Latest Odisha News

BREAKING NEWS

ଓଡ଼ିଶାରେ ୪୨ ଲକ୍ଷ ଭୋଟ୍ ଚୋରୀ ହୋଇଛି: କଂଗ୍ରେସ

ପୁରୀ: ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରୀ ହୋଇଛି । ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି ଏହା ସିଧାସଳଖ ଭୋଟ ଚୋରୀ ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ସାରା ଦେଶରେ ଏବେ କଂଗ୍ରେସ ର ଭୋଟ ଚୋରି ଅଭିଯୋଗ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏସଂପର୍କରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭୋଟ ଚୋରୀ ସମ୍ପର୍କରେ ତଥ୍ୟ ଦିଆଯାଇଛି । ବିଭିନ୍ନ ରାଜ୍ୟର ନିର୍ବାଚନରେ ନକଲି ଭୋଟ, ଜଣେ ଭୋଟରଙ୍କ ନାମରେ ଏକାଧିକ ଭୋଟ ଭଳି ଏକାଧିକ ବେଆଇନ କାମ ହୋଇଛି । ଏଭଳି ଷଡଯନ୍ତ୍ରରେ ନିର୍ବାଚନ କମିଶନର ଭୂମିକା ସିଧାସଳଖ ସନ୍ଦେହ ଘେରରେ । ତେଣୁ ଗଣତନ୍ତ୍ର ଏବେ ସାରା ଦେଶରେ ବିପଦରେ ପଡିଛି ।

ଏହାକୁ କେବଳ ଗୋଟିଏ ଦଳ ନୁହେଁ ସାଧାରଣ ଭୋଟର ମଧ୍ୟ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ । ନିଜ ସାମ୍ବିଧାନିକ ଅଧିକାରକୁ ବଞ୍ଚାଇବା ଦାୟିତ୍ବ ନାଗରିକଙ୍କର । ଏସବୁ ବିଷୟରେ କଂଗ୍ରେସ ଲୋକଙ୍କୁ ସଚେତନ କରିବା ସହ ଆଗକୁ ଜୋରଦାର ଆନ୍ଦୋଳନ ଗଢି ତୋଳିବ । ନିର୍ବାଚନ କମିଶନ ସତ୍ୟପାଠ ଦାଖଲ କରିବା ପାଇଁ କହୁଛନ୍ତି ।

ଏହା ପରୋକ୍ଷରେ ନିର୍ବାଚନ କମିଶନରଙ୍କ ସଂପୃକ୍ତିକୁ ପ୍ରମାଣିତ କରୁଛି । ରାଜ୍ୟରେ ୪୨ ଲକ୍ଷ ଭୋଟ ଚୋରୀ ନେଇ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଏଆଇ ସିସି ନିର୍ଦ୍ଦେଶ କ୍ରମେ ଭୋଟ ଚୋରୀ ପ୍ରସଙ୍ଗରେ କଂଗ୍ରେସ ତାର ପରବର୍ତ୍ତୀ ନିଷ୍ପତି ନେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ନଗର କଂଗ୍ରେସ କମିଟି ସଭାପତି ଅମରେନ୍ଦ୍ର ପାଇକରାୟ, କଂଗ୍ରେସ ନେତା ଉତ୍ତମ ଆଚାର୍ଯ୍ୟ, ପୁଷ୍କର ମହାପାତ୍ର, କାଳୀ ପ୍ରସାଦ ନାଟକ, ସୁକାନ୍ତ ପ୍ରଧାନ, ବିଦ୍ୟୁତ ଲତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.