ଭୁବନେଶ୍ୱର: ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି (ମଙ୍ଗଳବାର) ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeper, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ଜଣ ପାରାମେଡିକ୍ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Mechanical), ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ସୃଷ୍ଟି ପାଇଁ ଭରଷା ଦେଇଥିଲୁ, ଆମେ ନିୟମିତ ଭାବେ ନିଯୁକ୍ତିମେଳା ଆୟୋଜନ କରି ଆମ କଥା ରଖୁଛୁ । ପ୍ରଥମରୁ ଏଥିପାଇଁ ଆମେ ଉଦ୍ୟମ ଆରମ୍ଭ କରି ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୧୭ ମାସ ଭିତରେ ଆଜିକୁ ମିଶାଇ ୧୨ ଟି ନିଯୁକ୍ତିମେଳା ଜରିଆରେ ଆମେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ । ଏତେ ସଂଖ୍ୟାରେ ସରକାରୀ ପଦ ପଦବୀରେ ନିଯୁକ୍ତି ଏତେ କମ୍ ଦିନ ଭିତରେ ଆଗରୁ କେବେ ହୋଇନାହିଁ । ଦୁଇ ବର୍ଷ ଭିତରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହାସଲ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ଔଦ୍ୟୋଗିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଆମେ ପଦକ୍ଷେପ ନେଉଛୁ । ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ମାଧ୍ୟମରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିଛୁ । ଓଡ଼ିଶାର ଯୁବଶକ୍ତି ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ଭାବ ଆପଣମାନେ ଜାଣିପାରୁଥିବେ । ଆମର ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ନିରବଚ୍ଛିନ୍ନ ଭାବରେ ଜାରି ରହିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣେଇଛନ୍ତି, ତେଣୁ ଆପଣମାନେ ଦୁର୍ନୀତିକୁ ବିଷ ମନେକରି ତା’ଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ, ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଦଜନକ ହେବ । ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଯେପରି ଓଡ଼ିଶା ଏବଂ ରାଜ୍ୟବାସୀଙ୍କ ଉନ୍ନତିରେ ସହାୟକ ହେବ ତାକୁ ଦୃଷ୍ଟିରେ ରଖି କାମ କରନ୍ତୁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ଚାରୋଟି ପରାମର୍ଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସହୃଦୟତାପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଭାବେ ସେବା ଯୋଗାଇଦେବେ, ନିଜର କାର୍ଯ୍ୟରେ ସବୁବେଳେ ଉତ୍କୃଷ୍ଟତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ, ସବୁବେଳେ ନିଜର ଜ୍ଞାନର ପରିସୀମାକୁ ବୃଦ୍ଧି କରନ୍ତୁ ଓ ସମୟ ଉପଯୋଗୀ କରନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟତା ଓ ସ୍ୱଚ୍ଛତା ବଜାୟ ରଖନ୍ତୁ ।
Comments are closed.