ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ହ୍ୱାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଅବସରରେ ସେ କତାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ।
ଇସ୍ରାଏଲ ଏହି ମାସର ଆରମ୍ଭରେ ହମାସ ନେତାମାନଙ୍କୁ ଟାର୍ଗେଟ କରି କତାରରେ ଆକ୍ରମଣ କରିଥିଲା। ଗାଜା ବିବାଦରେ ଆମେରିକା ସର୍ବଦା ଇସ୍ରାଏଲ ସହିତ ଠିଆ ହୋଇଛି, କିନ୍ତୁ କତାର ଉପରେ ଆକ୍ରମଣ ପରେ ଟ୍ରମ୍ପ ନେତାନ୍ୟାହୁଙ୍କ ଉପରେ କ୍ଷୁବ୍ଧ ଥିଲେ।
ରିପୋର୍ଟ ଅନୁଯାୟୀ, ବେଞ୍ଜାମିନ ନେତାନ୍ୟାହୁ ହ୍ୱାଇଟ୍ ହାଉସରୁ କତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ-ଥାନିଙ୍କୁ ଫୋନ୍ କରି ଦୋହା ଉପରେ ଆକ୍ରମଣ ଲାଗି କ୍ଷମା ପ୍ରାର୍ଥନା କରିଥିଲେ। ଇସ୍ରାଏଲୀ ଆକ୍ରମଣରେ ବରିଷ୍ଠ ହମାସ ନେତା ଖଲିଲ ଅଲ-ହାୟାଙ୍କ ପୁଅ ଏବଂ ତାଙ୍କ ସହଯୋଗୀ ଜିହାଦ ଲାବାଦଙ୍କ ସମେତ ପାଞ୍ଚ ଜଣ ପ୍ରାଣ ହରାଇଥିଲେ। ଯଦିଓ ଏହା ପରେ ଇସ୍ରାଏଲୀ ଜାତୀୟ ସୁରକ୍ଷା ମନ୍ତ୍ରୀ ବେନ୍ ଗଭିର ଦୋହା ଆକ୍ରମଣକୁ ଆବଶ୍ୟକ ଏବଂ ଯଥାର୍ଥ ବୋଲି ବର୍ଣ୍ଣନା କରିଥିଲେ।
ଯୁଦ୍ଧବିରତି, ଗାଜାରେ ବନ୍ଧକଙ୍କ ମୁକ୍ତି ଏବଂ ଯୁଦ୍ଧ ଶେଷ ହେବା ପରେ ଗାଜା ପ୍ଲାନ୍ ସମ୍ପର୍କରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଲୋଚନାରେ କତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏପରିକି ସେପ୍ଟେମ୍ବର ୯ ଆକ୍ରମଣ ପରେ କତାରର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ “ଏହି ଅପରାଧିକ ଆକ୍ରମଣ ସମସ୍ତ ଅନ୍ତର୍ଜାତୀୟ ଆଇନ ଏବଂ ମାନଦଣ୍ଡର ଖୋଲାଖୋଲି ଉଲ୍ଲଂଘନ। ଏହା କତାରବାସୀ ଏବଂ କତାରର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ମଧ୍ୟ ସୃଷ୍ଟି କରୁଛି।”
Comments are closed.