Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୪୫: କଳି ଯୁଗରେ ଶ୍ରୀମଦ ଭାଗବତଙ୍କୁ ଆଧାର କଲେ ଅଲୌକିକ ଜ୍ଞାନର ଅଧିକାରୀ ସହ ମୁକ୍ତି ପଥର ଯାତ୍ରୀ ହୋଇ ପରିବା

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସାର ହିସାବରେ ଆଲୋଚିତ ପ୍ରସଙ୍ଗ ଅବଧୂତଙ୍କ ଚବିଶି ଗୁରୁଙ୍କ ଅନ୍ତିମ ପର୍ଯାୟରେ ଆଜି ଆଲୋଚନା କରିବା ଶେଷ ଗୁରୁଙ୍କ ବିଷୟରେ।
24. ପେଶସ୍କାରି ବା କୁମ୍ଭାର ପୋକ :- ଏହି କୁମ୍ଭାରୀଆ କୀଟ କୁ ଅନେକ ଜାଣି ନଥିବେ। କିନ୍ତୁ ଏହା ଏକ ବିରଳ କ୍ରିୟା ସମ୍ପାଦନ କରିଥାଏ। ନିଜର ଅନ୍ତିମ ସମୟ ଜାଣି ପେଶସ୍କାରୀ ଗୋଟିଏ କୀଟ ଧରି ଆଣି ନିଜ ବସାରେ ରଖି ଦେଇ ମାଟି ଲେପି ବସା ଦ୍ୱାର ବନ୍ଦ କରିଦିଏ। ସମୟ କ୍ରମେ ସେହି କୀଟ କୁମ୍ଭାର ପୋକ ରୂପ ଧାରଣ କରି ଜନ୍ମ ନିଏ। କାରଣ ସେ କୀଟର ଜୀବନ ଯିବା ସମୟରେ ସେ ସର୍ବଦା ପେଶସ୍କାରୀକୁ ଦେଖି ଦେଖି ଜୀବନ ତ୍ୟାଗ କରିଥାଏ। ଶାସ୍ତ୍ର କହେ ସ୍ନେହ, ଦ୍ୱେଷ ଅଥବା ଭୟ ହେତୁ ଯାହାକୁ ଅନ୍ତିମ ସମୟରେ ମଣିଷ ଚିନ୍ତା କରିବ, ସେ ସେହି ସ୍ୱରୂପ କୁ ପ୍ରାପ୍ତ ହୋଇଥାଏ। ସେଥିପାଇଁ କୁହାଯାଏ ନିଜର ଅଭ୍ୟାସ ତଥା ସାଧନା ବଳରେ ପ୍ରାଣ ଯିବା ସମୟରେ କୃଷ୍ଣ ରୂପ, ନାମ ଚିନ୍ତା କଲେ, ମୃତ୍ୟୁ ପରେ କୃଷ୍ଣ ପାଦ ତଳେ ଶରଣ ମିଳେ। ଏଠାରେ ଅବଧୂତ କହୁଛନ୍ତି ମଣିଷ ନିଶ୍ଚିତ ଭାବେ ଏହି କର୍ମଟି କରିପାରିବେ ନିଜେ ଭଗବାନ ଭାଗବତରେ କହିଲେ ଏହି ସୁନ୍ଦର ପଦଟିକୁ
ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ।
ଦେଖି ସନ୍ତୋଷ ଭଗବାନ।।
ମୋହର ମନ ସେହି ମତେ।
କୃଷ୍ଣ ଚରଣେ ଅବିରତେ।।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-144-god-is-the-only-basis-for-the-creation-of-this-world-and-the-only-cause-of-its-destruction/
ଦୁର୍ଲଭ ମଣିଷ ଶରୀର ପ୍ରାପ୍ତ କରିବା ଓ ଦିବ୍ୟ ଜ୍ଞାନର ଅଧିକାରୀ ହେବା ଈଶ୍ୱର ଇଚ୍ଛା ଅଧୀନ, କିନ୍ତୁ କୃଷ୍ଣ ଚିନ୍ତନ କରିବାର ଅଭ୍ୟାସ କରିବା ମଣିଷର ନିଜସ୍ୱ ସାଧନା ଅନ୍ତର୍ଭୁକ୍ତ। ଅବଧୁତ ମହାରାଜ ନିଜସ୍ୱ ସାଧନା ବଳରେ ଆଲୋଚିତ ଚବିଶି ଗୁରୁଙ୍କ ଠାରୁ ଭିନ୍ନ ଭିନ୍ନ ମହାଶିକ୍ଷା ଲାଭ କଲେ ଓ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ। କିନ୍ତୁ ମଣିଷ ଈଶ୍ୱର ପ୍ରଦତ୍ତ ପାଞ୍ଚ ମନ ଓ ପଚିଶି ପ୍ରକୃତିର ବଶବର୍ତ୍ତୀ ହୋଇ ସଂସାରର ମାୟା ବନ୍ଧନରେ ନିଜକୁ ବାନ୍ଧି ଦେଉଛି, ଜ୍ଞାନ ଭ୍ରଷ୍ଟ ହୋଇ ଅଜ୍ଞାନୀଙ୍କ ଭଳି କର୍ମ କରୁଛି। ଏହାହିଁ ଜଣେ ଯୋଗୀ ପୁରୁଷ ଓ ଜଣେ ସାଧାରଣ ମଣିଷ ଭିତରେ ଥିବା ପାର୍ଥକ୍ୟ। କଠୋର ସାଧନା ନକରି ମଧ୍ୟ ଏ କଳି ଯୁଗରେ ଯଦି ଶ୍ରୀମଦ ଭାଗବତଙ୍କୁ ଆଧାର କରିବା ତେବେ ଏମିତି ଅଲୌକିକ ଜ୍ଞାନର ଅଧିକାରୀ ହୋଇ ପରିବା ଓ ମୁକ୍ତି ପଥର ଯାତ୍ରୀ ହୋଇ ପରିବା । ମାୟା ବନ୍ଧନରେ ଆବଦ୍ଧ ନହୋଇ ଅହଂକାର ତ୍ୟାଗ କରି, ଗୋବିନ୍ଦ ଆଶ୍ରୟୀ ହେଲେ ମହାତ୍ମା ଅବଧୂତଙ୍କ ପରି କୃଷ୍ଣ ଶରଣ ପ୍ରାପ୍ତ ହୋଇବା। ଯଦୁ ରାଜା ଏହି ଜ୍ଞାନ ଲାଭ କରିବା ପରେ ଅବଧୂତଙ୍କ ଚରଣ ପୂଜା କରି ଯୋଗ ସାଧନରେ ଲିପ୍ତ ହେଲେ ଓ କୃଷ୍ଣ କୃପା ପ୍ରାପ୍ତ କଲେ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ କହିଲେ
ସକଳ ସଙ୍ଗ ପରିହରି।
ଏଣୁ ମୁଁ ଏତେ ଗୁରୁ କରି।।
ସୁଦୂରେ ତେଜି ଅହଂକାର।
ଅନନ୍ଦେ ଭ୍ରମଇ ସଂସାର।।
ଏମନ୍ତ କହି ଅବଧୂତ।
ଶାନ୍ତ ଗମ୍ଭୀର ଗୁଣ ଯୁକ୍ତ।।
ଶୁଣି ଆନନ୍ଦ ଯଦୁ ରାଜା।
ତାର ଚରଣେ କଲେ ପୂଜା।।
ସ୍ତୁତି କରନ୍ତି ସାବଧାନେ।
ବ୍ରାହ୍ମଣ ଗଲା ଅନ୍ତର୍ଦ୍ଧାନେ।
ଶୁଣି ଅବଧୂତ ବଚନ।
ରାଜା ପଶିଲା ଘୋର ବନ।।
ସକଳ ସଙ୍ଗ ଦୁରେ ତେଜି।
ଧ୍ୟାନେ ଗୋବିନ୍ଦ ପାଦେ ଭଜି।।
ଯୋଗେ ନିବେଶି କଳେବର।
ଲଭିଲା ଗୋବିନ୍ଦ ପୟର।।
ଆସନ୍ତୁ ତେବେ କଠିନ ଯୋଗ ନକରି ମଧ୍ୟ ଶ୍ରୀମଦ ଭାଗବତ ପଠନ, ଚିନ୍ତନ ଓ ମନନ କରି ନିଜକୁ କୃଷ୍ଣ ପାଦ ତଳେ ସମର୍ପଣ କରିବା ଆଉ ଦୁର୍ଲଭ ମଣିଷ ଜନ୍ମକୁ ସାର୍ଥକ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.