ଘୁଷୁରିଙ୍କ ବର୍ଜ୍ୟବସ୍ତୁରୁ ଜଳୁଛି ସହରର ବିଜୁଳି ବତୀ ! କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ଅକ୍ଷୟ ଶକ୍ତି ବା Renewable Energy କ୍ଷେତ୍ରରେ ସାରା ବିଶ୍ୱକୁ ନୂଆ ବାଟ ଦେଖାଇଛି ୟୁରୋପୀୟ ଦେଶ ଡେନମାର୍କ। ଘୁଷୁରି ମଳମୂତ୍ରରୁ କିପରି ତିଆରି ହେଉଛି ବାୟୋଗ୍ୟାସ୍, ଆଉ କେମିତି ପୂରଣ ହେଉଛି ଜାତୀୟ ଗ୍ରୀଡ୍ର ଚାହିଦା, ଆସନ୍ତୁ ଦେଖିବା ଆମର ଏ ସ୍ୱତନ୍ତ୍ର ରିପୋର୍ଟରେ
ଡେନମାର୍କ… ପରିବେଶ ସୁରକ୍ଷା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁବେଳେ ଆଗରେ ରହିଆସିଥିବା ଏହି ଦେଶ ଏବେ ପୁଣି ଚର୍ଚ୍ଚାରେ। ଦେଶରେ ଥିବା ଲକ୍ଷ ଲକ୍ଷ ଘୁଷୁରିଙ୍କ ବର୍ଜ୍ୟବସ୍ତୁ ବା ମଳମୂତ୍ରକୁ ଏବେ ବେକାର ପକାଇ ନ ଦେଇ, ସେଥିରୁ ଉତ୍ପାଦନ କରାଯାଉଛି ବିପୁଳ ପରିମାଣର ଶକ୍ତି।
ଡେନମାର୍କରେ ଘୁଷୁରି ପାଳନ ଏକ ବଡ଼ ବ୍ୟବସାୟ। ପ୍ରତିବର୍ଷ ଏଠାରେ ପ୍ରାୟ ୧୭.୪ ମିଲିୟନ୍ ଟନ୍ ଘୁଷୁରିଙ୍କ ବର୍ଜ୍ୟବସ୍ତୁ ବାହାରିଥାଏ । ପୂର୍ବରୁ ଏହି ବର୍ଜ୍ୟବସ୍ତୁ ପରିବେଶ ପାଇଁ ବଡ଼ ସମସ୍ୟା ସାଜୁଥିଲା। କିନ୍ତୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଡେନମାର୍କ ଏହାକୁ ସମ୍ପଦରେ ପରିଣତ କରିଛି।
ବିଭିନ୍ନ ଫାର୍ମରୁ ଘୁଷୁରିଙ୍କ ମଳମୂତ୍ର ଏବଂ କୃଷିଜାତ ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ବଡ଼ ବଡ଼ ବାୟୋ-ଡାଇଜେଷ୍ଟର ପ୍ଲାଣ୍ଟକୁ ଅଣାଯାଉଛି। ସେଠାରେ ଅମ୍ଳଜାନ ବିହୀନ ପ୍ରକ୍ରିୟା ମାଧ୍ୟମରେ ଏଥିରୁ ମିଥେନ୍ ସମୃଦ୍ଧ ବାୟୋଗ୍ୟାସ୍ ପ୍ରସ୍ତୁତ କରାଯାଉଛି। ଏହି ଗ୍ୟାସ୍କୁ ବିଶୋଧନ କରାଯାଇ ସିଧାସଳଖ ଡେନମାର୍କର ଜାତୀୟ ଗ୍ୟାସ୍ ଗ୍ରୀଡ୍କୁ ପଠାଯାଉଛି।
ବର୍ତ୍ତମାନ ଡେନମାର୍କର ମୋଟ ଗ୍ୟାସ୍ ଚାହିଦାର ପ୍ରାୟ ୪୦ ପ୍ରତିଶତ ଏହି ବାୟୋଗ୍ୟାସ୍ରୁ ହିଁ ପୂରଣ ହେଉଛି। ଏହାଦ୍ୱାରା ସହରଗୁଡ଼ିକୁ ବିଦ୍ୟୁତ୍ ଏବଂ ଘର ଗରମ ରଖିବା ପାଇଁ ତାପଜ ଶକ୍ତି ମିଳୁଛି।ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନର ଏହି ଡେନମାର୍କ ମଡେଲ୍ ଏବେ ସାରା ବିଶ୍ୱ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି।
