Latest Odisha News

BREAKING NEWS

Mohan Meets Naveen: କାହିଁକି ନବୀନଙ୍କୁ ଭେଟିଲେ ମୋହନ?

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ 10ରୁ 15ମିନିଟ ରହିଥିଲେ। ନିକଟରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ନବୀନ। ପୂର୍ବରୁ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ। ତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ମୋହନ ମାଝୀ। ତେବେ କେବଳ ସ୍ବାସ୍ଥ୍ୟାବସ୍ଥା ନୁହେଁ ଭିନ୍ନ ପ୍ରସଙ୍ଗରେ ବି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ନବୀନଙ୍କୁ ସାକ୍ଷାତକାର ପଛରେ ରଣନୀତିକୁ ନେଇ ବିଶେଷଜ୍ଞ ମତ ଦେଉଛନ୍ତି।

ଏଇଥି ପାଇଁ ନବୀନଙ୍କୁ ଭେଟିଲେ !

ଗତ ସପ୍ତାହରେ ଅସୁସ୍ଥତା ଅନୁଭବ କରିବା ପରେ ନବୀନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଡାକ୍ତରୀ ଦଳ। ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ନବୀନଙ୍କ ଅସୁସ୍ଥତା ଖବର ସାମନାକୁ ଆସିବା ପରଠୁ, ସବୁଠି ସେନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। 24ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ସାଧାରଣ ଲୋକେ। ସୋସିଆଲ୍ ମିଡିଆରେ ତ ଏକପ୍ରକାର ଛାଇ ଯାଇଥିଲେ ନବୀନ। ପୁଣି ଦେଖିବାକୁ ମିଳିଥିଲା ନବୀନ କ୍ରେଜ୍। ତେଣୁ ଏହାକୁ ପ୍ରତିହତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି।

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସାକ୍ଷାତ

ଦିନ କେଇଟା ପରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବଢିଛି। ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ନିଜ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି। ଏଭଳି ସ୍ଥିତିରେ କୌଣସି ମେଣ୍ଟରେ ନଥିବା ବିଜେଡି ଉପରେ ନଜର ରହିଛି। ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ସମର୍ଥନ ମାଗିଥିଲେ। ତେଣୁ ମୋହନ ମାଝୀ ନବୀନଙ୍କ ସହ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଆଲୋଚନା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ବିଧାନସଭା ପୂର୍ବରୁ ରଣନୀତି !

ଆସନ୍ତା ସେପ୍ଟେମ୍ବର 18ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସୁରୁଖୁରୁରେ ଗୃହ କାମ ଚାଲିବାକୁ ହେଲେ ମୁଖ୍ୟ ବିରୋଧୀ ଦଳ ବିଜେଡିର ସହଯୋଗ ଜରୁରୀ। ଗତ ଅଧିବେଶନରେ କଂଗ୍ରେସ ବିଧାୟକ ଗୃହ ହୁଲୁସ୍ତୁଲୁ କରିଥିଲେ। ତେଣୁ ଏଥର ବିଜେଡିକୁ ଆଗୁଆ ବିଶ୍ବାସକୁ ନେବାକୁ ଚାହୁଁଥାଇ ପାରନ୍ତି ସରକାର। ନବୀନଙ୍କ ସହ ଆଲୋଚନା ବେଳେ ବିଧାନସଭାରେ ସହଯୋଗ କଥା ଉଠାଇ ଥାଇ ପାରନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ବିରୋଧୀ ଦଳର ନରମ ମନୋଭାବ ମୋହନ ମାଝୀଙ୍କୁ ସରକାର ଚଳାଇବାରେ ସହଯୋଗ କରିବ।

ରାଜ୍ୟରେ ବିଜେଡି କ୍ଷମତାରେ ଥିବା ବେଳେ କେନ୍ଦ୍ରର ଏନଡିଏ ସରକାରକୁ ପ୍ରାୟ ସବୁ ପ୍ରସଙ୍ଗରେ ସମର୍ଥନ କରିଆସିଛି। ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି ବିଜେଡି। ରାଜ୍ୟରେ ହାଲକା ବିରୋଧ କଲେ ମଧ୍ୟ କେନ୍ଦ୍ରରେ ଦଳର ସ୍ବର ନରମ ହିଁ ରହିଛି। ଓ୍ବାକଫ୍ ସଂଶୋଧନ ବିଲ ସମୟରେ ଏହା ପ୍ରମାଣିତ ବି ହୋଇଛି। ସେପଟେ ବିଜେପି ମଧ୍ୟ ବିଜେଡିକୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଫୋନ୍ କରି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ଭେଟିଛନ୍ତି।

Comments are closed.