Latest Odisha News

BREAKING NEWS

Siddaramaiah or Shivakumar?: ମୁଖ୍ୟମନ୍ତ୍ରୀ ଚୌକିରେ ବସିବ କିଏ?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖିଆ ପଦ ପାଇଁ ଚାଲିଛି ଟଣାଓଟରା…ତୀବ୍ର ହେଉଛି ସିଦ୍ଧରମୈୟା- ଶିବକୁମାର ଲଢେଇ…ଏବେ ଦିଲ୍ଲୀରେ ହେବ ଫଇସଲା…କର୍ଣ୍ଣାଟକ ଚୌକିରେ ବସିବ କିଏ?…

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲଢ଼େଇ ଶୀର୍ଷରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ବିବାଦ ଏବେ ଶେଷ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସାର୍ବଜନୀନ ଭାବରେ ଦଳୀୟ ହାଇକମାଣ୍ଡଙ୍କୁ ଦ୍ୱନ୍ଦ୍ୱର ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଅନୁରୋଧ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମତା ବଣ୍ଟନ ଉପରେ ପାଞ୍ଚ-ଛଅ ବରିଷ୍ଠ ନେତାଙ୍କ ସହ ଏକ “ସିକ୍ରେଟ ଡିଲ୍” ଥିବା ନିଶ୍ଚିତ କରିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଜିଦ୍ ଧରିଥିବା ଦଳର ହାଇକମାଣ୍ଡ ଏବେ ଡିକେ ଶିବକୁମାରଙ୍କ ଚାପ ଯୋଗୁଁ ସକ୍ରିୟ ହୋଇ ଉଠିଛି । ଏନେଇ ଦିଲ୍ଲୀ ହାଇକମାଣ୍ଡ କିଛି ନିଷ୍ପତ୍ତି ନେବେ ବୋଲି ଇସାରା ଦେଇଛନ୍ତି । କର୍ଣ୍ଣାଟକର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଗୁରୁବାର ଦିଲ୍ଲୀରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା କୁହାଯାଉଛି । ଏହାପରେ ନଭେମ୍ବର ୨୯ରେ ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡାକି ଏହି ବିବାଦର ସମାଧାନ ହେବ ବୋଲି ଜଣାପଡିଛି ।

ରାହୁଲଙ୍କ ମେସେଜ ବଢାଇଲା ସସପେନ୍ସ

କର୍ଣ୍ଣାଟକ କଂଗ୍ରେସ ବିବାଦ ମଧ୍ୟରେ ବୁଧବାର, ରାହୁଲ ଗାନ୍ଧୀ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକ ମେସେଜ ବାର୍ତ୍ତା ପଠାଇଥିଲେ । ଯେଉଁଥିରେ ଲେଖାଥିଲା, “ଦୟାକରି ଅପେକ୍ଷା କରନ୍ତୁ” । ଯାହାପରେ ସିଧା ବେଙ୍ଗାଲୁରୁରେ ପହଞ୍ଚିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ ସେଠି ହଞ୍ଚିବା ପରେ, ସେ ପ୍ରାୟ ୨୫ ମିନିଟ୍ ପର୍ଯ୍ୟନ୍ତ ଫୋନରେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିଲେ ଖଡଗେ । ଯାହାପରେ ଗଣମାଧ୍ୟମଙ୍କ ସହ କଥା ହୋଇ ଖଡଗେ କହିଥିଲେ, “ଆମେ ହାଇକମାଣ୍ଡଙ୍କ ସହିତ କର୍ଣ୍ଣାଟକ ବିଷୟରେ ଆଲୋଚନା କରିବୁ। ମୁଁ ହାଇକମାଣ୍ଡରେ ଅଛି, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଅଛନ୍ତି। ଆମେ ସମସ୍ତେ ଏକାଠି ବସି ଆଲୋଚନା କରି ନିଷ୍ପତ୍ତି ନେବୁ ଯେ ଏହାର ସମାଧାନ କ’ଣ ହେବ?, ଆଉ ଏହାପରେ AICC ସଭାପତି ନିଜେ ଏକ ସରକାରୀ ବିବୃତ୍ତି ଜାରି କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ଏବଂ DCM ସମେତ ତିନି କିମ୍ବା ଚାରି ଜଣ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଦିଲ୍ଲୀ ଡାକି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବେ।

ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ବିବାଦ କ’ଣ?

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ହେବା ପରଠାରୁ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଧାରମୈୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ କଳି ବଢିବାରେ ଲାଗିଛି । ବିଧାନସଭା ନିର୍ବାଚନ ପରେ ସରକାର ଗଠନ ହେବା ପରେ କୁହାଯାଏ ଯେ ସିଦ୍ଧାରମେୟା ଡିକେ ଶିବକୁମାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କ୍ଷମତା ହସ୍ତାନ୍ତର ହେବ, ଅର୍ଥାତ୍ ଅଧା କାର୍ଯ୍ୟକାଳ ପରେ ଡିକେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। କିନ୍ତୁ, ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଯାହାକୁ ଡିକେଙ୍କ ସମର୍ଥକ ଅସନ୍ତୋଷ ଥିବା ବେଳେ, ଡିକେ ଶିବକୁମାରଙ୍କ ଶିବିର ଏହି ପ୍ରସଙ୍ଗକୁ ଚାପ ପକାଉଛି ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବାର ସୁଯୋଗକୁ ବିଜୟ ଭାବରେ ଦେଖୁଛି। ଯେଉଁଥିରେ ସିଦ୍ଧରମୈୟାଙ୍କୁ ସେହି ପୁରୁଣା ପ୍ରତିଶ୍ରୁତିର ଉତ୍ତର ଦେବାକୁ ବାଧ୍ୟ କରିବ।

ସେପଟେ ଉଭୟ ନେତା ଏବେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଗୃହମନ୍ତ୍ରୀ ଜି. ପରମେଶ୍ୱର, ମନ୍ତ୍ରୀ ସତୀଶ ଜାରକିହୋଲି, ମନ୍ତ୍ରୀ ଏଚ୍.ସି. ମହାଦେବପ୍ପା, ମନ୍ତ୍ରୀ ଭେଙ୍କଟେଶ ଏବଂ ପୂର୍ବତନ ମନ୍ତ୍ରୀ କେ.ଏନ୍. ରାଜନ୍ନା ଯୋଗ ଦେଇଥିଲେ। ବିଧାୟକମାନଙ୍କ ମଧ୍ୟରେ ସିଦ୍ଧରମୈୟାଙ୍କର ଏବେ ବି ଏକ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଆଧାର ରହିଛି । ସିଦ୍ଧରମୈୟା ପଛୁଆ ବର୍ଗର ଜଣେ ନେତା ଏବଂ ତାଙ୍କର ଯଥେଷ୍ଟ ଜନଆକର୍ଷଣ ରହିଛି । ଡିକେ ଶିବକୁମାର ମଧ୍ୟ ଜାଣନ୍ତି ଯେ ସିଦ୍ଧରମୈୟାଙ୍କ ପରି ଜଣେ ଲୋକପ୍ରିୟ ନେତାଙ୍କୁ ହଟାଇବା ସହଜ ହେବ ନାହିଁ। ଯଦି ହାଇକମାଣ୍ଡ ଏହି ନିଷ୍ପତ୍ତିକୁ କଂଗ୍ରେସ ବିଧାୟକ ଦଳ ଉପରେ ଛାଡିଦିଏ, ତେବେ ଡିକେଙ୍କ ଅସୁବିଧା ବଢ଼ିପାରେ, କାରଣ ଅଧିକାଂଶ ବିଧାୟକ ବର୍ତ୍ତମାନ ସିଦ୍ଧରମୈୟାଙ୍କ ସହିତ ଅଛନ୍ତି। ଯାହାକୁ ନେଇ ଏବେ ଟେନସନରେ ଦୁଇ ନେତା । କାରଣ ପରିସ୍ଥିତି ଏତେ ଜଟିଳ ଯେ ଯଦି ଉଭୟଙ୍କ ମଧ୍ୟରେ କୌଣସି ସହମତି ନହୁଏ, ତେବେ ଦଳର ହାଇକମାଣ୍ଡ ତୃତୀୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିପାରନ୍ତି । ଏହି ବିବାଦ କର୍ଣ୍ଣାଟକ କଂଗ୍ରେସ ପାଇଁ ଏବେ ଏକ ବଡ଼ ପରୀକ୍ଷା ସୃଷ୍ଟି କରିଛି ।

Comments are closed.