ଟା ନୁହେଁ ୨୧ ଘଣ୍ଟା ହେଉଥିଲା ଦିନ, ଚମକାଇଲା ଗବେଷଣା

ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନ ଦିନର ୨୪ ଘଣ୍ଟା ହିସାବରେ ଚାଲିଥାଏ। ସକାଳୁ ଉଠିବାରୁ ଆରମ୍ଭ କରି ରାତିରେ ଖାଦ୍ୟ ଖାଇ ଶୋଇବା ପର୍ଯ୍ୟନ୍ତ ସବୁ କାମ ୨୪ ଘଣ୍ଟା ଅନୁସାରେ ନିର୍ଦ୍ଧାରିତ। କିନ୍ତୁ ଯଦି କେହି କୁହେ ଯେ ଏକ ସମୟରେ ଦିନ ୨୪ ଘଣ୍ଟା ନୁହେଁ, ବରଂ ୨୧ ଘଣ୍ଟାର ଥିଲା, ତେବେ ମନରେ ପ୍ରଥମେ ଏହି ଚିନ୍ତା ଆସେ ଯେ ୨୪ ଘଣ୍ଟାରେ ମଧ୍ୟ କାମ ସାରିବା କଷ୍ଟକର ହୁଏ, ତେବେ ୨୧ ଘଣ୍ଟାରେ ଲୋକେ କିପରି ସବୁ କାମ ପରିଚାଳନା କରୁଥିଲେ? କିନ୍ତୁ ଏହା ସତ। ବୈଜ୍ଞାନିକଙ୍କ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୬୦ କୋଟି ବର୍ଷ ପୂର୍ବେ ଦିନ ମାତ୍ର ୨୧ ଘଣ୍ଟାର ଥିଲା। ଆସନ୍ତୁ ଏହି ଅଧ୍ୟୟନକୁ ବିସ୍ତୃତ ଭାବେ ଜାଣିବା।

ପୃଥିବୀର ଗତି ହେଉଛି ଧୀମା
ଏକ ଦିନରେ ୨୪ ଘଣ୍ଟା ବା ୮୬,୪୦୦ ସେକେଣ୍ଡ ଥାଏ। ଏହା ହେଉଛି ପୃଥିବୀ ନିଜ ଅକ୍ଷର ଚାରିପଟେ ବୁଲିଆସିବର ସମୟ। କିନ୍ତୁ ଆପଣ ଜାଣନ୍ତି କି, ପୃଥିବୀ ଏକ ସମାନ ଗତିରେ ଘୁରେ ନାହିଁ। ଏହାର ରୋଟେସନ ସ୍ପିଡ୍ ବଦଳୁଥାଏ। ସାଧାରଣତଃ ପୃଥିବୀର ଘୂର୍ଣ୍ଣନ ଗତି ଧୀରେ ଧୀରେ କମୁଛି। ଏହି କାରଣରୁ ପ୍ରତି ଶତାବ୍ଦୀରେ ଦିନର ଅବଧି ହାରାହାରି ୧.୮ ମିଲିସେକେଣ୍ଡ ବଢ଼ିଥାଏ। ଏହି ହିସାବରେ, ୬୦ କୋଟି ବର୍ଷ ପୂର୍ବେ ଦିନ ମାତ୍ର ୨୧ ଘଣ୍ଟାର ଥିଲା।

କାହିଁକି ଆସିଲା ପରିବର୍ତ୍ତନ?
ପୃଥିବୀର ଘୂର୍ଣ୍ଣନ ଗତିରେ ପରିବର୍ତ୍ତନ ଅନେକ କାରଣ ଯୋଗୁଁ ହୋଇଛି। ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଜୁଆରୀୟ ପ୍ରଭାବ (ଟାଇଡ଼ାଲ୍ ଇଫେକ୍ଟ) ପୃଥିବୀର ଗତିକୁ କମାଇଥାଏ। ଏହା ବ୍ୟତୀତ, ପୃଥିବୀର କୋର ଓ ମ୍ୟାଣ୍ଟଲ୍ ମଧ୍ୟରେ ଘର୍ଷଣ, ସମୁଦ୍ର ଜଳର ବଣ୍ଟନ, ଏବଂ ହିମବାହର ତରଳିବା ପରି କାରଣ ମଧ୍ୟ ଏହାର ଗତି ଉପରେ ପ୍ରଭାବ ପକାଇଥାଏ। ଏହି ସବୁ ମିଶି ଦିନର ଅବଧିକୁ ବଦଳାଇଥାଏ।

୬୦ କୋଟି ବର୍ଷ ପୂର୍ବେ ଦିନ ଥିଲା ୨୧ ଘଣ୍ଟା
ବୈଜ୍ଞାନିକଙ୍କ ଏକ ଗବେଷଣା ଅନୁସାରେ, ୬୦ କୋଟି ବର୍ଷ ପୂର୍ବେ ପୃଥିବୀଅଧିକ ଗତିରେ ବୁଲୁଥିଲା, ଯେଉଁଥିପାଇଁ ଏକ ଦିନର ଅବଧି ଥିଲା ୨୧ ଘଣ୍ଟା। ଏହି ହିସାବରେ ପୃଥିବୀ ନିଜ ଅକ୍ଷରେ ଚକ୍ର ସମ୍ପୂର୍ଣ୍ଣ କରିବାକୁ କମ୍ ସମୟ ନେଉଥିଲା। ବୈଜ୍ଞାନିକମାନେ ଜୀବାଶ୍ମ ଓ ପ୍ରାଚୀନ ପଥରର ଅଧ୍ୟୟନ ମାଧ୍ୟମରେ ଏହା ଜାଣିପାରିଛନ୍ତି। ପ୍ରତି ଶତାବ୍ଦୀରେ ପୃଥିବୀର ଗତି ୧.୮ ମିଲିସେକେଣ୍ଡ ଧୀମା ହେଉଥିବାରୁ ଦିନର ଅବଧି ଧୀରେ ଧୀରେ ବଢ଼ୁଛି।

୨୦୨୦ରେ ଆସିଥିବା ରିପୋର୍ଟରେ କ’ଣ କୁହାଯାଇଛି?
୨୦୨୦ରେ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। ଏହି ରିପୋର୍ଟ ଅନୁସାରେ, ପୃଥିବୀର ଘୂର୍ଣ୍ଣନ ଗତି କମିବା ବଦଳରେ ବଢ଼ୁଛି। ଗତ ୫୦ ବର୍ଷ ତୁଳନାରେ ପୃଥିବୀ ଏବେ ଅଧିକ ଦ୍ରୁତ ଗତିରେ ଘୂରୁଛି। ପୂର୍ବରୁ ଗବେଷଣାରେ କୁହାଯାଉଥିଲା ଯେ ପୃଥିବୀର ରୋଟେସନ ଧୀମା ହେଉଛି, କିନ୍ତୁ ନୂଆ ତଥ୍ୟ ଅନୁସାରେ ଏହାର ଗତି ବୃଦ୍ଧି ପାଉଛି।

 

Comments are closed.