Latest Odisha News

BREAKING NEWS

ସମ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ଭିତ୍ତିକ କର୍ମଶାଳା: ରୋଗ ସଂକ୍ରମଣ ରୋକିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର, ୨୨/୮: ଅସୁସ୍ଥ ଅବସ୍ଥାରେ ରୋଗୀଟି ଡାକ୍ତରଖାନାରେ ଭର୍ତ୍ତି ହେବା ଦିନ ଠାରୁ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ତା’ର ସ୍ୱାସ୍ଥ୍ୟର ଯତ୍ନ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି । ରୋଗୀଟି ଯେଭଳି କୋ÷ଣସି ପ୍ରକାର ସଂକ୍ରମଣର ଶିକାର ନ ହୁଏ ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା ଜରୁରୀ । ତେଣୁ ରୋଗୀକୁ ସଂକ୍ରମଣରୁ ଦୂରେଇ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ଅଶୋକ ମହାପାତ୍ର ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ହସ୍ପିଟାଲ୍ ଇନ୍ଫେକ୍ସନ୍ କଂଟ୍ରୋଲ୍ ବିଭାଗ ପକ୍ଷରୁ ଆୟୋଜିତ ‘ମନିଟରିଂ ଅଫ୍ କ୍ଲିନିଂ ଆଣ୍ଡ ଷ୍ଟେରିଲାଇଜେସନ୍ ପ୍ରୋସେସ୍ ଇନ୍ ହେଲ୍ଥ କେୟାର ଫାସିଲିଟିଜ୍’ ଶୀର୍ଷକ କର୍ମଶାଳାରେ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ, ଚିକିତ୍ସାରେ ବ୍ୟବହୃତ ସରଞ୍ଜାମକୁ ପରିଷ୍କାର ରଖିବା ଏବଂ ଆଂଟିବାୟୋଟିକ୍ସ ଔଷଧର ବ୍ୟବହାର ଓ ଏହାର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ ଡ. ମହାପାତ୍ର ।

ମେଡୋଭେସନ୍ ପ୍ରଡକ୍ଟସ ସଂସ୍ଥାର ସହଭାଗିତାରେ ଆୟୋଜିତ ଏହି କର୍ମଶାଳାରେ ସମ୍ ହସ୍ପିଟାଲ୍ର ସେଂଟ୍ରାଲ୍ ଷ୍ଟେରିଲାଇଜେସନ୍ ଆଣ୍ଡ ସର୍ଭିସ୍ ଡିପାର୍ଟମେଂଟ, ବାୟୋମେଡିକାଲ୍ ବିଭାଗ, ମାଇକ୍ରୋବାୟୋଲୋଜି ବିଭାଗ, ହାଉସ୍କିପିଂ, ନିଶ୍ଚେତକ ବିଭାଗ, ସେଂଟ୍ରାଲ୍ ଷ୍ଟୋର, ରକ୍ଷଣାବେକ୍ଷଣ ବିଭାଗ, ନର୍ସିଂ ବିଭାଗ, ହସ୍ପିଟାଲ୍ ଇନ୍ଫେକ୍ସନ୍ କଂଟ୍ରୋଲ୍ କମିଟି ବିଭାଗ ଏବଂ ଓଟିରେ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତର ଯୋଗ ଦେଇଥିଲେ ।

ରୋଗୀର ଶରୀରରେ ସଂକ୍ରମଣକୁ ରୋକିବାରେ କିଭଳି କାର୍ଯ୍ୟ କରାଯାଇପାରିବ, ଷ୍ଟେରିଲାଇଜେସନ୍ ପ୍ରୋସେସ୍ କିଭଳି ହେବ, ଓଟି ଭିତରେ କିଭଳି ଏଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ରୋଗୀର ଚିକିତ୍ସା ଓ ଅପରେସନ୍ ସମୟରେ ବ୍ୟବହୃୃତ ଯନ୍ତ୍ରପାତିଗୁଡ଼ିକୁ କିଭଳି ପରିଷ୍କାର ରଖାଯାଇପାରିବ ସେ ଦିଗରେ କର୍ମଶାଳାରେ ଗୁରୁତ୍ୱ ଦେଇଥିଲେ ମେଡୋଭେସନ୍ ପ୍ରଡକ୍ଟର ନିର୍ଦ୍ଦେଶକ ଶୈଲେଶ୍ ମେହେତା ।

ଏହି ଅବସରରେ ହସ୍ପିଟାଲ୍ ଇନ୍ଫେକ୍ସନ୍ କମିଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନଗେନ୍ କୁମାର ଦେବତା କହିଥିଲେ ରୋଗୀର ଶରୀରକୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ସହ ରୋଗୀକୁ ଯେଭଳି କମ୍ ଆଂଟିବାୟୋଟିକ୍ସ ସେବନ କରିବାକୁ ଦିଆଯାଇପାରିବ ସେ ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

ଆୟୋଜିତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍ଟ୍ ଡ. ପୁଷ୍ପରାଜ ସାମନ୍ତସିଂହାର, ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର୍ ଡ. ୟୁ.ସି ପରିଡା, ନିଶ୍ଚେତକ ବିଭାଗର ମୁଖ୍ୟ ଡ. ଶିବ ପ୍ରସାଦ ମହାପାତ୍ର, ଆଡିସ୍ନାଲ୍ ଡିନ୍ ପିଜି ବିଭାଗ ପ୍ରଫେସର ଡ. ସଂଘମିତ୍ରା ମିଶ୍ର ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ମିନତି ମିଶ୍ର ଉପସ୍ଥିତ ଥିଲେ । ଏଚ୍ଆଇସିସି ମୁଖ୍ୟ ପ୍ରଫେସର ନାଗେନ୍ କୁମାର ଦେବତା ଏବଂ ଆଡିସ୍ନାଲ୍ ସୁପରିଟେଣ୍ଡେଂଟ ନର୍ସିଂ ବିଭାଗ ଶୋଭାମଞ୍ଜରୀ ସାମଲ୍ କର୍ମଶାଳାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.