ଭୁବନେଶ୍ୱର: ଏବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ ଭଲ ହେବ ବୋଲି ଚାଷୀକୁଳ ଆଶା ବାନ୍ଧି ବସିଥିବା ବେଳେ ମଝିରେ ମଝିରେ ସରକାରୀ ଅପାରଗତା ଆଗରେ ତାଙ୍କୁ ପଛେଇଯିବାକୁ ପଡୁଛି। ପ୍ରଥମେ ଚାଷୀ ଚାଷକାମ ପାଇଁ ବିଲରେ ଥିବାବେଳେ ଇ-କେୱାଇସି ପାଇଁ ଧାଡିରେ ଦିନଦିନ ରହିବାକୁ ପଡିଲା। ଏବେ ରୁଆବେଉଷଣ ଚାଲିବା ବେଳେ କଳାବଜାର ଓ ସରକାରୀ ବିଫଳତାରେ ୟୁରିଆ ସଙ୍କଟ କୃଷକଙ୍କୁ ଦୁର୍ଦ୍ଦଶାରେ ଠେଲିଦେଲା ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଅଭିଯୋଗ କରିଥିଲେ।
ସେ କହିଥିଲେ ସରକାରୀ ଦାବି ଥିବା ସତ୍ତେ, ଓଡ଼ିଶାରେ ୟୁରିଆ ସଙ୍କଟ ତୀବ୍ର ଆକାର ନେଇଛି । ସରକାର କହିଥିଲେ ୨. ୯୪ ଲକ୍ଷ ଟନ୍ ପୂର୍ବରୁ ଷ୍ଟକ୍ ଥିଲା ଓ ୪.୫ ଲକ୍ଷ ଟନ୍ ଖରିଫ ପାଇଁ ମିଳିଥିବାରୁ ୭.୯୪ ଲକ୍ଷ ଟନ୍ ଉପଲବ୍ଧ ଅଛି । ସେଥିରୁ ୩.୬୫ ଲକ୍ଷ ଟନ୍ ବିକ୍ରି ହୋଇଛି ଓ ୪.୨୪ ଲକ୍ଷ ଟନ୍ ବିଭିନ୍ନ ଜିଲ୍ଲାରେ ବାକି ରହିଛି। କିନ୍ତୁ ସରକାରଙ୍କର କଥା ଯଦି ସତ, ତା ହେଲେ ଚାଷୀମାନେ କାହିଁକି ସାର ପାଉନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ସୁନ୍ଦରଗଡ଼, କଟକ (ନିଶିନ୍ତକୋଇଲି) ଓ ସମୁଦ୍ରତଟୀୟ ଅଞ୍ଚଳରେ ଟ ୨୨୬.୫୦ ଦରର ୟୁରିଆ ୫୦୦ ଟଙ୍କାରୁ ୬୦୦ ଟଙ୍କା ବିକ୍ରି ହେଉଛି। ଏପରିକି ନୂଆପଡାରେ ୟୁରିଆ ବ୍ୟାଗ ପିଛା ୯୦୦ ଟଙ୍କା ଦେବାକୁ ଚାଷୀ ବାଧ୍ୟ ହେଉଛି ବୋଲି ଅଭୟ ସାହୁ ମତ ଦେଇଛନ୍ତି। ୧୩୫୦ ଟଙ୍କାର ଡି .ଏ . ପି ୧୭୦୦ ଟଙ୍କାରେ ରେ ବିକ୍ରି ହେଉଛି।
ଅଭୟ ସାହୁ କହିଥିଲେ କୃଷକମାନେ ଅଭିଯୋଗ କରିଛନ୍ତି ଯେ ମାର୍କଫେଡ୍ ଦ୍ୱାରା ସରକାରୀ ସବସିଡି ୟୁରିଆକୁ ପ୍ରାଇଭେଟ୍ ବେପାରୀଙ୍କୁ ବେପରୁଆ ଭାବେ ବାଣ୍ଟି ଦିଆଯାଉଛି ଯାହାକୁ କି ସେମାନେ କଳାବଜାରୀରେ ଦୁଇଗୁଣା ଦରରେ ବିକୁଛନ୍ତି।
ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ କୃଷି ବିଭାଗ ଯେଉଁ ରିଟେଲ ରେଡ୍ ବା ଲାଇସେନ୍ସ ରଦ୍ଦ କଥା କହୁଛି ତାର ସୁଫଳ ଚାଷୀମାନଙ୍କୁ ମିଳି ପାରିନାହିଁ । କାରଣ କିଛି କଳାବଜାରୀ ଆଉ ଆସାଧୁ କର୍ମଚାରୀଙ୍କ ସଲାସୁତୁରା ଯୋଗୁଁ ଏହା ଏକ ପ୍ରହସନ ରେ ପରିଣତ ହୋଇଛି।
ଅଭାବି ୟୁରିଆ କେମିତି ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି ସେହି ବିଷୟରେ ପିସିସି ମୁଖପାତ୍ର ଡ଼ ମନିଷା ଦାସ ପଟ୍ଟନାୟକ ଆଲୋକପାତ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଆବଶ୍ୟକ ସମୟରେ କୃଷକ ସାର ପାଉ ନାହାନ୍ତି , ନାନୋ ୟୁରିଆ ଗ୍ରହଣ ସ୍ଥିର ହୋଇନାହିଁ , ଯଦିଓ ସାର ବ୍ୟବହାର ଓଡ଼ିଶାରେ ତୁଳନାତ୍ମକ କମ୍ କିନ୍ତୁ କଳାବଜାରୀ ଓ ଦୁର୍ନୀତି ପାଇଁ ଆଜି ଖରିଫ ଧାନ ଚାଷ ବିପଦରେ ଏବଂ ଚାଷୀଙ୍କ ଜୀବନ ଜୀବିକା ସଙ୍କଟରେ ।
୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ତାଳଚେର ସାର କାରଖାନା ୩୬ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଥିଲେ ମଧ୍ୟ ୭ ବର୍ଷ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହେଇ ପାରିଲା ନାହିଁ। ତେଣୁ କଂଗ୍ରେସ ପକ୍ଷରୁ ଡ଼ ପଟ୍ଟନାୟକ ଦାବି କରିଥିଲେ ଯେ ତୁରନ୍ତ କଳାବଜାରୀଙ୍କୁ ଜବତ କରି ଦୋଷୀ ଡିଲର ଓ କର୍ମଚାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସମବାୟ ମାଧ୍ୟମରେ ସାର ବଣ୍ଟନ କରାଯାଉ, ଆଧାର ଆଧାରିତ ପଞ୍ଚାୟତ ସ୍ତରରେ ବଣ୍ଟନ ହେଉ , ପ୍ରତ୍ୟେକ ଜିଲ୍ଲାରେ ବଫର ଷ୍ଟକ୍ ଗଠନ ହେଉ ଏବଂ କ୍ଷତିଗ୍ରସ୍ତ କୃଷକଙ୍କ ପାଇଁ ସ୍ବତନ୍ତ୍ର ଅନୁକମ୍ପା ଘୋଷଣା କରାଯାଉ।
ସେହିପରି ଅନ୍ୟତମ ମୁଖପାତ୍ର ଅଶୋକ ସ୍ୱାଇଁ, ରୂପାଦୀପ୍ତା ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର , ପ୍ରଦେଶ କଂଗ୍ରେସ କୃଷକ ବିଭାଗର ସୂର୍ଯ୍ୟକାନ୍ତ ମହାନ୍ତି ଓ ଶୀତିକଣ୍ଠ ମହାପାତ୍ର ଉପସ୍ଥିତ ଥିଲେ।
Comments are closed.