ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ ମାର୍ଗ ଦେଇ ଯାତ୍ରା ଜାରି ରହିଥିଲା। ଯାହାକୁ ବର୍ତ୍ତମାନ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି।
ଏଥିସହିତ ଭାରତୀୟ ପାଣିପାଗ ବିଭାଗ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ମଧ୍ୟ ଜାରି କରିଛି। ତେବେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଥିବା ନେଇ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଏଥିସହିତ ପ୍ରାୟ ସମସ୍ତ ନଦୀ ଏବଂ ଝରଣା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ସହରର ଅନେକ ତଳିଆ ଅଞ୍ଚଳ ଏବଂ ରାସ୍ତା ବୁଡ଼ି ଯାଇଛି।
ମାତା ବୈଷ୍ଣୋ ଦେବୀ ମନ୍ଦିର ରିଆସି ଜିଲ୍ଲାର କଟରା ନିକଟ ତ୍ରିକୁଟା ପର୍ବତରେ ଅବସ୍ଥିତ। ଭକ୍ତମାନେ କଟରାରୁ ମନ୍ଦିର ପର୍ଯ୍ୟନ୍ତ ୧୩ କିମି ପାଦରେ ଯାତ୍ରା କରିଥାନ୍ତି। ତେଣୁ ବର୍ତ୍ତମାନ୍ ବର୍ଷା ଯୋଗୁ ଏହି ରାସ୍ତାରେ ଯାତାୟାତ ସମ୍ଭବପର ହୋଇ ପାରୁନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ୨୫୦ କିଲୋମିଟର ଲମ୍ବା। ରାମଭାନ ଜିଲ୍ଲାର ଚନ୍ଦରକୋଟ, କେଲା ମୋର ଏବଂ ବ୍ୟାଟେରୀ ଚେଷ୍ମାରେ ପାହାଡ଼ରୁ ପଥର ଖସିବା ଯୋଗୁଁ ଏଠାରେ ଯାତାୟାତ ବନ୍ଦ ହେବା ସହ କିସ୍ତୱାର, ଡୋଡା ଏବଂ ରାଜୌରୀର ଉପର ଅଞ୍ଚଳରେ ମଧ୍ୟ ଅନେକ କ୍ଷତି ହୋଇଥିବା ରିପୋର୍ଟ ମିଳିଛି।
ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସତର୍କ ରହିବା ସହ ପରିସ୍ଥିତିର ସମୀକ୍ଷା କରି ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ପୁନରୁଦ୍ଧାର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଡେପୁଟି କମିଶନରମାନଙ୍କୁ ଅତିରିକ୍ତ ପାଣ୍ଠି ଯୋଗାଇବାକୁ ମଧ୍ୟ କୁହାଯାଇଛି।ତେବେ କଠୁଆରେ ତରାନା ନଦୀ, ଉଝ ନଦୀ, ମାଗର ଖାଡ୍, ସହର ଖାଡ୍, ରବି ନଦୀ ଏବଂ ସେମାନଙ୍କର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
Comments are closed.