Latest Odisha News

BREAKING NEWS

ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଏହି ଗାଁ, ୪ ମୃତ

ଉତ୍ତରକାଶୀ: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା ଫଳରେ ମଙ୍ଗଳବାର ଅପରାହ୍ନରେ ଏକ ଗାଁ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି। ତେବେ ଏହି ଧରାଲି ଗାଁ ଡେରାଡୁନରୁ ୨୧୮ କିଲୋମିଟର ଏବଂ ଗଙ୍ଗୋତ୍ରୀ ଧାମରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଅଟେ।

ଏହି ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ କିପରି ପାହାଡ଼ରୁ ବର୍ଷା ପାଣି ଓ ଭଗ୍ନାବଶେଷ ଆସି ୩୪ ସେକେଣ୍ଡ ମଧ୍ୟରେ ସମଗ୍ର ଗାଁକୁ ଭସାଇ ନେଇଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।ଗତ ୨ ଦିନ ଧରି ଏଠାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରକାଶିର ପ୍ରଶାସନ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି। ଏଥିସହିତ ୫୦ରୁ ଅଧିକ ଲୋକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି।

ଉଦ୍ଧାରକାରୀ ଦଳ ଏସଡିଆରଏଫ୍, ଏନଡିଆରଏଫ୍ ସେନା ସହିତ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି। ପ୍ରକୃତିର ଏହି କରାଳ ରୂପରେ ଗାଁ ର ସମସ୍ତ ଘର ଭୁଶୁଡ଼ି ଯିବା ସହ ହୋଟେଲ ବଜାର ସ୍କୁଲ ସବୁ କିଛି ଭାସି ଯାଇଛି। ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି ନଜର ରଖୁଥିବା କହିଛନ୍ତି। ତେବେ ସେଠାରେ ଲଗାତାର ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଏସଡିଆରଏଫ୍ କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀ କହିଛନ୍ତି।

ତେବେ ସେଠାକାର ପାଗ ବର୍ତ୍ତମାନ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ରାତିରେ ବହୁତ ଥଣ୍ଡା ପଡିଥାଏ। ତେଣୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ହେବା ନେଇ ଆଶଙ୍କା କରାଯାଉଛି।

 

Comments are closed.