ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଧାରା ୩୭୦କୁ ପ୍ରତ୍ୟାହାର କରି ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ସମାପ୍ତ କରିଥିଲେ । ମୋଦି ସରକାର ପୂର୍ବ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ, ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରିଥିଲେ ।
ଧାରା ୩୭୦ ଉଚ୍ଛେଦ ହେବାର ଛଅ ବର୍ଷ ବିତିଗଲାଣି । ସେତେବେଳେ, ସରକାର ଏହାକୁ ଏକ ମହତ୍ବପୂର୍ଣ୍ଣ ମୋଡ ଭାବରେ ବର୍ଣ୍ଣନା କରିଥିଲେ ଯାହା ଶାନ୍ତି, ବିକାଶ ଏବଂ ଭାରତର ଅବଶିଷ୍ଟ ଅଂଶ ସହିତ କାଶ୍ମୀର ଉପତ୍ୟକାର ନିକଟତର ଏକୀକରଣ ଆଣିବ। ଏହି ପଦକ୍ଷେପ ସାମ୍ବିଧାନିକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ଜମ୍ମୁ ଓ କାଶ୍ମୀରକୁ ଭାରତୀୟ ଆଇନ ଏବଂ ନୀତି ସହିତ ଅଧିକ ସିଧାସଳଖ ସମାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେବେଠାରୁ, ଏହି ଅଞ୍ଚଳ ଅନେକ ପ୍ରଶାସନିକ, ରାଜନୈତିକ ଏବଂ ବିକାଶମୂଳକ ପରିବର୍ତ୍ତନ ଦେଖିଛି। ରେର୍କଡ ସଂଖ୍ୟକ ମତଦାନ, ନିବେଶ ଆଉ ହିଂସାରେ ହ୍ରାସ…୩୭୦ ଧାରା ଉଚ୍ଛେଦ ପରେ ବହୁତ କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇଛି ।
ଧାରା ୩୭୦ କ’ଣ?
୧୯୫୨ରେ ଲାଗୁ ହୋଇଥିବା ଧାରା ୩୭୦, ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ସ୍ୱାୟତ୍ତତା ପ୍ରଦାନ କରିଥିଲା। ଏହା ରାଜ୍ୟକୁ ନିଜର ସମ୍ବିଧାନ ଏବଂ ପତାକା ରଖିବା ଏବଂ ଅର୍ଥ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ଯୋଗାଯୋଗ ବ୍ୟତୀତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରିବାର ଅଧିକାର ଦେଇଥିଲା। ଏହାର ଅର୍ଥ ଥିଲା ଯେ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଯଥେଷ୍ଟ ନିୟନ୍ତ୍ରଣ ଥିଲା। ଏହା ଭାରତୀୟ ସଂସଦର ଜମ୍ମୁ ଏବଂ କାଶ୍ମୀର ସମ୍ବନ୍ଧୀୟ ବ୍ୟାପାର ଉପରେ ଆଇନ ପ୍ରଣୟନ କ୍ଷମତାକୁ ସୀମିତ କରିଥିଲା ଏବଂ ଅଧିକାଂଶ ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ଆବଶ୍ୟକ କରିଥିଲା।
ଧାରା ୩୭୦ ସମ୍ବିଧାନର ଭାଗ XXI ରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ଅସ୍ଥାୟୀ, ପରିବର୍ତ୍ତନଶୀଳ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଜଡିତ। ଏଥିରେ କୁହାଯାଇଥିଲା ଯେ ଜମ୍ମୁ ଏବଂ କାଶ୍ମୀରର ସମ୍ବିଧାନ ସଭାର ରାଜ୍ୟ ପାଇଁ ଭାରତୀୟ ସମ୍ବିଧାନ କେତେ ପରିମାଣରେ ପ୍ରଯୁଜ୍ୟ ହେବ ତାହା ସୁପାରିଶ କରିବାର ଅଧିକାର ରହିବ। ରାଜ୍ୟ ବିଧାନସଭା ମଧ୍ୟ ଧାରା ୩୭୦କୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିପାରିବ, ଯାହା ଭାରତୀୟ ସମ୍ବିଧାନର ସମସ୍ତ ଧାରା ରାଜ୍ୟ ପାଇଁ ପ୍ରଯୁଜ୍ୟ କରିବ। ଏହି ସ୍ୱତନ୍ତ୍ର ସ୍ଥିତି ଯୋଗୁଁ, ୧୯୬୫ ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଜଣେ ରାଜ୍ୟପାଳ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ଜଣେ ସଦର-ଇ-ରିଆସତ ଥିଲେ ।
ଧାରା ୩୫କ କ’ଣ?
୧୯୫୪ ମସିହାରେ ସମ୍ବିଧାନରେ ଯୋଡାଯାଇଥିବା ଧାରା ୩୫କ, ଜମ୍ମୁ ଏବଂ କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଏବଂ ସୁବିଧା ପ୍ରଦାନ କରିଥିଲା। ଏହା ଜମ୍ମୁ ଏବଂ କାଶ୍ମୀର ବିଧାନସଭାକୁ ରାଜ୍ୟର ‘ସ୍ଥାୟୀ ବାସିନ୍ଦା’ କିଏ ତାହା ନିଷ୍ପତ୍ତି ନେବାର କ୍ଷମତା ଦେଇଥିଲା। ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କୁ ଏକ ବ୍ୟକ୍ତି ଭାବରେ ପରିଭାଷିତ କରାଯାଏ ଯିଏ ମେ ୧୪, ୧୯୫୪ ରେ ରାଜ୍ୟର ନାଗରିକ ଥିଲେ, କିମ୍ବା ଯିଏ ୧୦ ବର୍ଷ ଧରି ରାଜ୍ୟର ବାସିନ୍ଦା ଥିବେ ଏବଂ ଯିଏ ରାଜ୍ୟରେ ଆଇନଗତ ଭାବରେ ଅସ୍ଥାବର ସମ୍ପତ୍ତି ଅର୍ଜନ କରିଛନ୍ତି । ଏହି ଧାରା, ଧାରା ୩୭୦ର କ୍ଷମତା ଅଧୀନରେ ଜାରି ହୋଇଥିବା ସମ୍ବିଧାନ (ଜମ୍ମୁ ଏବଂ କାଶ୍ମୀରରେ ପ୍ରୟୋଗ) ଅର୍ଡର, ୧୯୫୪ ନାମକ ଏକ ରାଷ୍ଟ୍ରପତି ଆଦେଶ ମାଧ୍ୟମରେ ଯୋଡା ଯାଇଥିଲା।
ଏହାର ପୃଷ୍ଠଭୂମି ୧୯୫୨ ମସିହାରେ ଜମ୍ମୁ ଏବଂ କାଶ୍ମୀରର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ଅବଦୁଲ୍ଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମଧ୍ୟରେ ହୋଇଥିବା ଦିଲ୍ଲୀ ଚୁକ୍ତିନାମା ସହିତ ଜଡିତ ଥିଲା। ଏହି ଚୁକ୍ତିନାମା ଜମ୍ମୁ ଏବଂ କାଶ୍ମୀରର ‘ରାଜ୍ୟ ପ୍ରଜା’ଙ୍କୁ ମଧ୍ୟ ଭାରତୀୟ ନାଗରିକତା ପ୍ରଦାନ କରିଥିଲା। ୧୯୫୨ ମସିହାର ଦିଲ୍ଲୀ ଆନ୍ଦୋଳନ ପରେ, ୧୯୫୪ ମସିହାରେ ସମ୍ବିଧାନରେ ପ୍ରସିଦ୍ଧ ‘ଧାରାକୁ ୩୫କ’ ଯୋଡା ଯାଇଥିଲା। ଯାହାର କିଛି ପ୍ରମୁଖ ବ୍ୟବସ୍ଥା ରହିଥିଲା । ଏହା ରାଜ୍ୟକୁ ଭୂମି ମାଲିକାନା, ସରକାରୀ ଚାକିରି ଏବଂ ଶିକ୍ଷା ବୃତ୍ତି ଭଳି କ୍ଷେତ୍ରରେ ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବାକୁ ଅନୁମତି ଦେଇଥିଲା। ଏହା ଅଣ-ନିବାସୀମାନଙ୍କୁ ସ୍ଥାୟୀ ବାସିନ୍ଦା ହେବାକୁ ଅନୁମତି ଦେଇଥିଲା। କିନ୍ତୁ ସେମାନଙ୍କୁ ବସତି ସ୍ଥାପନ, ସମ୍ପତ୍ତି କିଣିବା କିମ୍ବା ରାଜ୍ୟ ସୁବିଧା ପାଇବାରୁ ବାରଣ କରିଥିଲା। ଏଥିରେ ଏକ ବ୍ୟବସ୍ଥା ଥିଲା ଯାହା ମହିଳାଙ୍କ ପ୍ରତି ପକ୍ଷପାତମୂଳକ ଥିଲା, ଯଦି ଜଣେ ମହିଳା ବାସିନ୍ଦା ରାଜ୍ୟ ବାହାରର ଜଣେ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତେବେ ସେ ତାଙ୍କର ସମ୍ପତ୍ତି ଅଧିକାର ହରାଇ ପାରନ୍ତି, ଏବଂ ଏହା ତାଙ୍କ ପିଲାମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି ବ୍ୟବସ୍ଥାରେ ବ୍ୟବସ୍ଥା ଥିଲା ଯେ ଧାରା ୩୫କ’ର ପରିସର ମଧ୍ୟରେ ଆସୁଥିବା ରାଜ୍ୟ ବିଧାନସଭାର କୌଣସି କାର୍ଯ୍ୟକୁ ଭାରତୀୟ ସମ୍ବିଧାନ କିମ୍ବା ଦେଶର ଅନ୍ୟ କୌଣସି ଆଇନର ଉଲ୍ଲଂଘନ ଭାବରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ।
ଆଉ ଏହି ବ୍ୟବସ୍ଥା ଧିରେ ଧିରେ ଜମ୍ମୁ-କାଶ୍ମୀରରେ ଅଶାନ୍ତିର କାରଣ ପାଲଟିଲା । ସାମ୍ପ୍ରଦାୟିକ ଉତ୍ତେଜନା, ବିଶେଷକରି ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ, ମଧ୍ୟ ଅଶାନ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା । ଏହାବ୍ୟତୀତ ସମୟ ସହିତ ଜମ୍ମୁ ଏବଂ କାଶ୍ମୀରରେ ଅଶାନ୍ତି ସହ ଆର୍ଥିକ ଅନୁନ୍ନତତା, ବେକାରୀ ଏବଂ ଦାରିଦ୍ର୍ୟ ଭଳି ସମସ୍ୟା ସୃଷ୍ଟି ହେଲା । ଏଥିସହିତ ସେଠି ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଲା ।
ଆଉ ପରିଶେଷରେ ଅଗଷ୍ଟ ୫, ୨୦୧୯ ରେ, ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଏକ ସାମ୍ବିଧାନିକ ବ୍ୟବସ୍ଥା, ଧାରା ୩୭୦ ରଦ୍ଦ କରିବା ଘୋଷଣା କରିଥିଲେ। ଆଉ ସରକାର ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୭୦ର ଅଧିକାଂଶ ଅଂଶକୁ ଉଚ୍ଛେଦ କରିଦେଇଥିଲେ। ଏହା ସହିତ, ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା – ଜମ୍ମୁ-କାଶ୍ମୀର ଏବଂ ଲଦାଖ। ଏହି ବଡ଼ ପରିବର୍ତ୍ତନର ଛଅ ବର୍ଷ ପରେ, ଏବେ ପୁଣି ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ଦାବି ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉଭୟ ପ୍ରତିଶ୍ରୁତି ଦେଇଥିଲେ ଯେ ଯେତେବେଳେ କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହେବ, ସେତେବେଳେ ରାଜ୍ୟ ମାନ୍ୟତା ଫେରି ପାଇବ । କିନ୍ତୁ, ଏଥିପାଇଁ ସେମାନେ କୌଣସି ନିର୍ଦ୍ଦିଷ୍ଟ ସମୟ ଦେଇନାହାଁନ୍ତି।
ହେଲେ ଏବେ ଏହାକୁ ନେଇ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏକ ବଡ ସଙ୍କାତ ଦେଇଥିବା ବେଳେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଜମ୍ମୁ-କାଶ୍ମୀରକୁ ବିଳମ୍ବ ନକରି ରାଜ୍ୟ ମାନ୍ୟତା ଫେରି ପାଇବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ, ନ୍ୟାସନାଲ କନଫରେନ୍ସ, ଏଥିପାଇଁ ଆଇନଗତ ଉପାୟ ମଧ୍ୟ ଖୋଜୁଛି। ସେ କହିଛନ୍ତି ଯେ କେନ୍ଦ୍ର ସଂସଦ ଏବଂ ସୁପ୍ରିମକୋର୍ଟ ସମ୍ମୁଖରେ ଏହା ପ୍ରତିଶ୍ରୁତି ଦେଇଥିଲା । ଆଉ ଏବେ ଜମ୍ମୁ-କାଶ୍ମୀରରେ କିଛି ବଡ ହେବାକୁ ଯାଉଛି ତାଙ୍କର ବାର୍ତ୍ତାରେ କିଛି ବିଶେଷ ସଙ୍କେତ ଦେଖାଯାଉଛି ।
Comments are closed.