Latest Odisha News

BREAKING NEWS

୧୭୦୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ ଓ ନେସଲେ ଭଳି କମ୍ପାନୀ

ନୂଆଦିଲ୍ଲୀ: ଆମେରିକା ସମେତ ସାରା ବିଶ୍ୱ ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରଭାବ ଅନେକ ପ୍ରମୁଖ କମ୍ପାନୀ ଉପରେ ପଡୁଛି।

ଯାହାଫଳରେ ବଡ଼ କମ୍ପାନୀ ଗୁଡ଼ିକ ଛଟେଇ ପାଇଁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ତେବେ କିଛି କମ୍ପାନୀ AI ଯୋଗୁଁ ଚାକିରି ଛଟେଇ କରୁଛନ୍ତି ଓ ଅନ୍ୟମାନେ ଖର୍ଚ୍ଚ ହ୍ରାସ କରିବା ପାଇଁ ଲୋକଙ୍କୁ ଛଟେଇ କରୁଛନ୍ତି।

ତେବେ ଏହି ତାଲିକାରେ UPS (ୟୁନାଇଟେଡ୍ ପାର୍ସଲ୍ ସର୍ଭିସ୍) ସବୁଠାରୁ ଉପରେ ରହିଛି। ଏହି କମ୍ପାନୀ ନିଜର ୪୮,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା Amazon ପ୍ରାୟ ୩୦୦୦୦କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ଏହାପରେ ଟେକ୍ ଜାଏଣ୍ଟ ଇଣ୍ଟେଲ୍ କମ୍ପାନୀ ନିଜର ୨୪୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ନେଇ ଜଣାପଡ଼ିଛି।

ଏହି ଛଟେଇର ପ୍ରଭାବ ଟେକ୍ନୋଲୋଜି, ଖୁଚୁରା, ଉତ୍ପାଦନ ଏବଂ ପରାମର୍ଶ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପଡ଼ିବରେ ଲାଗିଛି। ତେବେ କିଛି ରିପୋର୍ଟ ଅନୁଯାୟୀ ଗତ କିଛି ସପ୍ତାହ ମଧ୍ୟରେ ୧୫ଟି ପ୍ରମୁଖ କମ୍ପାନୀ ମିଳିତ ଭାବରେ ୧୭୦୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡିଛି। ଏହା ଖାଦ୍ୟ ଏବଂ ଉପଭୋକ୍ତା ଉତ୍ପାଦ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି। ନେସଲେ ବିଶ୍ୱ ସ୍ତରରେ ନିଜର ୧୬୦୦୦ କର୍ମଚାରୀ ଓ ସେବା କ୍ଷେତ୍ରରେ ଥିବା ଆକ୍ସେଞ୍ଚର୍ ୧୧୦୦୦ କର୍ମଚାରୀଙ୍କ ଛଟେଇ ଘୋଷଣା କରିଛି। ସେହିପରି PwC ୫୬୦୦ କର୍ମଚାରୀଙ୍କୁ ବାହାର କରିଥିବା ସୂଚନା ମିଳିଛି।

ତେବେ ଅଟୋମୋବାଇଲ୍ କ୍ଷେତ୍ରରେ ଥିବା ଫୋର୍ଡ ମୋଟର୍ କମ୍ପାନୀ ୧୧୦୦୦ କର୍ମଚାରୀଙ୍କୁ ଓ ସ୍ୱାସ୍ଥ୍ୟସେବା କମ୍ପାନୀ ନୋଭୋ ନରଡିସ୍କ ମଧ୍ୟ ନିଜର ୯୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ନେଇ ସୂଚନା ମିଳିଛି। ଟେକ୍ନୋଲୋଜି କ୍ଷେତ୍ରରେ ଥିବା ମାଇକ୍ରୋସଫ୍ଟ ୭୦୦୦, ସେଲ୍ସଫୋର୍ସ ୪୦୦୦ ଏବଂ ମେଟା (ଫେସବୁକର ମୂଳ କମ୍ପାନୀ) ୬୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଏହା ବ୍ୟତୀତ ମିଡିଆ ଜାଏଣ୍ଟ ପାରାମାଉଣ୍ଟ ୨୦୦୦, ଖୁଚୁରା ଚେନ୍ ଟାର୍ଗେଟ ୧୮୦୦, କ୍ରୋଗର ୧୦୦୦ ଓ ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ୧୪୪୪ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟରୁ ଜଣାପଡିଛି।

 

Comments are closed.