Latest Odisha News

BREAKING NEWS

Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ ଆନ୍ଧ୍ର ଅଧିକାରୀ; ତଡ଼ିଲେ ପଟାଙ୍ଗି ବିଡିଓ

କୋରାପୁଟ:ବାରମ୍ବାର ତାଗିଦ ପରେ ମଧ୍ୟ ଆନ୍ଧ୍ରର କୋଟିଆ ଦଖଲ ଅଭିଯାନ ଜାରି ରଖିଛି। ଗତକାଲି ଆନ୍ଧ୍ର ସରକାରଙ୍କ ୩ ଜଣ ଅଧିକାରୀ କୋଟିଆ ପଞ୍ଚାୟତର ହରମାଣ୍ଡାଙ୍ଗିରେ ପଶି କୃଷି ଓ ଜୀବନଜୀବିକା ମିଶନ ଉପରେ ସର୍ଭେ କରୁଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କୋଟିଆ ଥାନା ପୋଲିସ, ପଟାଙ୍ଗି ବିଡିଓ ଓ ତହସିଲଦାର । ଏହାପରେ କଡ଼ା ବିରୋଧର ସମ୍ମୁଖୀନ ହୋଇ ଆନ୍ଧ୍ର ଅଧିକାରୀ ଫେରି ଯାଇଥିବା ସୂଚନା ମିଳିଛି।

ସୂଚନାଥାଉକି, ଆନ୍ଧ୍ର ଅଧିକାରୀ କୋଟିଆ ପଞ୍ଚାୟତର ହରମାଣ୍ଡାଙ୍ଗିରେ ଲୁଚିଛପି ପଶିଥିଲେ । ଜୀବିକା ମିସନ୍‌, କୃଷି ସଂପର୍କିତ ବିଭିନ୍ନ ଯୋଜନା ନିମନ୍ତେ ଲୋକଙ୍କୁ ଏକାଠି କରି ସର୍ଭେ ଆରମ୍ଭ କରିଥିଲେ। ଆନ୍ଧ୍ରପ୍ରଦେଶର ତିନି ଅଧିକାରୀ ଏହି ସର୍ଭେରେ ନିୟୋଜିତ ହୋଇଥିଲେ।
ଏହି ସୂଚନା ପାଇଥିଲେ ପଟାଙ୍ଗି ବ୍ଲକ୍‌ ପ୍ରଶାସନ । ଏହାପରେ ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂହ ଧାରୁଆଙ୍କ ସହ ବ୍ଲକ୍‌ସ୍ତରୀୟ ଅଧିକାରୀ ଓ କୋଟିଆ ପୋଲିସ ଗାଁରେ ପହଞ୍ଚିଥିଲେ । ତାଗିଦ ଓ ନିର୍ଦ୍ଦେଶ ସତ୍ତ୍ବେ କାହିଁକି ଅନୁପ୍ରବେଶ କରୁଛ ବୋଲି ବିଡିଓ ପ୍ରଶ୍ନ କରିଥିଲେ , ଏହାପରେ କୌଣସି ଉତ୍ତର ଦେଇନଥିଲେ ଆନ୍ଧ୍ର ଅଧିକାରୀ। କଡ଼ା ବିରୋଧର ସମ୍ମୁଖୀନ ହୋଇ ଆନ୍ଧ୍ର ଅଧିକାରୀ ଫେରି ଯାଇଥିଲେ ।

ଏହା ପ୍ରଥମ ଘଟଣା ନୁହେଁ । ବାରମ୍ବାର ଆନ୍ଧ୍ର ସରକାରଙ୍କ ଅଧିକାରୀ ଆସି କୋଟିଆରେ ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ବୁଝାଉଥିବା ଖବର ରହିଛି । କିଛି ଦିନ ତଳେ ସୀମାନ୍ତ ନେରେଡ଼ିବାଲାସା ଗାଁରେ କୃଷି ମେଳା ଆୟୋଜନ କରିଥିଲା ଆନ୍ଧ୍ର । ଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ ପହଞ୍ଚି ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅଧାରୁ ଫେରି ଯାଇଥିଲେ ଆନ୍ଧ୍ର ଅଧିକାରୀ।

 

Comments are closed.