ଅନୁଗୁଳ: ଜିନ୍ଦଲ ଷ୍ଟିଲର ଅନୁଗୁଳ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟରେ ୨୫୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ବେସିକ ଅକ୍ସିଜେନ ଫର୍ନେସ କନଭର୍ଟରର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା କମ୍ପାନିର ଷ୍ଟିଲ ଉତ୍ପାଦନ କ୍ଷମତା ବାର୍ଷିକ ୩ ମିଲିୟନ ଟନ୍ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୬ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି ପାଇଛି । ଏହି ଉପଲବ୍ଧି ସହ ଚଳିତ ଆର୍ଥିକ ବର୍ଷରେ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୧୨ ମିଲିୟନ ଟନର ଆହୁରି ନିକଟତର ହୋଇଛି ।
ବ୍ଲାଷ୍ଟ ଫର୍ନେସ-୨ ଏବଂ ନୂଆ ବିଓଏଫ୍ କନଭର୍ଟରର ଏକତ୍ର ଶୁଭାରମ୍ଭ ହେବା ଇସ୍ପାତ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସମ୍ପ୍ରସାରଣ ଦ୍ୱାରା ଉପଭୋକ୍ତା ଇସ୍ପାତ ଉତ୍ପାଦ ପ୍ରସ୍ତୁତି କରୁଥିବା ପ୍ଲାଣ୍ଟଗୁଡ଼ିକ ପାଇଁ ଅବାଧ ଇସ୍ପାତ ଉପଲବ୍ଧି ସୁନିଶ୍ଚିତ ହେବ । ଭିତ୍ତିଭୂମି ନିର୍ମାଣ, ଶକ୍ତି ଉତ୍ପାଦନ, ଅଟୋମୋବାଇଲ, ତୈଳ ଏବଂ ଗ୍ୟାସ ଓ ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଉଚ୍ଚମାନର ତଥା ସ୍ୱଦେଶୀ ଇସ୍ପାତ ଉପଲବ୍ଧ ହୋଇପାରିବ ।
ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହି ଅବସରରେ ଖୁସି ପ୍ରକାଶ କରିବା ସହ କହିଛନ୍ତି, “ନୂଆ ବେସିକ ଅକ୍ସେଜନ ଫର୍ନେସ ବର୍ତ୍ତମାନ କାର୍ଯ୍ୟକ୍ଷମ ଏବଂ ସଫଳତାର ସହ ପ୍ରଥମ ହିଟ୍ ଟ୍ୟାପ୍ କରାଯାଇଛି । ଏହା ସହିତ ଅନୁଗୁଳ ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ନୂଆ ଶକ୍ତି ମିଳିଛି । ଆମେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ରାସ୍ତାରେ ଅଗ୍ରସର ହୋଇଛୁ।”
Comments are closed.