Latest Odisha News

BREAKING NEWS

ଚନ୍ଦ୍ରାୟନ ୫ ମିଶନ ପାଇଁ ଏକାଠି ହେବେ ଭାରତ ଓ ଜାପାନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କର ଜାପାନୀ ପ୍ରତିପକ୍ଷ ଶିଗେରୁ ଇଶିବାଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ବୈଠକର ଲକ୍ଷ୍ୟ ଥିଲା ଭାରତ ଏବଂ ଜାପାନ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିସ୍ତାର କରିବା।

ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ରାଜଧାନୀରେ ପହଞ୍ଚିବାର କିଛି ଘଣ୍ଟା ପରେ ଏହି ଦୁଇ ନେତା ୧୫ ତମ ଭାରତ-ଜାପାନ ଶିଖର ସମ୍ମିଳନୀ ପାଇଁ ସାକ୍ଷାତ କରିଥିଲେ। ଏହି ଶିଖର ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଇଶିବା ଚୁକ୍ତିନାମା ଆଦାନପ୍ରଦାନ କରିଥିଲେ। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ୬ ବର୍ଷ ପୂର୍ବେ ତାଙ୍କର ବାରାଣସୀ ଗସ୍ତକୁ ମନେ ପକାଇଥିଲେ।

ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମର ସହଭାଗୀତା କେବଳ ଉଭୟ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ପାଇଁ ମଧ୍ୟ ଅତ୍ୟାବଶ୍ୟକ। ଏକ ଉନ୍ନତ ବିଶ୍ୱ ଗଠନରେ ଦୃଢ଼ ଗଣତନ୍ତ୍ର ସ୍ୱାଭାବିକ ଅଂଶୀଦାର। ଆଜି ଆମେ ଆମର ବିଶେଷ ରଣନୈତିକ ଏବଂ ବିଶ୍ୱ ସହଭାଗୀତାରେ ଏକ ନୂତନ ଏବଂ ସୁବର୍ଣ୍ଣ ଅଧ୍ୟାୟର ମୂଳଦୁଆ ପକାଇଛୁ। ଆମେ ଆଗାମୀ ଦଶନ୍ଧି ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛୁ। ନିବେଶ, ନବସୃଜନ, ଆର୍ଥିକ ସୁରକ୍ଷା, ପରିବେଶ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଗତିଶୀଳତା ଉପରେ ଫୋକସ ଅଛି।’

ସେହିପରି ଚନ୍ଦ୍ରାୟନ ୫ ମିଶନରେ ସହଯୋଗ ପାଇଁ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ଏବଂ JAXA (ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା) ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଆମେ ସ୍ୱାଗତ କରୁଛୁ। ଆମର ସକ୍ରିୟ ସହଯୋଗ ପୃଥିବୀର ସୀମା ଅତିକ୍ରମ କରିବ ଏବଂ ମହାକାଶରେ ମାନବତା ପ୍ରଗତିର ପ୍ରତୀକ ସାଜିବ ବୋଲି ସେ କହିଛନ୍ତି।

 

Comments are closed.