ଇମ୍ଫାଲ: ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ୨ ଯବାନ ସହିଦ । ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଅର୍ଦ୍ଧସାମରିକ ବାହିନୀର ଗାଡ଼ିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଆସାମ ରାଇଫଲ୍ସର ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ RIMS ହସ୍ପିଟାଲକୁ ନେଇଥିଲେ।
ମଣିପୁରର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ,ଆସାମ ରାଇଫଲ୍ସର ଯବାନମାନେ ଇମ୍ଫାଲରୁ ବିଷ୍ଣୁପୁର ଅଭିମୁଖେ ଯାଉଥିବା ସମୟରେ ନାମ୍ବୋଲ ସବଲ ଲାଇକାଇ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଘଟଣା ଘଟିଥିଲା। ଆକ୍ରମଣ ପରେ ବନ୍ଧୁକଧାରୀମାନେ ଏକ ଧଳା ଭ୍ୟାନରେ ପଳାଇ ଯାଇଥିଲେ। ବ୍ୟସ୍ତବହୁଳ ରାସ୍ତାରେ ସାଧାରଣ ନାଗରିକଙ୍କ ମୃତୁ୍ୟକୁ ଏଡାଇବା ପାଇଁ ଯବାନମାନେ ସଂଯମତାର ସହିତ ଜବାବ ଦେଇଥିଲେ। ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
ସୂଚନାଥାଉକି, ମଣିପୁରର ସୁରକ୍ଷା ବାହିନୀ ଇମ୍ଫାଲ ଉପତ୍ୟକାର ତିନୋଟି ଜିଲ୍ଲାରେ କରାଯାଇଥିବା ଅପରେସନରେ ଛଅ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗିରଫ ଗୁରୁବାର କରାଯାଇଥିଲା। ଇମ୍ଫାଲ ପଶ୍ଚିମ ଜିଲ୍ଲାରୁ ନିଷିଦ୍ଧ କାଙ୍ଗଲିପାକ୍ କମ୍ୟୁନିଷ୍ଟ ପାର୍ଟିର ତିନି ଜଣ ସକ୍ରିୟ କର୍ମୀଙ୍କୁ ଗିରଫ କରାଯାଇଛି।
ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ନାମ୍ବୋଲ ସବଲ ଲାଇକାଇରେ ଆମର ସାହସୀ 33 ଆସାମ ରାଇଫଲ୍ସ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଗଭୀର ଦୁଃଖିତ।ସେମାନଙ୍କର ସାହସ ଏବଂ ବଳିଦାନ ଆମ ହୃଦୟରେ ସର୍ବଦା ରହିବ। ଏହି ଘୃଣ୍ୟ କାର୍ଯ୍ୟର ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। ମୁଁ ସହିଦ ଯବାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”
Comments are closed.