Latest Odisha News

BREAKING NEWS

ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (JE)ଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୨୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛନ୍ତି।

ଭିଜିଲାନ୍ସ ଅନୁଯାୟୀ, ଜେଇ ଜୟନାରାୟଣ ବାଗଙ୍କ ବିରୁଦ୍ଧରେ ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡ଼ା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଫଲ୍ସ ମଷ୍ଟର ରୋଲ୍ ପ୍ରସ୍ତୁତ କରି, ଟାଙ୍କି ନିର୍ମାଣ କରିବା ଆଳରେ ସରକାରୀ କ୍ଷମତାର ଅପବ୍ୟବହାର କରି ବିଭିନ୍ନ ଆକାଉଣ୍ଟରୁ ୨୨,୧୬,୦୭୨/- ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।

ଭିଜିଲାନ୍ସର ଅଧିକାରୀଙ୍କ ଦ୍ୱାରା ତଦନ୍ତରୁ ଜଣାପଡିଛି ଯେ ପାଞ୍ଚଟି ଟ୍ୟାଙ୍କି ମଧ୍ୟରୁ, ୨୦୨୩-୨୪ ବର୍ଷ ମଧ୍ୟରେ ନବୀକରଣ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ଏଥିମଧ୍ୟରୁ ଗୋଟିଏ ବି ଟ୍ୟାଙ୍କି ନିର୍ମାଣ ହୋଇନଥିଲା। ପିସି (ସଂଶୋଧନ) ଆଇନ, ୨୦୧୮ ଏବଂ ବିଏନଏସର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜେଇଙ୍କୁ ଗିରଫ ପରେ ବଲାଙ୍ଗୀରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଇଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି।

Comments are closed.