Latest Odisha News

BREAKING NEWS

Odisha Cold Wave: ରାଜ୍ୟରେ ଆହୁରି କମିବ ଥଣ୍ଡା, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କମିପାରେ ଶୀତ। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି। ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିବା ସହ ସ୍ୱାଭାବିକ ତାପମାତ୍ରା ଅନୁଭୂତ ହେବ ।

ଭୁବନେଶ୍ୱର, ଖୋର୍ଦ୍ଧା, ଗୋପାଳପୁରରେ ୧୭ ଡିଗ୍ରୀ, ଛତ୍ରପୁର ଓ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ୱରରେ ରାତି ତାପମାତ୍ରା ୧୮ ଡିଗ୍ରୀ ରହିବ । ପୁରୀରେ ତାପମାତ୍ରା ୨୦ ଡିଗ୍ରୀ ରହିବା ସହ ଶୀତ ଅନେକାଂଶରେ କମିଯିବ । ଜି.ଉଦୟଗିରି ପୁଣି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୮ ଡିଗ୍ରୀ ରହିଥିଲା ।

ଅନ୍ୟପଟେ ଗତ ୨ ସପ୍ତାହ ହେବ କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ହ୍ରାସ ଯୋଗୁଁ ଏଭଳି ଶୀତ ଲହରୀ ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତ ନଭେମ୍ବର ମାସର ରେକର୍ଡ ଭାଙ୍ଗି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ସାମାନ୍ୟ ତାପମାତ୍ରା ବଢିଲେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ରବିବାର ରାତିରେ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ଥିଲା, ସୋମବାର ୮ ଡିଗ୍ରୀ ହୋଇଛି । ସେମିଳିଗୁଡ଼ାରେ ପାରଦ ୬.୧ ଡିଗ୍ରୀରୁ ୭.୭ ଡିଗ୍ରୀକୁ ବଢ଼ିଛି । ରାଉରକେଲାରେ ୧୦ ଡିଗ୍ରୀରୁ ୧୧.୫ ଡିଗ୍ରୀକୁ ବଢ଼ିଛି । କୋରାପୁଟରେ ୧୦.୮ ଡିଗ୍ରୀରୁ ୧୧.୫ ଡିଗ୍ରୀ, କେନ୍ଦୁଝରରେ ୧୧ ଡିଗ୍ରୀରୁ ୧୨.୬ ଡିଗ୍ରୀ, କିରେଇରେ ୧୧ ଡିଗ୍ରୀରୁ ୧୧.୫ ଡିଗ୍ରୀ, ଢେଙ୍କାନାଳରେ ୧୨ରୁ ୧୩ ଡିଗ୍ରୀକୁ ବଢ଼ିଛି । ଅନୁଗୁଳରେ ୧୦.୨ ଡିଗ୍ରୀରୁ ୯.୮ଡିଗ୍ରୀକୁ ଖସିଛି । ସେହିଭଳି ଚିପିଲିମାରେ ୧୦.୨ ଡିଗ୍ରୀରୁ ୯.୭ ଡିଗ୍ରୀକୁ ଖସିଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ୧୨.୯ ଡିଗ୍ରୀରୁ ୧୪.୧ ଡିଗ୍ରୀକୁ ବଢ଼ିଛି । କଟକରେ ୧୩.୨ ଡିଗ୍ରୀରୁ ୧୪ ଡିଗ୍ରୀକୁ ବଢ଼ିଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିଥିଲା । ରବିବାର ଏହା ୧୧.୬ ଡିଗ୍ରୀ ଥିବାବେଳେ ମଙ୍ଗଳବାର ସାମାନ୍ୟ କମିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୪ ଡିଗ୍ରୀ କମିଛି । ସମ୍ବଲପୁରରେ ୧୩.୮, ହୀରାକୁଦରେ ୧୪.୮, ଗୋପାଳପୁରରେ ୧୫.୪, ପାରାଦୀପରେ ୧୬.୬, ବାଲେଶ୍ୱରରେ ୧୭, ଚାନ୍ଦବାଲିରେ ୧୭.୨ ଓ ପୁରୀରେ ରାତି ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ପାଖାପାଖି ୫ ଡିଗ୍ରୀ କମ୍‌ ରେକର୍ଡ ହୋଇଥିବାବେଳେ କଟକରେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍‌ ରହିଛି । ଭବାନୀପାଟଣାରେ ସ୍ୱାଭାବିକଠାରୁ ୪.୨ ଡିଗ୍ରୀ, ହୀରାକୁଦରେ ୪ ଡିଗ୍ରୀ ଓ ବଲାଙ୍ଗୀରରେ ୩.୮ ଡିଗ୍ରୀ କମ୍‌ ରେକର୍ଡ ହୋଇଛି ।

Comments are closed.