ଭୁବନେଶ୍ବର: ପୁଣି ଘାରିଲାଣି ବାତ୍ୟା ଆଶଙ୍କା…ବଙ୍ଗୋପସାଗରରେ ଦାନା ବାନ୍ଧୁଛି…ଓଡିଶା, ଆନ୍ଧ୍ର ନା ତାମିଲନାଡୁ?…କେଉଁଠି ହେବ ମାଡ?…ବାତ୍ୟା ଆଶଙ୍କାରେ ଚିନ୍ତାରେ ଚାଷୀ କୂଳ…
ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମ୍ୟାଲେସିଆ ଓ ସଂଲଗ୍ନ ମାଲାକ୍କା ପ୍ରଣାଳୀ ଉପରେ ଆଜି ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତର ରୂପ ନେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନିଜ ଯାତ୍ରା ଜାରି ରଖିବା ସହ ଆହୁରି ଘନୀଭୂତ ହେବ ଏବଂ ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନି।
ସେପଟେ ଚିନ୍ତା ବଢାଇଛି, ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ୍। ଗୋଟିଏ ଦାନା ବାନ୍ଧୁଥିବା ବେଳେ, ଆଉ ଗୋଟିଏ ନେଇ ଏବେ ଚାଲିଛି ତର୍ଜମା। ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗର ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ କ’ଣ ରହିବ ଗତିପଥ? ଓଡ଼ିଶାରେ କିପରି ପ୍ରଭାବ ପକାଇବ ଏହି ଶୀତକାଳୀନ ସାଇକ୍ଲୋନ୍? ଏନେଇ ବିଭିନ୍ନ ଆଲୋଚନା ବଢିଥିବା ବେଳେ IMD ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ତେବେ ଅନ୍ୟ ଏକ ସିଷ୍ଟମ୍ ଅବପାତରେ ପରିଣତ ହେବାର ୪୮ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏହାର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟାର ନାଁ ସେନାଆର । ଆସନ୍ତା ୨୬ ଏବଂ ୨୭ ତାରିଖ ବା ବୁଧବାର କିମ୍ବା ଗୁରୁବାର ସୁଦ୍ଧା ଏହା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିପାରେ। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ । ତଥାପି ୪୮ ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ବୋଲି କହିଛି ପାଣିପାଗ ବିଭାଗ। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ବର୍ତ୍ତମାନ କ୍ଷେତରେ ସୁନାର ଫସଲ ହସୁଥିବା ବେଳେ ଏହି ଶୀତ କାଳୀନ ସାଇକ୍ଲୋନ୍ ଚିନ୍ତା ବଢାଇଛି । ଯଦିଓ ବାତ୍ୟା ଆଶଙ୍କା ଟଳିଯାଉଛି, ତଥାପି ଧାନ ଅମଳ ସମୟରେ ଯଦି ଏବେ ବର୍ଷା ଟିକକ ବି ହୁଏ, ଏହା ବର୍ଷକର ପରିଶ୍ରମକୁ ପାଣିରେ ବୁହାଇଦେବ ।
Comments are closed.