ଭୁବନେଶ୍ୱର: ‘ଛାଡଖାଇ’, ଓଡ଼ିଆ କ୍ୟାଲେଣ୍ଡରର ଏକ ଏମିତି ଦିନ ଯାହାକୁ ଚାତକ ଭଳି ଚାହିଁ ରହିଥାନ୍ତି ଆମିଷ ପ୍ରେମୀ, ଏହିଦିନ ବଜାରରେ ଆମିଷ ଦୋକାନ ପ୍ରବଳ ଭିଡ଼ ଦେଖିବାକୁ ମିଳେ, ଲୋକେ, କିଏ ଆଗ ନେବ ମାଡ଼ ଗୋଳ ଲାଗିଥାଏ ସତେ ଯେପରି…କିନ୍ତୁ ଏ କେମିତିକା ପରମ୍ପରା, ମାସ ଯାକ ଧରମ ଅର୍ଜିବା ନାଁରେ ଆମିଷ ତ୍ୟାଗ କରିଥିବା ମଣିଷଟି ଧର୍ମ ମାସ ଶେଷର କୁଢ଼ କୁଢ଼ ଜୀବଙ୍କ ରାଗ ଏବଂ ଦ୍ୱେଷ ଭରା ଶରୀରକୁ ମହା ଆନନ୍ଦରେ ଭକ୍ଷଣ କରେ…ବାସ୍ତବରେ କ’ଣ ଛାଡ଼ଖାଇର ମାନେ ଏଇଆ… ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ମାହାତ୍ମ୍ୟ…
ଛାଡ଼ଖାଇ- ଯଦି ଏହି ଶବ୍ଦର ପ୍ରକୃତ ଅର୍ଥ ବୁଝିବା ତେବେ ଏହାର ମାନେ ହେଉଛି ଖାଇବା ଛାଡ୍। ବ୍ରତାଧାରିଙ୍କ ଶେଷ ଉପବାସ। କାର୍ତ୍ତିକ ଧର୍ମମାସ ହେବା ସଙ୍ଗେସଙ୍ଗେ ସମସ୍ତ ଦେବାଦେବୀଙ୍କ ପ୍ରିୟ ମାସ। ମାସ ସାରା ଦେବ ଦର୍ଶନ, ହବିଷ୍ୟାନ୍ନ ଭକ୍ଷଣ, ପୁରାଣ ପାଠ, ତୁଳସୀ ଚଉରା ମୂଳରେ ଝୋଟି ମୁରୁଜ ଆଙ୍କି ରାଇଦାମୋଦର, ହରଗୌରୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜା ଚାଲିଥାଏ। ଉକ୍ତ ମାସର ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଦିନ ସମାପ୍ତ ଘଟିଥାଏ। ପୂର୍ଣ୍ଣିମାର ପରଦିନକୁ ଛାଡ଼ଖାଇ କୁହାଯାଏ। ଏହି ଛାଡ଼ଖାଇକୁ ନେଇ ଆମ ମନରେ ଅଧୁନା ଅନେକ କୁଶ୍ଚିତ ଭାବନା ସୃଷ୍ଟି ହୋଇଛି। ଯାହାକି ପ୍ରକୃତ ଛାଡ଼ଖାଇର ସମ୍ପୂର୍ଣ୍ଣ ବିପରୀତାର୍ଥକ ଅଟେ।
କାର୍ତ୍ତିକ ମାସରେ କିଛି ଖାଦ୍ୟପେୟର ବାରଣ ରହିଆସିଛି। ଯେଉଁମାନେ ଏହି ବ୍ରତକୁ ନିଷ୍ଠାର ସହକାରେ ପାଳିଥାଆନ୍ତି ସେମାନେ ନଖ, କେଶାଦିକୁ କାଟନ୍ତି ନାହିଁ। ବର୍ଷା ଛାଡ଼ିବା ପରେ ପରେ ଶୀତର ଆଗମନ ହୋଇଥାଏ। ଉକ୍ତ ମଝିମଝିଆ ସମୟଟି କାର୍ତ୍ତିକ । ଏହି ସମୟରେ ପାଣିପାଗ ସହ ମନୁଷ୍ୟାଦି ଜୀବଜନ୍ତୁଙ୍କ ଶରୀରରେ ବି ପରିବର୍ତ୍ତନ ଦେଖାଯାଇଥାଏ। ଯେମିତି କି ଏଇ ମାସରେ ଶରୀରେ ପିତ୍ତ, କଫ ଅଧ୍ବକ ହୁଏ ଓ ହଜମ ଶକ୍ତି କମିଯାଏ। ତେଣୁ ଏ ମାସରେ ଗୋଟିଏ ବକ୍ତ ଖାଦ୍ୟଗ୍ରହଣର ବିଧାନ ରହିଛି। ବିନା ମସଲାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ, ଯାହା ଗରିଷ୍ଠ ନୁହେଁ ଏବଂ ହଜମ ଶକ୍ତି ବଢ଼ାଇବା ସହ ଶରୀରକୁ ରୋଗମୁକ୍ତ ରଖେ। ସାତ୍ତ୍ଵିକ ଖାଦ୍ୟ ହେତୁ ଦେହମନ ସଂଯମରେ ରହିଥାଏ।
ତେବେ ଏହି ମାସରେ ଆମିଷକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି, କାରଣ ଏହି ମାସରେ ମାଛ ମାନଙ୍କ ଶରୀରରେ ବସନ୍ତ ରୋଗ ହୋଇଥାଏ ଏବଂ ଛେଳି, ମେଣ୍ଢାଦିଙ୍କର ଏହା ପ୍ରଜନନର ସମୟ ମାସ ଯାକ ସାତ୍ତ୍ଵିକ ଆହାର ଗ୍ରହଣ କରାଯିବାପରେ ପୂର୍ଣ୍ଣିମା ପରଦିନ ପଡ଼େ ଛାଡ଼ଖାଇ।
ଶ୍ରୀକ୍ଷେତ୍ର ପୁରୀ ଅଥବା ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ଥିବା ହବିଷ୍ୟାଳିମାନଙ୍କୁ ପଚାରିଲେ ସେମାନେ କହିବେ ଛାଡ଼ଖାଇର ମହତ୍ତ୍ଵ କ’ଣ?…ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରନ୍ତି। ଛାଡ଼ଖାଇ ଦିନ ସେମାନେ ସମ୍ପୂର୍ଣ୍ଣ ଭାବେ ଖାଇବା ଓ ପିଇବା ତ୍ୟାଗ କରି ନିର୍ଜଳା ଉପବାସ କରନ୍ତି। ତେଣୁ ଏହାକୁ ଛାଡ଼ଖାଇ କୁହାଯାଏ ।
କାର୍ତ୍ତିକ ବ୍ରତଧାରୀ ମାନେ ମଧ୍ୟ ଏହି ଦିନ ଏକ ସ୍ବତନ୍ତ୍ର ପୂଜା କରିଥାନ୍ତି। ତୁଳସୀ ଚଉରା ମୂଳରେ ମୁରୁଜ କିମ୍ବା ବାଲି ଦ୍ବାରା ଏକ ଭୀମଙ୍କ ପ୍ରତିକୃତି ଅଙ୍କନ ପୂର୍ବକ ତାଙ୍କୁ ଉଷୁନା ଭାତ, ମୁଢ଼ି, ଶାଗ, କାଞ୍ଜି ଓ ସାଧା ତରକାରୀ ଇତ୍ୟାଦି ସୁସ୍ବାଦୁ ଖାଦ୍ୟ ବାଢ଼ି ତାଙ୍କୁ ପୂଜା କରିଥାନ୍ତି। କାରଣ ଭୀମ ହେଲେ ଖାଦ୍ୟପ୍ରିୟ, ଅତୁଳ ପରାକ୍ରମଶାଳୀ। ଏହାପରେ ବ୍ରତଧାରୀ ମାନେ ତାହାକୁ ଗ୍ରହଣ କରି ତିନି ବକ୍ତ ଖାଦ୍ୟଗ୍ରହଣ କରନ୍ତି ଯେହେତୁ ଗୋଟିଏ ମାସର ବ୍ୟବଧାନରେ ହଜମ ଶକ୍ତି ବଢ଼ିଯାଇଥାଏ ।
ଆମେ କିନ୍ତୁ ଏହାକୁ ଅଲଗା ଅର୍ଥରେ ନେଇ ଗୋଟିଏ ପବିତ୍ର ଦିନ ଅସଂଖ୍ୟ ନିରୀହ ଜୀବଙ୍କୁ ତାଙ୍କ ବିନା ଇଚ୍ଛାରେ ଅତ୍ୟାଚାରିତ ଭାବେ ହତ୍ୟାକରି ତାଙ୍କ ଭୟ ଓ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରୁଛେ।
କିନ୍ତୁ ଆମେ ଆପଣଙ୍କୁ କହୁନୁ ଆମିଷ ଖାଆନ୍ତୁନି, କି ଆପଣ ଆମିଷ ଖାଇ ପାପ କରିଛନ୍ତି…ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ। କିନ୍ତୁ ପ୍ରକୃତ ବାସ୍ତବିକତା କ’ଣ ଓ ଆମର ଭାବନା କ’ଣ?, ସେ ଫରକ୍ ଆମେ କହୁଛୁ, ଆମେ ତତ୍ରୋକ୍ତ ବଳିରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଜୀବହତ୍ୟାକୁ ବିରୋଧ କରୁଥିବା ସତ୍ତ୍ବେ ଗୋଟିଏ ଦିନରେ ଯେ କେତେ ସଂଖ୍ୟାରେ ଜୀବହତ୍ୟା କରୁଛେ ତାର କଳନା ନାହିଁ, ତାହା ବିଡ଼ମ୍ବନାର ବିଷୟ…
Comments are closed.