ଭୁବନେଶ୍ୱର: ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି। ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।
ଆଇନ ମନ୍ତ୍ରୀଙ୍କ କହିବାନୁଯାୟୀ, ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ। ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି, ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବା ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଅନୁପ୍ରବେଶକାରୀ, ଉଗ୍ରବାଦୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଉଛି। ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ହୁଅନ୍ତୁ ଅବା ଅନ୍ୟ କେହି, ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ। ଖାଲି ସେତିକି ନୁହେଁ, ନିକଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ, ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି ଏବଂ କୋଷ୍ଟ ଗାର୍ଡ ନିରୀକ୍ଷଣ କରୁଛି । ଓଡିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ଯେଉଁମାନେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି।
Comments are closed.