ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଥିବା ଟି୨୦ କ୍ରିକେଟ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ତେବେ ବିଜୁ ଜନତା ଦଳ ଏହା ଉପରେ ପ୍ରତିକ୍ରିୟା ରଖିଛି । ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ମିହିର ରାୟ କହିଛନ୍ତି, ସମ୍ପ୍ରତି ଦେଶର ରାଜଧାନୀ ଦିଲ୍ଲୀ ଠାରେ ଘଟିଥିବା ଆତଙ୍କୀ ବିସ୍ପୋରଣ ଯୋଗୁ ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ, ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ବେଳେ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ । କିନ୍ତୁ, ଏହା ସହିତ ଏହି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ମଧ୍ୟ ଏକ ଗୁରୁ ଦାୟିତ୍ୱ ।
ବିଶେଷକରି, ଗତବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏକଦିବସୀୟ ମ୍ୟାଚ ବେଳେ ଯେଉଁଭଳି ଭାବେ ଷ୍ଟାଡିୟମର ଫ୍ଲଡ଼ ଲାଇଟରେ ବିଭ୍ରାଟ ଦେଖା ଦେଇଥିଲା ଓ ଏହା ଓଡିଶା ପାଇଁ ନିନ୍ଦା ଓ ଲଜ୍ଜ୍ୟା ଆଣିଥିଲା, ତାର ପୁନରାବୃତ୍ତି ହେବା ଅନୁଚିତ । ତେଣୁ ତ୍ରୁଟିଶୂନ୍ୟ ଭାବେ କିଭଳି ମ୍ୟାଚଟିକୁ ଆୟୋଜନ କରାଯାଇ ପାରିବ, ରାଜ୍ୟ ସରକାର ସେଥିପ୍ରତି ଯତ୍ନବାନ ହେବା ଦରକାର ।
ରାୟ ଆହୁରି କହିଛନ୍ତି, ଗତଥର କ୍ରିକେଟ ମ୍ୟାଚ ପୂର୍ବରୁ ଏଭଳି ଅନେକ ପ୍ରସ୍ତୁତି ବୈଠକ ଓ ଅନେକ ରିଭିୟୁ ମିଟିଂ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ରିଭିୟୁ ମିଟିଂ ନେଉଥିବା ଖବର ପ୍ରକାଶ ପାଇଥିଲା । କିନ୍ତୁ ମ୍ୟାଚ ସମୟରେ ଫ୍ଲଡ଼ ଲାଇଟ ବିଭ୍ରାଟ ଦେଖା ଦେବା ପରେ, କିଏ ପ୍ରକୃତ ଦୋଷୀ ଓ ଏତେ ପ୍ରସ୍ତୁତି ଓ ରିଭିୟୁ ବୈଠକ ସତ୍ତ୍ୱେ କିପରି ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା, ତାକୁ ନେଇ କୌଣସି ସ୍ପଷ୍ଟତା ଆସି ନଥିଲା । ସରକାରଙ୍କ ତରଫରୁ ଗୋଟିଏ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାଛଡା, ଏହି କ୍ରିକେଟ ମ୍ୟାଚକୁ ଦେଖିବା ପାଇଁ ଓସିଏ ତରଫରୁ ବଣ୍ଟନ କରାଯାଇଥିବା ପାସରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । କ୍ରିକେଟ ମ୍ୟାଚକୁ ଉପଭୋଗ କରିବା ପାଇଁ ଉତ୍ସୁକ କ୍ରିକେଟପ୍ରେମୀ ମାନେ ଟିକେଟ କିଣି ମ୍ୟାଚ ଦେଖିବା ପାଇଁ ଇଚ୍ଛା କରିଥିଲେ ମଧ୍ୟ ଟିକେଟ ପାଇ ନଥିଲେ । ଅପରପକ୍ଷରେ, ବିଜେପି ଦଳର ଅଧିକାଂଶ କୁଜି ନେତାମାନେ କ୍ରିକେଟ ମ୍ୟାଚର ପାସ୍ ହାତେଇବାରେ ସକ୍ଷମ ହୋଇଥିଲେ ।
ତେଣୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ରିକେଟ ମ୍ୟାଚଟି ତ୍ରୁଟିଶୂନ୍ୟ ଭାବେ ଆୟୋଜିତ ହେବା ସହିତ ଏହାର ଟିକେଟ ଓ ପାସ ବ୍ୟବସ୍ଥା ମଧ୍ୟ ତ୍ରୁଟିଶୂନ୍ୟ ହେବା ନିହାତି ଆବଶ୍ୟକ । ଗତବର୍ଷ ପରି କ୍ରିକେଟ ମ୍ୟାଚର ପ୍ରସ୍ତୁତି ଓ ରିଭିୟୁ ମିଟିଂ ଯେପରି ଏକ ପ୍ରହସନରେ ପରିଣତ ହୋଇଥିଲା, ଅନ୍ତତଃ ପକ୍ଷେ ଆସନ୍ତା ଭାରତ ଓ ଦକ୍ଷିଣ ଆଫି୍ରକା ଟି-୨୦ ମ୍ୟାଚର ପ୍ରସ୍ତୁତି ଓ ରିଭିୟୁ ମିଟିଂ ସେଭଳି ପ୍ରହସନରେ ପରିଣତ ନହେଉ ବୋଲି ମିହିର ରାୟ କହିଛନ୍ତି ।
Comments are closed.